Odiapua.com

ଓରିଏଣ୍ଟାନ ଇନ୍ସ୍ୟୁରାନ୍ସକୁ ୧୬ ଲକ୍ଷ ୨୦ ହଜାର ବୀମାରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଖାଉଟି ସୁରକ୍ଷା କମିଶନ ଦୁର୍ଘଟଣାରେ ମୃତ ମୋଟର ସାଇକେଲ୍ ଆରୋହୀଙ୍କୁ ଏକମାସ ମଧ୍ୟରେ ୧୫ ଲକ୍ଷ ଜୀବନ ବୀମା ରାଶି ସହ ଜରିମାନା ବାବଦ ୧ ଲକ୍ଷ ଓ ମୋକଦ୍ଦମା ଖର୍ଚ୍ଚ ବାବଦ ୨୦ ହଜାର ଟଙ୍କା ୧ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମର ସୁଦର୍ଶନ ମାଝୀଙ୍କ ପୁତ୍ର ସଂଗ୍ରାମ କେଶରୀ ମାଝୀ ଏକ କେଟିଏମ୍ ବାଇକ୍ ଓଡି୨୨ପି-୫୧୮୭ କୁ ବାଜାଜ୍ ଫାଇନାନ୍ସ କଂପାନୀରୁ କିସ୍ତିରେ କ୍ରୟ କରି ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସରେ ବୀମାଭୁକ୍ତ କରିଥିଲେ। ବୀମାର ଅବଧି ତା ୧୪.୦୫.୨୦୧୯ ରୁ ୧୩.୦୫.୨୪ ରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ସଂଗ୍ରାମ ନିଜର କର୍ମସ୍ଥଳ ପଶ୍ଚିମବଙ୍ଗର ଆସାନସୋଲରୁ ସେହି ବାଇକ୍‌ରେ ଗତ ତା ୧୩.୦୬.୧୯ ରିଖରେ ୬୦ ନଂ ଜାତୀୟ ରାଜପଥରେ ଘରକୁ ଫେରୁଥିବାବେଳେ ମେଦନାପୁର ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ୍ ଓଡି୨୯-୪୬୯୦ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଭାବରେ ନିକଟସ୍ଥ ମେଦନାପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ତା ପରଦିନ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସଂଗ୍ରାମର ପିତାଙ୍କ ଅଭିଯୋଗ ଆଧାରରେ ମିଦନାପୁର ଥାନା କେଶ୍ ନଂ ୪୭୮/୧୯ ଏକ ମାମଲା ରୁଜୁ ହୋଇଥିଲା। ତା ପରେ ଦୁର୍ଘଟଣା ଜନିତ ବୀମାରାଶିକୁ ପାଇବା ପାଇଁ ସଂଗ୍ରାମଙ୍କ ପିତା ସୁଦର୍ଶନ ବାରମ୍ବାର ଓରିଏଣ୍ଟାଲ ବୀମା କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେବା ପରେ ବାଧ୍ୟହୋଇ ସେ ଭଦ୍ରକ ଜିଲା ଖାଉଟି କମିଶନଙ୍କ ନିକଟରେ ଓରିଏଣ୍ଟାଲ ବୀମା କଂପାନୀ ବିରୋଧରେ ସିଡି କେଶ୍ ନଂ ୭୧/୨୧ ରେ ଏକ ମାମଲା ରୁଜୁ କରିଥିଲେ। ଉଭୟଙ୍କ ଠାରୁ ଶୁଣିବା ପରେ ଆଜି ମାନ୍ୟବର କମିଶନ ବୀମା କଂପାନୀର ମନମୁଖୀ କାମକୁ ନାପସନ୍ଦ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏତେ ପରିମାଣରେ ବୀମା କ୍ଷତି ପୂରଣ ଦେବା ଭଦ୍ରକ ଖାଉଟି ଅଦାଲତର ପ୍ରଥମ ତଥା ଦୃଷ୍ଟାନ୍ତ ମୂଳକ ବୋଲି କୁହାଯାଉଛି। ସୁଦର୍ଶନଙ୍କ ତରଫରୁ ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ବିନୟ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।