Odiapua.com

ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ପାଇଁ କଂଗ୍ରେସ ଦଳର ଶପଥପାଠ ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନ ସହିତ ବିଭିନ୍ନ ସାମାଜିକ କୁପ୍ରଥା ବିରୋଧରେ ମଧ୍ୟ ତାଙ୍କର ସଂଗ୍ରାମ, ଜୀବନର ଶେଷ ପର୍ଯ୍ୟନ୍ତ ଚଳାଇ ରଖିଥିଲେ। ତା’ ମଧ୍ୟରେ ନିଶା ନିବାରଣ ଅନ୍ୟତମ। କାରଣ ଏହା ଏମିତି ଏକ ବ୍ୟାଧି ଯାହା କେବଳ ଦରିଦ୍ରତା ଓ ରୋଗର କାରଣ ନୁହେଁ, ସାମାଜିକ ହିଂସାର ମଧ୍ୟ କାରଣ। ସେଥିପାଇଁ ମହାତ୍ମା ଗାନ୍ଧୀ ମଦ ଏବଂ ନିଶା ନିବାରଣ ପାଇଁ ସଂଗ୍ରାମକୁ ସ୍ୱାଧୀନତାର ଆନ୍ଦୋଳନ ସହିତ ଯୋଡିଥିଲେ। ଓଡ଼ିଶାରେ ଆଜି ମଦ ଏବଂ ନିଶାର ପ୍ରାବଲ୍ୟ ସମସ୍ତଙ୍କୁ ଅତିଷ୍ଠ କରି ସାରିଲାଣି। ମଦ, ଗଞ୍ଜେଇ, ଚରସ, ବ୍ରାଉନ ସୁଗାର ଇତ୍ୟାଦି ଆଜି ଓଡ଼ିଶାର ଯୁବ ସମାଜକୁ କବଳିତ କରିସାରିଲାଣି। ଏଥିପାଇଁ ବିଭିନ୍ନ ପ୍ରକାରର ହିଂସା ବିଶେଷ କରି ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ସୀମା ଲଂଘି ସାରିଲାଣି। ଓଡ଼ିଶାର ଜନସାଧାରଣଙ୍କୁ ଏଥିରୁ ମୁକ୍ତି ଦେବା ଆଜି ଦିନରେ ଅତ୍ୟନ୍ତ ଜରୁରୀ ବୋଲି ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଜିଲ୍ଲା କଗ୍ରେସ ସଭାପତି ସୁବତ୍ର ଦାସ କହିଛନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ତିରୋଧାନ ଦିବସ ପାଳନ ଅବସରେ ସେ ଆହୁରି କହିଥିଲେ କି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ପାଳନ ସାରା ରାଜ୍ୟ କରୁଛି। ଗାନ୍ଧିଜୀଙ୍କ ମୂଳମନ୍ତ୍ର ନିଶା ନିବାରଣ ପରିପ୍ରେକ୍ଷୀରେ ରାଜ୍ୟ ସରକାର ତୁରନ୍ତ ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରନ୍ତୁ ବୋଲି ଦାବି ଉପସ୍ଥାପନ କରାଯାଇଥିଲା। ଏହି ମର୍ମରେ କଂଗ୍ରେସ କର୍ମୀମାନେ ନିଜକୁ ନିଶାମୁକ୍ତ ରଖିବା ପାଇଁ ଶପଥପାଠ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ଅବଦୁଲ ମୁକିତ ଖାଁ, ଦିଲିପ ନାୟକ, ରଜନୀକାନ୍ତ ଚାନ୍ଦ, ରାଜକିଶୋର ସ୍ୱାଇଁ, ସେକ୍ ସମଦାନୀ, ପ୍ରଦ୍ୟୁମ୍ନ ଦାସ, ନିଶିକାନ୍ତ ନାୟକ, ଅନନ୍ତ ପଣ୍ଡା, ପୀତବାସ ଧଳ, ରାଜନ ଲାହା, ସେକ୍ ଜୁଲଫୁକାର ଅଲୀ, ବିଜୟ ବାରିକ, ରାଜକିଶୋର ପଣ୍ଡା, ସେକ୍ ଜଫିରୁଦ୍ଦିନ, ସେକ୍ ଇଲିୟାସ, ସେକ୍ ଜିକୁ, ସେକ୍ ଲାଲୁ, ଚିଦ୍ଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।