Odiapua.com

ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟଙ୍କ ଧାମନଗର ବ୍ଲକ୍‌କୁ ଅଚାନକ ଗସ୍ତ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଆଜି ଅଚାନକ ଭାବେ ଧାମନଗର ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଗସ୍ତ ସମୟରେ ଧାମନଗର ବ୍ଲକ୍‌ର କୋରୁଆ ବେହେରାସାହି, କୋରୁଆ, ଗୋବିନ୍ଦପୁର ପଟ୍ଟାଙ୍ଗିସାହି, ଗୋବିନ୍ଦପୁର ଢ଼ିଅସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବୁଲି ଦେଖିବା ସହ ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସଠିକ୍ ଭାବେ ମପାଯାଇ ପୋଷଣ ଆପ୍‌ରେ ସଠିକ୍ ଭାବେ ଅପଲୋଡ଼୍ କରାଯାଉଛି କି ନାହିଁ ତାହା ତଦାରଖ କରିଥିଲେ । ଏହାଛଡ଼ା ଶିଶୁମାନଙ୍କୁ ଦିଆଯାଉଥିବା ଜଳଖିଆ ଓ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ । ଏହାପରେ ମାନ୍ୟବର ସଦସ୍ୟ କୋରୁଆ ଗୋବିନ୍ଦପୁର ନୋଡ଼ାଲ ହାଇସ୍କୁଲ ଏବଂ ଚୁଡ଼ାକୁଟୀ ଇନ୍ଦ୍ରଗୋବିନ୍ଦ ସରକାରୀ ନୋଡ଼ାଲ ହାଇସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ପାଇଁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ । ଦୁଇ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଏବଂ ପରିଷ୍କାର ପରିଚ୍ଛନ୍ନତା ଦେଖି ମାନ୍ୟବର ସଦସ୍ୟ ସନ୍ତୋଷ ପ୍ରକାଶ କରିଥିଲେ । ଧାମନଗର ଗସ୍ତ ପୂର୍ବରୁ ମାନ୍ୟବର ସଦସ୍ୟ ଭଦ୍ରକ ବ୍ଲକ୍‌ର ହରିପୁର ଖୁଣ୍ଟାସାହି, ଲାଙ୍ଗୁଡ଼ି, ଓକରା, ଗଂଜାମାଳ ବିଷ୍ଣୁପୁର ବିନ୍ଧା ଅଙ୍ଗନବାଡ଼ି ବୁଲି ତଦାରଖ କରିଥିଲେ । କିଛି ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିବା ସମସ୍ୟା ନେଇ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏ ସଂପର୍କରେ ସରକାରଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବାକୁ ମାନ୍ୟବର ସଦସ୍ୟ ପ୍ରତିଶ୍ରୁତି ଦେଇଥିଲେ ।