Odiapua.com

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଭଦ୍ରକ ରେଲୱେ କ୍ରୀଡ଼ାଙ୍ଗନରେ ପିଚ୍ ନିର୍ମାଣ ଓ ଏକାଡ଼େମୀର ଭିତ୍ତି ସ୍ଥାପନ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସହଯୋଗରେ ପୂର୍ବତଟ ରେଳପଥ କ୍ରୀଡ଼ାଙ୍ଗନରେ ଏକ ଆନ୍ତର୍ଜାତୀୟ ମାନର କ୍ରିକେଟ୍ ପିଚ୍ ନିର୍ମାଣ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଏକାଡ଼େମୀର ପ୍ରତିଷ୍ଠା ନିମନ୍ତେ ଏକ ଉଦ୍‌ଘାଟନ ଉତ୍ସବ ଚରମ୍ପାସ୍ଥିତ ଅଗ୍ରୱାଲ୍ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଓ ଭଦ୍ରକ ଜିଲ୍ଲା ପ୍ରଶାସନ ମୁଖ୍ୟ ଡ଼ଃ ଜ୍ଞାନ ଦାସ ଅତିଥି ରୂପେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ଧୀରେନ ପଲାଇ ଜିଲ୍ଲା କ୍ରିକେଟ୍‌ର ସମୃଦ୍ଧି ନିମନ୍ତେ ଏ ପ୍ରକାର ପଦକ୍ଷେପ ନିଆଯାଇଥିବାରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସଂପାଦକ ସଂଜୟ ବେହେରାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସହ ଭଦ୍ରକ ଜିଲ୍ଲାର ଓ.ସି.ଏ. ଅନୁଗୃହିତ ‘ଭିଜନ୍‌-୨୦୨୪’ର ସଫଳ ରୂପାୟନ ନିମନ୍ତେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପୂର୍ଣ୍ଣ ଉଦ୍ୟମ କରିବ ବୋଲି ପ୍ରତିଶୃତି ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ପ୍ରସାର ପାଇଁ ପ୍ରାଥମିକତା ଦେଉଥିବାରୁ ବିଧାୟକ ହିସାବରେ ଭଦ୍ରକ ଜିଲ୍ଲାର କ୍ରିକେଟ୍ ସମେତ ସବୁ କ୍ରୀଡ଼ାର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ପ୍ରସ୍ତୁତ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ।

ଭଦ୍ରକରେ କ୍ରୀଡ଼ାର ଅଭିବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ସବୁବେଳେ ଅଗ୍ରାଧିକାର ଦେବ ବୋଲି ଜିଲ୍ଲାପାଳ ଡଃ ଦାସ ପ୍ରତିଶୃତି ଦେଇଥିଲେ । ଭର୍ଚ୍ୟୁଆଲ୍ ମୋଡ୍‌ରେ ଅନୁଷ୍ଠିତ ଏହି ଉତ୍ସବ ବାରବାଟୀ ଷ୍ଟାଡ଼ିୟମ୍‌ରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ସଂଯୋଜିତ ହୋଇଥିଲା । ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରମୁଖ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ ଆଇ.ଏ.ଏସ୍‌., ଫୁଟବଲ୍ ଆସୋସିଏନ୍ ଅଫ୍ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ରୂପେ ଯୋଗ ଦେଇ ତୃଣମୂଳ ସ୍ତରରେ କ୍ରିକେଟ୍‌ର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହା ସହିତ ଓଡ଼ିଶା କ୍ରିକେଟ୍ କୋଚ୍ ୱାସିମ୍ ଜାଫର୍‌, ଭାରତୀୟ କ୍ରିକେଟ୍‌ର ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଂଜୟ ରାଉଳ ‘ଭିଜନ୍‌-୨୦୨୪’ ପରିକଳ୍ପନା ଓଡ଼ିଶା କ୍ରିକେଟ୍‌ର କାୟା ପରିବର୍ତ୍ତନ କରିବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । କରୋନା କଟକଣା ମଧ୍ୟରେ ଆୟୋଜିତ ଏହି ଉତ୍ସବରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ୧୫ ଜଣ ସଦସ୍ୟ ଯୋଗ ଦେଇଥିଲେ ଓ ଏହି ଆନୁଷ୍ଠାନିକ ଉତ୍ସବଟି ଏକ ଘରୋଇ ପରିବେଶରେ ଅନୁଷ୍ଠିତ ହୋଇଥିଲା ।