Odiapua.com

ଓଡ଼ିଶାରୁ ଗାନ୍ଧୀ ସ୍ୱପ୍ନ ପୂରଣ ପାଇଁ ପ୍ରୟାସ ଆରମ୍ଭ ହେଉ – ସଂଜୟ ସିଂହ

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହେ ବର୍ଷ ତଳେ ଓଡ଼ିଶାକୁ ଆସିଥିବା ମୋହନ ଦାସ ଏଠାକାର ପରିସ୍ଥିତି ଓ ପରିବେଶକୁ ଦେଖି ନିଜକୁ ବଦଳାଇ ଦେଲେ ଅଧା ଲଙ୍ଗଳା ଫକୀର ବେଶରେ । ସବୁଠାରୁ ତଳ ମଣିଷ ସହ ପୋଷାକ, ଜୀବନ ଚଳଣିରେ ଏକାକାର ହାଇ ପାରିଥିବା କାରଣରୁ ଆଜି ଦୁନିଆ ତାଙ୍କୁ ମହାତ୍ମା ରୂପରେ ଜାଣୁଛି । ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ଯେ ମୋହନଙ୍କୁ ମହାତ୍ମାରେ ପରିଣତ କରିଛି ତାହା ସାରା ଦୁନିଆ ଜାଣେ । ଆଜି ଭାରତରେ ଗାନ୍ଧୀ ବିରୁଦ୍ଧରେ ଏକ ବାତାବରଣ ନିର୍ମାଣ ଚାଲିଛି । ମଧ୍ୟପ୍ରଦେଶରେ ଗାନ୍ଧୀ ଫଟୋକୁ ଗୁଳି ମରାଯାଉଥିବା ବେଳେ ଶହେ ବର୍ଷ ତଳେ ଏଠାକୁ ଆସିଥିବା ସେହି ମହାତ୍ମାଙ୍କ ସ୍ମତିରେ ଓଡ଼ିଶା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଓଡ଼ିଶାବାସୀଙ୍କୁ ମୁଁ ଆହ୍ୱାନ କରୁଛି ଗାନ୍ଧୀଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ସେମାନେ ନେତୃତ୍ୱ ନିଅନ୍ତୁ ବୋଲି ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ସଞ୍ଜୟ ସିଂହ ମତ ପ୍ରକାଶ କରିଛନ୍ତି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜ୍ୟ ସ୍ୱାଦୀନତା ସଂଗ୍ରାମୀ ସମିତି ଆନୁକୂଲ୍ୟରେ ମହାତ୍ମାଙ୍କ ଭଦ୍ରକ ଆଗମନର ସ୍ମୃତିରେ ଭଦ୍ରକ ଜିଳ୍ଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ସଭାରେ ଶ୍ରୀ ସିଂହ ଏହା କହିଛନ୍ତି । ଏହି ସଭାରେ ପ୍ରତିଷ୍ଠାନ ସମ୍ପାଦକ ତୁଷାରକାନ୍ତି ମହାନ୍ତି ସଂଯୋଜନା କରିଥିଲେ ।