Odiapua.com

ଓଡ଼ିଶା କ୍ରିକେଟ ଆସୋସିଏସନର ଭିଜନ ୨୦୨୪, ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ବିଜୟୀ

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ – ୨୦୨୪’କୁ ନେଇ ଆରମ୍ଭ ହୋଇଥିବା କ୍ଳବ କ୍ରିକେଟ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଳା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଭଦ୍ରକ ଆନ୍ତଃ ଜିଲ୍ଳା କ୍ଲବ କ୍ରିକେଟର ଆଜି ଦ୍ୱିତୀୟ ମ୍ୟାଚ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଜୟଭାନୁ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୦.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୯୧ ରନ କରିଥିଲା । ଦଳର ଦୀପକ ନାୟକ ୯୧, ସମ୍ବିତ ରାଉତ ୬୧, ସୌମ୍ୟ ରଂଜନ ବାରିକ ୩୬ରନ କରିଥିବା ବେଳେ ଚରମ୍ପା ଏକାଡେମୀର ସାହିଲ ଖାଁ ୪ଟି, କରୁଣାକର ବିନ୍ଧାଣୀ, ୨ଟି ଓ ଇମ୍‌ତିୟାଜ ଖାନ ଗୋଟିଏ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଚରମ୍ପା ଏକାଡେମୀ ଦଳ ମାତ୍ର ୧୯.୪ ଓଭରରେ ୧୧୪ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇ ମ୍ୟାଚକୁ ୧୭୭ରନ୍‌ରେ ହାରିଥିଲେ । ତେବେ ଚରମ୍ପା ଏକାଡେମୀ ପକ୍ଷରୁ ସାହିଲ ଖାଁ ଲଢୁଆ ବ୍ୟାଟିଂ କରି ୫୧ ରନ କରିଥିବା ବେଳେ ଜୀବନଜ୍ୟୋତି ବେହେରା ୨୪ ରନ ଓ ସତ୍ୟ ରାଉତ ୧୬ରନର ସହାୟତା ଯୋଗାଇଥିଲେ । ଅନ୍ୟପକ୍ଷରେ ପ୍ରତିପକ୍ଷ ବିଜୟଭାନୁ ଦଳର ସତ୍ୟପ୍ରକାଶ ସାହୁ ଘାତକ ବୋଲିଂ କରି ୩.୪ ଓଭରରେ ଗୋଟିଏ ମେଡେନ ସହ ମାତ୍ର ୧୨ ରନ ଦେଇ ପ୍ରମୁଖ ୬ଟି ଉଇକେଟ ଅକ୍ତିଆର କରି ଦଳର ବିଜୟ ରାସ୍ତା ପରିଷ୍କାର କରିଥିଲେ । ଅନ୍ୟତମ ଖେଳାଳୀ ଆଶୀର୍ବାଦ ଦେବଦର୍ଶୀ ଗୋଟିଏ ଉଇକେଟ ନେଇଥିଲେ । ଉନ୍ନତ ବୋଲିଂ ପାଇଁ ବିଜୟଭାନୁ କ୍ରିକେଟ ଏକାଡେମୀର ସତ୍ୟପ୍ରକାଶ ସାହୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।