Odiapua.com

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) ବିଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୫ଟି ଟ୍ୟାଙ୍କର୍ ଯୋଗେ ୨୫୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା ଏବଂ ଯାଜପୁର ଜିଲ୍ଲାରୁ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ), ହାଇଦ୍ରାବାଦ୍‌ (ତେଲେଙ୍ଗାନା), ଇନ୍ଦୋର (ମଧ୍ୟପ୍ରଦେଶ), ପୁନେ, ମୁମ୍ବାଇ ଓ ନାଗପୁର( ମହାରାଷ୍ଟ୍ର)କୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଥାଉ କି, ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ୨ଟି ଟ୍ୟାଙ୍କର୍ ଅନୁଗୁଳରୁ ବିଶାଖାପାଟଣା ଏବଂ ଯାଜପୁରରୁ ଗାଜିଆବାଦ୍ ଏବଂ ବିଶାଖାପାଟଣାକୁ ଅକ୍ସିଜେନ୍ ପଠାଯିବାର ବ୍ୟବସ୍ଥା କରାଯାଇଛି।

ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।