Odiapua.com

ଓଡ଼ିଶା ପାଇଁ ଦୀର୍ଘସୂତ୍ରୀ, ସ୍ଥାୟୀ ଦକ୍ଷତା ନିର୍ମାଣ ଯୋଜନା ହେଲେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରଙ୍କୁ ପତ୍ରଲେଖିଲେ ନବଜ୍ୟୋତି

ଭୁବନେଶ୍ୱର, ୧୩ା୮ (ଓଡ଼ିଆ ପୁଅ) : ଓଡ଼ିଶାର ଭୌଗୋଳିକ ଅବସ୍ଥିତି କାରଣରୁ ପ୍ରତିବର୍ଷ ଏହା ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଓଡ଼ିଶାରେ ବର୍ଷା ଋତୁରେ ପ୍ରବଳ ବୃଷ୍ଟିପାତ, ବଜ୍ରପାତ, ବନ୍ୟା ଓ ଝଡବତାସ ଭଳି ବିପର୍ଯ୍ୟୟ ଘଟୁଛି। ଏପରିକି ଗ୍ରୀଷ୍ମ ଋତୁରେ ଫନି ଭଳି ବାତ୍ୟା ଏବଂ ତାହାର ଅନେକ ପୂର୍ବରୁ ଅକ୍ଟୋବରରେ ମହାବାତ୍ୟାର ବିଭୀଷିକା ଓଡ଼ିଶା ଦେଖିସାରିଛି। ମୋଟ ଉପରେ କହିଲେ ପ୍ରତିବର୍ଷ ମଇ ମାସରୁ ନେଇ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶାରେ ବିପର୍ଯ୍ୟୟର ଆଶଙ୍କା ରହୁଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହି ଆଶଙ୍କାକୁ ବଢାଇ ଦେଇଛି। ଏହାଦ୍ୱାରା ଉପକୂଳବର୍ତ୍ତୀ ଅଂଚଳରେ ଭୀଷଣ କ୍ଷତି ହେବାସହିତ ରାଜ୍ୟର ଦୁଇ ତୃତୀୟାଂଶ ଲୋକ ପ୍ରଭାବିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଦୀର୍ଘସୂତ୍ରୀ, ସ୍ଥାୟୀ ଦକ୍ଷତା ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଶିକ୍ଷା, ବିକାଶ ଏବଂ ଉଦ୍ୟୋଗିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ପତ୍ର ଲେଖିଛନ୍ତି କଂଗ୍ରେସ ଯୁବନେତା ନବଜ୍ୟୋତି ପଟ୍ଟନାୟକ।

ଏହି ପତ୍ରରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ମଇ ମାସରୁ ନେଇ ନଭେମ୍ବର ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଷ୍ଣ କ୍ରାନ୍ତୀୟ ବାତ୍ୟା ସୃଷ୍ଟି ହୋଇଥାଏ। ବିଗତ କିଛିବର୍ଷ ଧରି ରାଜ୍ୟକୁ ଏଥିପାଇଁ କ୍ରମବର୍ଦ୍ଧିଷ୍ଣୁ ଭୟଙ୍କର ଝଡ ବାତ୍ୟାର ସାମ୍ନା କରିବାକୁ ପଡୁଛି। ଏହାଦ୍ୱାରା ଉପକୂଳ ସମେତ ଅଭ୍ୟନ୍ତର ଅଂଚଳରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ଘଟିବା ସହିତ ରାଜ୍ୟର ଦୁଇ ତୃତୀୟାଂଶ ଲୋକ ପ୍ରଭାବିତ ହେଉଛନ୍ତି। ଜଳବାୟୁର ପରିବର୍ତ୍ତନ ମଧ୍ୟ ଦୁର୍ବିପାକର ପ୍ରଭାବକୁ ବଢାଇ ଦେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ପାଇଁ ଦୀର୍ଘସୂତ୍ରୀ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି। ଉକ୍ତ ଯୋଜନାରେ ଓଡ଼ିଶାର ଭୌଗୋଳିକ ପରିସୀମା ଅନୁଯାୟୀ ଜଳବାୟୁ ସମ୍ପର୍କିତ ସୂଚନା ସଂଗ୍ରହ ସହିତ ଆସନ୍ନ ବିପର୍ଯ୍ୟର ମୁକାବିଲା ପାଇଁ ପଦ୍ଧତି, କୌଶଳ ଅବଲମ୍ବନ ଏବଂ ସେଥିରେ ଜନସାଧାରଣଙ୍କୁ ସହଭାଗି କରାଗଲେ ବ୍ୟାପକ ଧନ ଜୀବନକୁ ସୁରକ୍ଷିତ ରଖାଯାଇପାରିବ।

ନବଜ୍ୟୋତି ବାଲେଶ୍ୱରରେ ଥିବା ଅନ୍ୟତମ ଖ୍ୟାତନାନା ଉଚ୍ଚଶିକ୍ଷା ସଂସ୍ଥାନ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଜଳବାୟୁ ଗବେଷଣା ଏବଂ ତତ୍ ସମ୍ପର୍କିତ ଦକ୍ଷତା ବିକାଶକୁ ଦୃଷ୍ଟିରେ ରଖି କୋଷ୍ଟାଲ ରିସାଇଲିଏନ୍ସ ରିସର୍ଚ୍ଚ ସେଂଟର (ସିଆରଆରସି) ପ୍ରତିଷ୍ଠା ପାଇଁ ଏହି ପତ୍ରରେ ପ୍ରସ୍ତାବ ଦେଇଛନ୍ତି। ଏହି କେନ୍ଦ୍ର ଉପକୂଳ ଅଂଚଳରେ ଭୋଗୋଳିକ ପରିସ୍ଥିତି, ପରିବେଶ ସମ୍ପର୍କରେ ଗବେଷଣା କରିବା ସହିତ ଓଡ଼ିଶାକୁ ଆସନ୍ନ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ଏକ ଦୀର୍ଘସ୍ଥାୟୀ ଜନ ସହଭାଗୀ ସଂସ୍ଥାନ ଭାବରେ ପରିଗଣିତ ହେବ। ସେ ଏହି ପ୍ରସ୍ତାବିତ କେନ୍ଦ୍ରର କାର୍ଯ୍ୟଧାରା ସମ୍ପର୍କରେ ବ୍ୟାଖ୍ୟା କରି କହିଛନ୍ତି ଯେ ଏହା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସଠିକ ତଥ୍ୟ ନିରୂପଣ କରିବା ସହିତ ବିପର୍ଯ୍ୟୟଗୁଡିକର ମୁକାବିଲା କରିବା ନିମନ୍ତେ ଦକ୍ଷତା ଓ କୌଶଳ ବିକାଶ ଦିଗରେ ସହାୟକ ହୋଇପାରିବ। ତତ୍‌ସହିତ ଏହି କେନ୍ଦ୍ର ଉପକୂଳବର୍ତ୍ତୀ ଅଂଚଳର ଅଧିବାସୀଙ୍କ ମଧ୍ୟରେ ଆନ୍ତଃ ଜ୍ଞାନକୌଶଳ ସହିତ ମାନବୀୟ ପରିମାପକୁ ସମ୍ମିଳିତ କରି ଦୀର୍ଘସ୍ଥାୟୀ ସମାଧାନ ସୃଷ୍ଟି କରିବ ଏବଂ ତାହାଦ୍ୱାରା ଓଡ଼ିଶା ଉପକୂଳରେ ଦୃଢ ତଟୀୟ ସୁରକ୍ଷା କବଚର ପରିକଳ୍ପନା ସମ୍ଭବ ହୋଇପାରିବ। ଏହା ଓଡ଼ିଶାର ଅଦ୍ୱିତୀୟ ଲୁଣା ଜଙ୍ଗଲ ପରିସଂସ୍ଥାର ପୁନଃବିନ୍ୟାସ ଦିଗରେ ମଧ୍ୟ ସହାୟକ ହେବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବାଲେଶ୍ୱର ଜିଲାରେ ୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ ରେଖା ରହିଛି ଏବଂ ଏହା ଉପକୂଳ ସାମୁଦ୍ରିକ ଜୈବିକ ପରିସଂସ୍ଥାର ପ୍ରାଚୁର୍ଯ୍ୟରେ ଭରପୂର। ତେଣୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସାମୁଦ୍ରିକ ଜୁଆର, ଏହାର ତଟୀୟ ଲକ୍ଷଣ ଏବଂ ତତ୍‌ସଂଲଗ୍ନ ବିଶ୍ଲେଷଣକୁ ଆଧାର ଭାବରେ ଗ୍ରହଣ କରାଯାଇପାରିବ। ଏହା ଉପକୂଳବର୍ତ୍ତୀ ସମ୍ବଳର ସୁବିନିଯୋଗ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିବ। ବିଗତ ବହୁବର୍ଷ ଧରି ବାଲେଶ୍ୱର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳ ବାତ୍ୟାଗୁଡିକ ସ୍ଥଳଭାଗ ଛୁଇଁବା ସ୍ଥାନ ଭାବରେ ପରିଲକ୍ଷିତ ହୋଇଆସୁଛି। ତେଣୁ ବାତ୍ୟାର ଗତିବିଧି ସମ୍ବନ୍ଧୀୟ ବିଶ୍ଳେଷଣ ପାଇଁ ଏହି ଅଂଚଳକୁ ପ୍ରକୃଷ୍ଟ ଆଧାର ଭାବରେ ବିବେଚନା କରାଯାଇ ପରବର୍ତ୍ତୀ ପନ୍ଥା ନିରୂପଣ କରାଯାଇପାରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିକଟକୁ ଲେଖିଥିବା ପତ୍ରରେ ନବଜ୍ୟୋତି କହିଛନ୍ତି, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ଅଧ୍ୟୟନ ନିମନ୍ତେ ଭୂତତ୍ତ୍ୱ ବିଜ୍ଞାନ, ଭୂଗୋଳ, ପରିବେଶ ବିଜ୍ଞାନ, ଅର୍ଥନୀତି, ପ୍ରବନ୍ଧନ, ଜନ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରଭୃତି ବିଭାଗ ରହିଛି। ଏହି ବିଭାଗଗୁଡିକରେ ସ୍ୱନାମଧନ୍ୟ ପ୍ରାଧ୍ୟାପକ ଓ ବିଶେଷଜ୍ଞମାନେ ଅଧ୍ୟାପନା କରୁଛନ୍ତି। ସେମାନଙ୍କର ଅଭିଜ୍ଞତା ଓ କୁଶଳତାକୁ ଇପ୍‌ସିତ ଲକ୍ଷ୍ୟ ସାଧନ ଦିଗରେ ବିନିଯୋଗ କରାଯାଇପାରିବ। ତାହାଛଡା ଫକୀର ମୋହନ ବିଶ୍ୱବିଦ୍ୟାଳୟ ସହିତ ପ୍ରାୟ ୯୫ଟି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଛନ୍ତି ଏବଂ ସେଗୁଡିକରେ ପ୍ରାୟ ୫୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତାବିତ ସିଆରଆରସି ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ ଅଥବା ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସ୍ୱଳ୍ପ ଅବଧିର ପାଠ୍ୟକ୍ରମ ପ୍ରଚଳନ କରାଗଲେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ବୃହତ୍ତର ପ୍ରଶିକ୍ଷିତ ବଳ ଗଠନ କରାଯାଇପାରିବ।

ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ଓ ସୁଦୃଢ ତଟୀୟ ପୁନଃ ବିନ୍ୟାସ ଭିିତ୍ତିଭୂମିର ବିକାଶ ନିମନ୍ତେ ଓଡ଼ିଶା ସରକାର ଭାରତ ସରକାରଙ୍କ ନିକଟରେ ଦୀର୍ଘାବଧି ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଥିବା ତାଙ୍କର ଦୃଷ୍ଟିଗୋଚର ହୋଇଛି। ସିଆରଆରସି ସ୍ଥାପନ ଏ ଦିଗରେ ଏକ ବିରାଟ ଉପଲବ୍ଧି ହୋଇପାରିବ। ସିଆରସିସି ସ୍ଥାପନ ହେଲେ ବିପର୍ଯ୍ୟୟ ଏବଂ ସେଗୁଡିକ ଦ୍ୱାରା ଆସନ୍ନ କ୍ଷୟକ୍ଷତିର ଆକଳନ ସଠିକ ଭାବରେ ନିରୂପଣ କରାଯାଇପାରିବ। ତତ୍‌ସହିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆବଶ୍ୟକ ସମ୍ବଳର ସୁଷମ ଆବଂଟନ କରାଯାଇପାରିବ ଏବଂ ଏହାଦ୍ୱାରା ବିପର୍ଯ୍ୟୟ ଦ୍ୱାରା ହେବାକୁ ଥିବା କ୍ଷୟକ୍ଷତିର ପ୍ରଭାବକୁ ହ୍ରାସ କରାଯାଇପାରିବ। ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଏହି ସଂସ୍ଥାନ ପ୍ରତିଷ୍ଠା ପ୍ରତି କେନ୍ଦ୍ରମନ୍ତ୍ରୀ ଧ୍ୟାନ ଦେବାକୁ ନବଜ୍ୟୋତି ପତ୍ରରେ ଉଲ୍ଲେଖ କରିଛନ୍ତି।