Odiapua.com

ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଅବଶ୍ୟାମ୍ଭବୀ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ‘ମିଶ୍ରଣ ପର୍ବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବା କାର୍ଯ୍ୟକର୍ତାମାନଙ୍କୁ ଧନ୍ୟବାଦ
– ଓଡିଶାରେ ନଗଡ଼ା ଭଳି ସ୍ଥିତି ଉପୁଜିବା ତଥା ଶିଶୁମାନେ ଅପପୃଷ୍ଟିର ଶୀକାର ହେବା ଚିନ୍ତାଜନକ
– ଓଡ଼ିଶାରେ ନୂଆ ଜାଗରଣ ତିଆରି କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ନିରନ୍ତର ପରିଶ୍ରମ କରିବା ପାଇଁ ନିବେଦନ

ଭୁବନେଶ୍ୱର, ଏପ୍ରିଲ ୧୪ (ଓଡ଼ିଆ ପୁଅ) – ଆଗାମୀ ଦିନରେ ବିଜେପି କାର୍ଯ୍ୟକର୍ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଅବଶ୍ୟ ହେବ। ଏହାକୁ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଠାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ‘ମିଶ୍ରଣ ପର୍ବ’ରେ ଯୋଗଦେଇ ଯାଜପୁର ଜିଲ୍ଲା ଧର୍ମଶାଳାର ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ସ୍ମୃତିରେଖା ପହି ତଥା ଅନୁଗୁଳ ଛେଣ୍ଡିପଦାର ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ଲୋକମାନଙ୍କୁ ପିଇବା ପାଣି ଓ ମୌଳିକ ସୁବିଧା ମିଳୁନଥିବା ବେଳେ ରାଜ୍ୟରେ ନଗଡ଼ା ଭଳି ସ୍ଥିତି ଦେଖିବାକୁ ମିଳୁଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଶିଶୁମାନେ ଅପପୃଷ୍ଟିର ଶୀକାର ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ତେଣୁ ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବା ନୂତନ କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ଉପସ୍ଥିତି ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡ଼ିଶାର ରାଜନୀତିକୁ ପରିବର୍ତ୍ତନ କରିବା ଏବଂ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ। ଓଡ଼ିଶାରେ ନୂଆ ପରିବର୍ତ୍ତନ ତଥା ନୂଆ ଜାଗରଣ ତିଆରି କରିବା ପାଇଁ ଦଳ ପକ୍ଷରୁ ହେଉଥିବା ପ୍ରଚେଷ୍ଟାରେ କାର୍ଯ୍ୟକର୍ତା ମାନେ ନିରନ୍ତର ପରିଶ୍ରମ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।