Odiapua.com

ଓମ୍ଫେଡ୍ ର ଦୁର୍ନୀତି ଭିଜିଲାନ୍ସ ତଦନ୍ତ ପାଇଁ ଦାବି : କୃଷିମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ତା ୨୮ା୭ (ଓଡ଼ିଆ ପୁଅ) : ବିଗତ ଦିନେ ଦୁଇଦିନ ତଳେ ବିଭିନ୍ନ ଗଣମାଧ୍ୟମରେ କେନ୍ଦ୍ରାପଡ଼ା ଓମ୍ଫେଡ୍ରେ ପାଖାପାଖି ୨୭ ଲକ୍ଷ ଟଙ୍କାର ଗୋଖାଦ୍ୟ ଓ ପଶୁ ଔଷଧ ବିତରଣରେ ଦୁର୍ନୀତି ବିଷୟରେ ବିଷଦ ଭାବରେ ପ୍ରକାଶିତ ହୋଇଛି। ୨୦୧୮-୧୯ ମସିହା ବାର୍ଷିକ ଅଡିଟ୍ ରିପୋର୍ଟରେ ଏକଥା ପଦାକୁ ଆସିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଓମ୍ଫେଡ୍ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସବିଶେଷ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହି ଦୁର୍ନୀତିକୁ ଚପେଇ ଦେବାର ବିଧିବଦ୍ଧ ମସୁଧା କରିଛନ୍ତି। ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ନୀତିରେ ଜନୈକ ଠିକା କର୍ମଚାରୀଙ୍କୁ ନିଲମ୍ବନ କରି କର୍ତ୍ତୃପକ୍ଷ ଚୁପ୍ ହୋଇ ବସିଯାଇଛନ୍ତି। କିନ୍ତୁ ଦୁର୍ନୀତିର ଚେର ବହୁ ଗଭୀର। କେନ୍ଦ୍ରାପଡ଼ା ଓମ୍ଫେଡ୍ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମହାସଂଗର ଅଧ୍ୟକ୍ଷ ରବି ବେହେରା, ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର ଓ ସମ୍ପାଦକ ନାରାୟଣ ଡାଳୁଆଙ୍କ ପକ୍ଷରୁ ଆଜି ଓଡ଼ିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ କୁହାଯାଇଛି ଯେ, କେନ୍ଦ୍ରାପଡ଼ା ଓମ୍ଫେଡ୍ର ଦୁର୍ନୀତି ‘ଭାତ ହାଣ୍ଡିରୁ ଗୋଟିଏ’। ଭିଜିଲାନ୍ସ ତଦନ୍ତ ହେଲେ ଓମ୍ଫେଡ୍ରେ ଚାଲିଥିବା କେଳେଙ୍କାରୀ ଲୋକଲୋଚନକୁ ଆସିପାରନ୍ତା ଏବଂ ରାଜ୍ୟର ଓମ୍ଫେଡ୍ ଅନୁବନ୍ଧିତ ପ୍ରାୟ ୩ ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରନ୍ତେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ‘୫ଗୋଟି ଟି’କୁ ନେଇ ଆପଣ ମଧ୍ୟ କୃଷି ମନ୍ତ୍ରଣାଳୟର ସମସ୍ତ କର୍ମଚାରୀଙ୍କୁ ବିଗତ ଦିନରେ ସଚେତନ କରାଇଛନ୍ତି। କିନ୍ତୁ କୃଷି ବିଭାଗର ଅନ୍ୟତମ ଅଙ୍ଗ ଓମ୍ଫେଡ୍ ଯେ ଦୁର୍ନୀତି କାଦୁଅରେ ବୁଡ଼ି ଉବୁଟୁବୁ ହେଉଛି, ତାହା ବୋଧହୁଏ ଆପଣଙ୍କ ନଜର ଆଢୁଆଳରେ ରହିଯାଇଥିବା ପ୍ରତୀୟମାନ ହୁଏ।

ପ୍ରିୟାପ୍ରୀତି ତୋଷଣ, ଆର୍ଥିକ ଅନୀୟମିତତା, ପରିଚାଳନାଗତ ଅପରାଗତା ଯୋଗୁଁ ଦୁଗ୍ଧଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କର୍ତ୍ତୃପକ୍ଷଙ୍କର ଅପାରଗତାକୁ ନେଇ କେହି ଚାଷୀ ପ୍ରତିବାଦ କଲେ ତାଙ୍କର ଦୁଗ୍ଧକୁ ନିମ୍ନମାନର କହି ଓମ୍ଫେଡ୍ ନେଉନାହିଁ। ଗୋଖାଦ୍ୟ ଏବଂ ପଶୁମାନଙ୍କ ନିମନ୍ତେ ଦିଆଯାଉଥିବା ଔଷଧ ବାଟମାରଣା ହେବାରେ ଲାଗିଛି। ବିଭିନ୍ନ କର୍ମଚାରୀମାନେ ଏବଂ ଓମ୍ଫେଡ୍ କର୍ତ୍ତୃପକ୍ଷ ତାଙ୍କ ନିଜ ଇଚ୍ଛା ଅନୁସାରେ ଅତୀତରେ ନିଜର ନିକଟ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ଓ ବିଭିନ୍ନ କାମର ଠିକା ଦେବା ଏହି ସଂଗଠନରେ ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଛି। କେନ୍ଦ୍ରାପଡ଼ା ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ‘କେନ୍ଦ୍ରାପଡ଼ା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ରେ ଜିଲ୍ଲାର ପ୍ରାୟ ୨୦୯ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତିର ୨୦ ହଜାର ଚାଷୀ ଅନୁବନ୍ଧିତ ହୋଇ ୪୦ ହଜାର ଲିଟର ଦୁଗ୍ଧ କାରବାର ହୋଇଥାଏ। ଚାଷୀମାନଙ୍କ ପାଇଁ ଆସୁଥିବା ଗୋଖାଦ୍ୟ ମିଲ୍କକେନ୍ ଔଷଧ ଓ ଅନ୍ୟାନ୍ୟ ସରଞ୍ଜାମର ବ୍ୟାପକ ବାଟମାରଣା ହୋଇଛି ବୋଲି ୨୦୧୮-୧୯ ଆର୍ଥିକ ବର୍ଷର ଅଡିଟ୍ ବେଳେ ଧରାପଡ଼ିଛି। ଏହାର ମୂଲ୍ୟ ପାଖାପାଖି ୨୬ଲକ୍ଷ ୬୭ ହଜାର ଟଙ୍କା ହେବ ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ଏହାମଧ୍ୟରୁ ଗୋଖାଦ୍ୟରେ ଦୁର୍ନୀତି ୧୭ ରୁ ୧୮ ଲକ୍ଷ ପର୍ଯ୍ୟନ୍ତ ଏବଂ ୮ ଲକ୍ଷ ଟଙ୍କାର ପଶୁ ଔଷଧର ଦୁର୍ନୀତି ହୋଇଥିବାର ଜଣାଯାଏ। କର୍ତ୍ତୃପକ୍ଷଙ୍କର ନିକଟତର କିଛି ଚାଷୀଙ୍କୁ ଛାଡ଼ିଦେଲେ ଅଧିକାଂଶ ଚାଷୀ ଏହିସବୁ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଡିଟ୍ ରିପୋର୍ଟରେ ପ୍ରକାଶ ପାଇଛି।

ମାନ୍ୟବର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ “୫ଗୋଟି ଟି” ମନ୍ତ୍ରକୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ା ଓମ୍ଫେଡ୍ର ଏହି କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସଂଗେସଂଗେ ଦାୟୀ କର୍ତ୍ତର୍ୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଂଘ ଦାବି କରିଛି। ଏହାସହିତ ଓମ୍ଫେଡ୍ର ରାଜ୍ୟସ୍ତରରେ ଏବଂ ଅନ୍ୟାନ୍ୟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଯଥା- କଟକ ମିଲ୍କ ୟୁନିୟନ୍ ଓ ପୁରୀ ମିଲ୍କ ୟୁନିୟନରେ ହୋଇଥିବା ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରି ଚାଷୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ମଧ୍ୟ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।