Odiapua.com

ଓଡ଼ିଆ ଭାଷା ସାହିତ୍ୟର ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ର – ରାଜ୍ୟପାଳ

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଆ ଭାଷା ସାହିତ୍ୟର ବିରଳ ପ୍ରତିଭା ତଥା ସବୁଠାରୁ ଅଧିକ ପୁସ୍ତକ ରଚନା କରି ସାହିତ୍ୟ ଜଗତରେ ଇତିହାସ ସୃଷ୍ଟି କରିଛନ୍ତି ପଣ୍ଡିତ ଦୈତ୍ୟାରି ମହାପାତ୍ର । ସର୍ବଶକ୍ତିମାନ କର୍ମକାରୁଣିକ ମଙ୍ଗଳମୟ ପରମେଶ୍ୱର ବାଗ୍‌ଦେବୀ ମା’ ସରସ୍ୱତୀ ଏବଂ ସିଦ୍ଧିଦାତା ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ନଥିଲେ ଏତେଗୁଡିଏ ପୁସ୍ତକ ରଚନା କରିବା ଜଣେ ସାଧରଣ ମଣିଷ ପକ୍ଷେ ସମ୍ଭବ ହୋଇପାରିନଥାନ୍ତା । ସବୁ ସେହି ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଇଚ୍ଛା । ଶ୍ରୀ ମହାପାତ୍ରଙ୍କ ଦୁଇଖଣ୍ଡ ପୁସ୍ତକ ଭିଜନ ପବ୍ଲିକେଶନ, କଟକ ଦ୍ୱାରା ପ୍ରକାଶିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ କୋଟି ମାନସ କନ୍ୟା ଦ୍ରୌପଦୀ ମୁର୍ମୁ ରାଜଭବନ ସ୍ୱକାର୍ଯ୍ୟାଳୟରେ ଲୋକାର୍ପଣ କରି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜକୁ ଧନ୍ୟ ମନେ କରିବା ସହିତ ତାଙ୍କ ଲେଖନୀ ଚାଳନା ଆହୁରି ଶକ୍ତିଶାଳୀ ହେଉ ବୋଲି କହିଥିଲେ । ଆହୁରି ମଧ୍ୟ ରାଜ୍ୟପାଳ କହିଥିଲେ ଧର୍ମ ସାହିତ୍ୟର ଅନନ୍ୟ ସ୍ରଷ୍ଟା ଶ୍ରୀରାମ ଶର୍ମା ୩ ହଜାର ପୁସ୍ତକ ରଚନା କରି ଭାରତରେ ସର୍ବାଧିକ ପୁସ୍ତକ ରଚନା କରିଥିବାବେଳେ ଶ୍ରୀ ମହାପାତ୍ର ୩ ହଜାର ୨ ଶହ ରୁ ଅଧିକ ପୁସ୍ତକ ରଚନା କରି ବିଶ୍ୱ ସାହିତ୍ୟ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

ସର୍ବଶକ୍ତିମାନ ପରମେଶ୍ୱରଙ୍କ କୃପାରୁ ହିଁ ଏହା ସମ୍ଭବ । ଏକ ଅଦୃଶ୍ୟ ଶକ୍ତିର ପ୍ରତ୍ୟେକ୍ଷ ଆଶୀର୍ବାଦ ଯେ ପଣ୍ଡିତଙ୍କ ଉପରେ ଅଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଏହାକହି ମହାମହିମ ରାଜ୍ୟପାଳ ବିଶିଷ୍ଟ ଲେଖକଙ୍କୁ ଏକ କଲମ, ଶ୍ରୀମଦ୍ ଭଗବତ ଗୀତା ଏବଂ ସ୍ୱାମୀ ବିବେକାନନ୍ଦ ପୁସ୍ତକ ଅର୍ପଣ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ । ପ୍ରକାଶ ଥାଉକି ଏହାପୂର୍ବରୁ ଶ୍ରୀ ମହାପାତ୍ରଙ୍କ ୪୬ଖଣ୍ଡ ପୁସ୍ତକକୁ ମହାମହିମ ରାଜ୍ୟପାଳ ରାଜଭବନରେ ଲୋକାର୍ପଣ କରି ଏକ ନୈଶ୍ୟ ଭୋଜିରେ ଆୟୋଜନ କରି ଲେଖକଙ୍କ ଜୀବନ ଯାତ୍ରା ସଂପର୍କରେ ଦୀର୍ଘ ସମୟ ଆଲୋଚନା କରିଥିଲେ । ଗତ ନଭେମ୍ବର ୧୭ ତାରିଖ ଦିନ ରାଜଭବନରେ ରାଜ୍ୟପାଳ ଶ୍ରୀ ମହାପାତ୍ରଙ୍କୁ ଏକ ତୁଳସୀ ଚଉରା ସହିତ ଉତ୍ତରୀୟ ଦେଇ ଭାଷା ସାହିତ୍ୟର ଜଣେ ବିରଳ ପ୍ରତିଭା ଭାବେ ସମ୍ମାନିତ କରିଥିଲେ । ଆଜି ଏହି ଲୋକାର୍ପଣ ଅବସରରେ ବିଶିଷ୍ଟ ଚିକିତ୍ସକ ତଥା ସାହିତ୍ୟିକ ଡାକ୍ତର କିରଣ ଚନ୍ଦ୍ର ଗୁଇଁଙ୍କ ରଚିତ ‘ପଥିକର ଅନୁଚିନ୍ତା’ କବିତା ପୁସ୍ତକକୁ ମହାମହିମ ରାଜ୍ୟପାଳ ଲୋକାର୍ପଣ କରି ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସମାଜ ସଂସ୍କାରକ ତଥା ସମାଜସେବୀ ଗଦାଧର ବରାଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ରାଜ୍ୟପାଳଙ୍କ ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବିଶିଷ୍ଟ କବି ରକ୍ଷକ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।