Odiapua.com

ଓଡ଼ିଶାରେ କାମଧନ୍ଦା ନ ପାଇ ଗୁଜୁରାଟ ଫେରିଲେ ପ୍ରବାସୀ ଶ୍ରମିକ ଆସ୍କା ସୂତା କଳ ଓ ଟି ଏମ୍‌ ଖୋଲିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, ୧୫-୯ (ଓଡ଼ିଆ ପୁଅ) : କରୋନା ସଂକ୍ରମଣ ଆରମ୍ଭ ହେବାପରେ ପାଖାପାଖି ୭ଲକ୍ଷ ପ୍ରବାସୀ ଶ୍ରମିକ ଗୁଜୁରାଟ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁର, ହାଇଦ୍ରାବାଦ୍ ଓ ମୁମ୍ବାଇରୁ ଓଡ଼ିଶା ଫେରିଥିଲେ। ମାର୍ଚ୍ଚରୁ ସେପ୍ଟେମ୍ବର ୬ ମାସ ଭିତରେ ସେମାନଙ୍କୁ କୌଣସି ରୋଜଗାର ମିଳିଲା ନାହିଁ। ଫଳରେ ଭୋକର ଦାଉକୁ ସହି ନପାରି କରୋନା ସଂକ୍ରମଣକୁ ବେଖାତିର କରି ହଜାର ହଜାର ଶ୍ରମିକ ପୁଣି ଓଡ଼ିଶା ଛାଡ଼ିବା ପାଇଁ ବାଧ୍ୟ ହୋଇଛନ୍ତି। ଗତକାଲିଠାରୁ ଗୁଜୁରାଟକୁ ଚାଲିଥିବା ତିନୋଟି ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ପାଖାପାଖି ୫ ହଜାର ଶ୍ରମିକ ଗୁଜୁରାଟ ଫେରିଲେଣି। ଆହୁରି ମଧ୍ୟ ଆଗାମୀ ମାସେ ପର୍ଯ୍ୟନ୍ତ ଏହି ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ସମସ୍ତ ଟିକେଟ୍‌ର ବୁକିଂ ଶେଷ ହୋଇଯାଇଛି। ଏହାବ୍ୟତୀତ ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ଚେନ୍ନାଇ ଭଳି ସହରକୁ ପ୍ରତିଦିନ ଶହଶହ ଶ୍ରମିକ ଓଡ଼ିଶାରୁ ଯିବାରେ ଲାଗିଛନ୍ତି। ଓଡ଼ିଶା ସରକାର ତୁରନ୍ତ ଏହି ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ନ ଦେଲେ ଆଗାମୀ ଦିନରେ ଆହୁରି ହଜାର ହଜାର ଶ୍ରମିକ ବିଭିନ୍ନ ସହରକୁ କାମଧନ୍ଦା ଅନ୍ୱେଷଣରେ ଚାଲିଯିବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଓଡ଼ିଆ ଶ୍ରମିକମାନଙ୍କର ଦାଦନ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତକାଲି ଗଞ୍ଜାମର ଦିଗପହଣ୍ଡିଠାରେ ଶୁଭ ଦେଇଥିବା ସୂତା କାରଖାନାକୁ ସେ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆସ୍କା ସୂତାକଳ, ଚୌଦ୍ୱାରଠାରେ ପ୍ରତିଷ୍ଠିତ ଓ-ଟି-ଏମ୍‌- ଖୋର୍ଦ୍ଧା, ତିର୍ତ୍ତୋଲ ଓ ବାଲିଆପାଳଠାରେ ଥିବା ସୂତାକଳକୁ ତୁରନ୍ତ ଖୋଲିବା ପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି। ଦାଦନ ଖଟୁଥିବା ଓଡ଼ିଆ ଶ୍ରମିକ ସୁରଟର ସୂତା କଳ ମାଲିକଙ୍କର ବ୍ୟକ୍ତିଗତ ସମ୍ପତ୍ତି ବଢାଇବାରେ ସହାୟକ ହେଉଥିଲାବେଳେ ଓଡ଼ିଶାରେ ଏହିସବୁ ସୂତାକଳ ଖୋଲାଯାଇପାରନ୍ତା, ତା’ହେଲେ ସେ ଆମ ରାଜ୍ୟରେ କାମ ପାଇପାରନ୍ତା। କାମଧନ୍ଦା ଅନ୍ୱେଷଣରେ ଛୁଆପିଲାଙ୍କୁ ଧରି ଡହଳ ବିକଳ ହୋଇ ସେ ପୁଣି ଥରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତା ନାହିଁ। ଦାଦନରେ ଏହି ଦାରୁଣ ଚିତ୍ରକୁ ହୃଦୟଙ୍ଗମ କରି ତୁରନ୍ତ ରାଜ୍ୟ ସରକାର ଏହିସବୁ ସୂତାକଳ ଖୋଲି ରାଜ୍ୟର ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଶ୍ରୀ ବେହେରା ତାଙ୍କ ଚିଠିରେ ଦାବି କରିଛନ୍ତି।