Odiapua.com

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଉତ୍କଳିକା କ୍ଲବ ଓ ଜଗନ୍ନାଥପୁର କ୍ରିକେଟ କ୍ଲବ ବିଜୟୀ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆୟୋଜିତ ହୋଇ ଚାଲୁଥିବା ଆନ୍ତଃ ଜିଲା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଚରମ୍ପା ରେଲୱେ ପଡ଼ିଆଠାରେ ଆଜି ଚାନ୍ଦବାଲି ସ୍ପୋର୍ଟ୍‌ସ ଆସୋସିଏସନ ଓ ଉତ୍କଳିକା କ୍ଲବ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଚାନ୍ଦବାଲି ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୯.୧ ଓଭରରେ ୨୧୬ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଶାଶ୍ୱତ ଚନ୍ଦ୍ର ଦାସ ୭୦, ନିର୍ମଳ ବିଶ୍ୱାଳ ୫୭, ବିଶ୍ୱରଂଜନ ରାୟ ୨୬ ରନ କରିଥିଲେ । ଉତ୍କଳିକା କ୍ଲବ ପକ୍ଷରୁ ଦେବାଶିଷ ଗିରି ୫ଟି, ଚନ୍ଦ୍ରଶେଖର ବେହେରା ୩ଟି, ସତ୍ୟ ସୁନ୍ଦର ମହାକୁଡ଼ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଉତ୍କଳିକା କ୍ଲବ ରଶ୍ମି ରଂଜନ ମହାକୁଡ଼ ଶତକୀୟ ଇନିଙ୍ଗ୍‌ସ ବଳରେ ୨୫.୨ ଓଭରରେ ମାତ୍ର ୨ଟି ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ରଶ୍ମି ରଂଜନ ୧୦୦, ସତ୍ୟ ରଂଜନ ଦାସ ୬୭, ଦିବ୍ୟଜ୍ୟୋତି ପଣ୍ଡା ୨୨ ରନ କରିଥିଲେ । ଚାନ୍ଦବାଲି ସ୍ପୋର୍ଟସ୍ ଆସୋସିଏସନ ପକ୍ଷରୁ ଆଶୁତୋଷ ବେହେରା ଦୁଇଟି ଯାକ ଉଇକେଟ ନେଇଥିଲେ ।

ଉତ୍କଳିକା କ୍ଲବ ୮ ଉିକେଟରେ ମ୍ୟାଚ ଜିତିଥିଲା । ଉତ୍କଳିକା ଦଳର ୫ ଉଇକେଟ ନେଇଥିବା ଦେବାଶିଷ ଗିରିଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଲଲାଟ କେଶରୀ ନନ୍ଦ ଓ ପ୍ରଦିପ୍ତ କୁମାର ନାୟକ ଅମ୍ପାୟାର ଥିଲେ । ଆଜିର ଦ୍ୱତୀୟ ମ୍ୟାଚ ଭଦ୍ରକ କଲେଜ ପଡ଼ିଆରେ ଖେଳା ଯାଇଥିଲା । ଏହି ମ୍ୟାଚଟି ଗାନ୍ଧୀ କ୍ଲବ ଓ ଜଗନ୍ନାଥପୁର କ୍ରିକେଟ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ଗାନ୍ଧୀ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୨.୪ ଓଭରରେ ୧୮୫ ରନ କରି ଅଲ୍ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସୁରଜିତ ସାହୁ ୩୧, ଦିବ୍ୟଜ୍ୟୋତି ସାହୁ ୨୨, ସନ୍ଦିପ ମହାକୁଡ଼ ୨୧ ଓ ଅନନ୍ତ ନାୟକ ୨୧ ରନ କରିଥିଲେ । ଜଗନ୍ନାଥପୁର କ୍ରିକେଟ କ୍ଲବ ପକ୍ଷରୁ ସତ୍ୟକାମ ଭରଦ୍ୱାଜ ୪ଟି, ବିଶ୍ୱନାଥ ନାୟକ ୨ଟି ଓ କ୍ଷମାସାଗର ବଳ ୨ଟି ଉଇକେଟ ନେଇଥିଲେ । ଜଗନ୍ନାଥପୁର କ୍ରିକେଟ କ୍ଲବ ୧୮୬ ରନ ପିଛା କରି ୨୧.୧ ଓଭରରେ ୯ ଉଇକେଟ ହରାଇ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସମ୍ବିତ ସାମଲ ୩୫, ଶାନ୍ତନୁ ଦାସ ୨୯, ଜୀତେନ୍ଦୁ ଭୋଇ ୨୭, କ୍ଷମାସାଗର ବଳ ୨୪ ରନ କରିଥିଲେ । ଗାନ୍ଧୀ କ୍ଲବ ପକ୍ଷରୁ ନୀର୍ଣ୍ଣେକ ଘୋଷ ୪ ଓ ଆଦିତ୍ୟ କୁମାର ସାହୁ ୩ଟି ଉଇକେଟ ନେଇଥିଲେ । ସତ୍ୟକାମ ଭରଦ୍ୱାଜଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମ୍ୟାଚକୁ ସାର୍ଥକ ବିଶ୍ୱାଳ ଓ ଦେବବ୍ରତ ଦାଶ ଅମ୍ପାୟାର ଭାବେ ପରିଚାଳନା କରିଥିଲେ ।