Odiapua.com

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍‌ର ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା କ୍ଷେତ ମଜଦୁର ୟୁନିୟନ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଯାଇଛି। ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀର ବୀର ସହୀଦ ଓ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବାସୀ ପ୍ରଣିପାତ ଜଣାଉଥିବାବେଳେ ଆମ ଦେଶର କୃଷକମାନଙ୍କୁ ଫସଲର ଅଧିକାର ଓ ଜମି ଅଧିକାରରୁ ବଂଚିତ କରାଯିବା, କୋଟି କୋଟି ବେକାର ଯୁବକ-ଯୁବତୀଙ୍କ କପାଳରେ ହିନ୍ଦୁତ୍ୱ ଚିହ୍ନ ଆଙ୍କିଦେଇ ଦେଶର ସମସ୍ତ କୋଠା, ସଂପତ୍ତି, ସମସ୍ତ ଜାତୀୟ ସଂପଦକୁ କୋଟିପତିମାନଙ୍କୁ ହାତକୁ ଟେକିଦେବା, ଜମି-ଜଂଗଲ-ନଦୀ-ସମୁଦ୍ର ବେଳାଭୂମି, ଖଣି, ପାହାଡ ଆଦି ସବୁକୁ ବିକ୍ରି କରିଦେବା, କେନ୍ଦ୍ର ସରକାର ରେଳ, ବ୍ୟାଙ୍କ, ବୀମା ଆଦି ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଘରୋଇକରଣ କରିଦେବା, ଅତୀତରେ ୧୯୮୦ ରୁ ୯୦ ଦଶକରେ ଦେଶର ହାରାହାରି ବର୍ଷକୁ ୧୦୦ ଦିନ କାମ ମୂଲିଆମାନେ ପାଉଥିଲେ। ମୋଦି ସରକାର ମେସିନ୍ ସାହାଯ୍ୟରେ କାମ କରି ମୂଲିଆମାନଙ୍କର କାମକୁ ୩୦ ଦିନ କମାଇଦେବା।

ଆମ ରାଜ୍ୟରେ ଶତକଡା ୫୪ ପ୍ରତିଶତ ଲୋକ ଭୂମିହୀନ ଅଟନ୍ତି, କ୍ଷେତ ମଜଦୁରମାନେ ସର୍ବନିମ୍ନ ମଜୁରୀ ପାଉନଥିବାର ପ୍ରତିବାଦ କରି କ୍ଷେତ ମଜଦୁରର ଏକ ପଟୁଆରା ବନ୍ତଛକରୁ ବାହାରି ପ୍ରଫୁଲ୍ଲ ପାଢୀ, ସେକ୍ ସିକ୍ରୁ, ଚନ୍ଦ୍ରଶେଖର ନାୟକ, ପିତାମ୍ବର ମଳିକ, ମହେଶ୍ୱର ନାୟକ, ବିକାଶ ନାଥ, ନିରଂଜନ ପାଣି, କାଳନ୍ଦୀ ପାତ୍ରଙ୍କ ନେତୃତ୍ୱରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା କରିଥିଲେ। ସିଟୁନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ବିଷ୍ଣୁ ଦାଶ, ସେକ୍ କମର, ସେକ କାଲୁ, ନରେନ୍ଦ୍ର ଦାସ, ଚକ୍ରଧର ପାତ୍ର, ବ୍ରହ୍ମାନନ୍ଦ ପରିଡା ପ୍ରମୁଖ କେନ୍ଦ୍ର ସରକାର ମନରେଗାରେ ମୂଲିଆଙ୍କୁ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜରୁରୀ ଦେବା, କୃଷି ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ପେନସନ, ଭୂମିହୀନମାନଙ୍କୁ ଜମି ଦେବା, ପୁରୁଷ ଓ ମହିଳାମାନଙ୍କୁ ସମାନ ମଜୁରୀ ଦେବା, ସମସ୍ତଙ୍କୁ ରେସନ୍ କାର୍ଡ ଜରିଆରେ ଖାଦ୍ୟସ୍ୟ ଯୋଗାଇବା, ଜଂଗଲ ଅଧିକାର ଆଇନ୍ ସଂଶୋଧନକୁ ବାତିଲ କରିବା, ଚୁଡା, ମୁଢି, ଦୁଗ୍ଧ, ଦହି ଛେନା ଓ ଗୁଡ ଉପରୁ ଜିଏସ୍‌ଟି ଲାଗୁକୁ ତୁରନ୍ତ ପ୍ରତ୍ୟାହାର କରିବା, ଭୂସଂସ୍କାର ଆଇନ୍‌କୁ ସଂଶୋଧନ କରି ଭାଗଚାଷୀମାନଙ୍କୁ ସ୍ୱୀକୃତି ଦିଆଯିବାକୁ ଦାବିକରି ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରଦାନ କରାଯାଇଛି।