Odiapua.com

ଓସାକା ହାଇଦ୍ରାବାଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ, ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

ସମ୍ବଲପୁର, ୦୬/୧୦ (ଓଡ଼ିଆ ପୁଅ/ସରୋଜ ସାହୁ): ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ ଭରଚୁଆଲରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ “ଗାଁ ନୁ ଗ୍ଲୋବାଲ” ବାର୍ତ୍ତା ମାଧ୍ୟମରେ ପଶ୍ଚିମ ଓଡିଶାର ଗ୍ରାମାଚଂଲର ହଜିଯାଉଥିବା ଲୋକକଳାକୁ “ଓସାକା” ପ୍ରାଧାନ୍ୟ ଦେଇଥିଲା। ମୁଖ୍ୟ ଅତିଥି ଓଟିଡିସି ଚେୟାରମେନ୍ ଶ୍ରୀମୟୀ ମିଶ୍ର ତାଙ୍କ ବାର୍ତ୍ତା ମାଧ୍ୟମରେ ସମ୍ବଲପୁରୀ-କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନୀତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ସହ ପଶ୍ଚିମ ଓଡିଶାର ଦର୍ଶନୀୟ ପୀଠର ଉନ୍ନତି ବିଷୟରେ ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ପଦ୍ମଶ୍ରୀ ହଲଧର ନାଗ, ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟକାର କେଶରଂଜନ ପ୍ରଧାନ, ସାହିତ୍ୟିକ ମୋହନ ସାହୁ, ଅଧ୍ୟାପକ ଡ. ସଂଜୟ ମିଶ୍ର, ନାଟ୍ୟକାର ଚୁଡାମଣି ରଥ, ସଂଗୀତଜ୍ଞ ସର୍ବେଶ୍ୱର ଭୋଇ ପ୍ରମୁଖ ପଶ୍ଚିମ ଓଡିଶାର କଳା ସଂସ୍କୃତିର ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ। ବରଗଡ ଧନୁଯାତ୍ରାର କଂସ ମହାରାଜ ଭୁବନେଶ୍ୱର ପ୍ରଧାନ ମଧ୍ଯ ନୁଆଁଖାଇ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲୁପ୍ତପ୍ରାୟ ହୁମୋ ବଉଲି, ଘୋଡାନାଚ, ଧୁନକେ‌ଲ, ଝୁମେର, ଦେବଗୁନିଆ, ସିଂ ବଜା, ପାଏନ୍ ର୍ପଣ, ଓରାମ ନାଚ, ର୍ଜଣା, ଶିଶୁ ଘୁମୁରା, ଧୂପ୍ କେଲ, ବାଡି ଖେଲ, ଘୁକ୍‌, ବାହାଳ, ପୁରୁଣା ଗଣ୍ଡାବଜା, ଭାଲୁ ର୍ବଏସି, ଷୋହଲ ସୁଆଙ୍ଗ ହର-ପାର୍ବତୀ, କୃଷ୍ଣଗୁରୁ, ଲଙ୍କାପୁଡି ପରମ୍ପରା ଆଦି ଲୋକ ସଂସ୍କୃତି କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ସହ ପଶ୍ଚିମ ଓଡିଶାର କିଛି ଦର୍ଶନୀୟ ପୀଠ ଯଥା ରାଣୀପୁର ଝରିଆଲ, ବାର ପାହାଡର ବାର ବଖରା, ନୁଆଁପାଲି ସ୍ଥିତ ନବପ୍ରଭାତ ଗୁରୁକୁଲ, କଣ୍ଠେଶ୍ଵରପୁର ର ଐତିହ୍ୟ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ପ୍ରଥମଥର ପାଇଁ “ ନିଆରା ନୁଆଁଖାଇ” ତଥା “ପିଠାମଡା’ ପ୍ରତିଯୋଗିତା ସହ ଝୁଟି କଳା ପ୍ରଦର୍ଶନ ଏବଂ ଶିଶୁ ମାନଙ୍କ ପାଇଁ “ ମାଟିର ମେଧା” ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଶିଷ୍ଟ ଚିତ୍ରକାର ପ୍ରଶାନ୍ତ ମାଝୀ, ଡା. କେଦାର ପଟେଲ, ନିର୍ମଳ ବରିହା, ଚୌଧୁରୀ ବିଭାର, ବିମୋହିନୀ ପାଣିଗ୍ରାହୀ, ପୁଷ୍ପାଞ୍ଜଳୀ ସାହୁ, କ୍ରିଷ୍ଣା ଦାସ ପ୍ରମୁଖ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର ବିଜେତା ଘୋଷଣା କରିବା ସହ ସୁଦୁର ଆମେରିକା, ନିଉଜିଲାଣ୍ଡର ପ୍ରତିଯୋଗୀ ମାନଙ୍କୁ ବିଶେଷ ଜୁରୀ ପୁରଷ୍କାର ପ୍ରଦାନ କରିଥିଲେ। ପଦ୍ମଶ୍ରୀ ହଲଧର ନାଗଙ୍କ ଧୂନକେଲ

ପରିବେଷଣ, ସର୍ବେଶ୍ୱର ଭୋଇଙ୍କ ନାଚ ଗୀତ ସହ ଘୁମୁରା ପ୍ରଦର୍ଶନ, କୃଷ୍ଣପ୍ରିୟା କଲାପରିଷଦ ସାନବଡଙ୍କ ମନୋହରା ଘୁଡା଼, ଗୁଣ ରଞ୍ଜନ ସାଲିମାଙ୍କ ହାସ୍ୟବ୍ୟଙ୍କ ତଥା କମେଡି କିଙ୍ଗ ଯୋଗେଶ ଯୋଯୋ, କେଦାର ପଟେଲ, ବାହାକ ଜଗନ୍ନାଥ ମୁଦୁଲି ଏବଂ ଅର୍ଜୁନ କୁମାର ସାହୁଙ୍କ ମିଳିତ ଉପସ୍ଥାପନା ଶୈଳୀ ଲୋକମାନଙ୍କର ମନ ମୋହି ନେଲା। ସିନେ ନିର୍ମାତା କେ ତମନ୍ନା, “ଝୋଲାଛାପ୍” ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପଶ୍ଚିମ ଓଡିଶାର ଯୁବ କଳାକାର ମାନଙ୍କର ମେଧାକୁ ବଲିଉଡ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଚେଷ୍ଟା ସହ ଗ୍ରାମାଂଚଲର ମହାନ ସଂସ୍କୃତି ପରମ୍ପରାର ଐତିହକୁ ସିନେମା ମାଧ୍ୟମରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ପ୍ରୟାସ କରିବେ ବୋଲି ବାର୍ତ୍ତା ଦେଇଥିଲେ। “ ମା ମାଟିର ଜୁଇଜ୍” ପ୍ରୋଗ୍ରାମ ଲୋକମାନଙ୍କର ମନ୍ତ୍ରରେ ବିଶେଷ ଉତ୍ସୁକତା ପ୍ରଦାନ ସହ ଶିଶୁ କଳାକାର ଆୟୁଷ ବାଗ, ଲୋପାମୁଦ୍ରା ବାଗ୍, ଶ୍ରୀୟା ତ୍ରିପାଠୀ, ଶୁଭଶ୍ରୀ ସାହୁ ତଥା ଉଦୀୟମାନ କଲାକାର ଅଗ୍ନି ମାହନନ୍ଦଙ୍କର କଲା ପ୍ରଦର୍ଶନ ମନୁଛୁଆଁ ଥିଲା। ଏହି କାର୍ଯ୍ୟକ୍ରମରେ “ଓସାକା” ତରଫରୁ ପଶ୍ଚିମ ଓଡିଶା ଯୁବାମଂଚ କୁ “ସାଭିମାନୀ ସଂଗଠନ ସମ୍ମାନ” ଏବଂ ଯୁବ କଲାକାର ତଥା କବି ଅର୍ଜୁନ କୁମାର ସାହୁଙ୍କୁ “ଯୁବ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା। “ଓସାକା’ର ସଭାପତି ରାମକୃଷ୍ଣ ବାରିକ, ସଂପାଦକ ଦେବେନ୍ଦ୍ର ସାମଲ ଏବଂ ଉପ-ସଭାପତି ଶଙ୍କର ସାହୁ ପଶ୍ଚିମ ଓଡିଶାର ଗ୍ରାମାଚଂଲର ମହାନ ଲୋକକଲା ନୃତ୍ୟ ସଂଗୀତ ସଂସ୍କୃତିକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କେମିତି ବଂଚା ଯାଇ ପାରିବ ଏବଂ “ଗାଁ ରୁ ଗ୍ଲୋବାଲ” ପର୍ଯ୍ୟନ୍ତ ପହଁଚି ପାରିବ ସେଥିପାଇଁ ଆଗାମୀ ଦିନରେ “ଓସାକା” ହାଇଦ୍ରାବାଦର ପ୍ରଚେଷ୍ଟା ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି।