Odiapua.com

ଓବିସି କମିଶନ ଗଠନ କରିବାରେ ଚାଲାକି ଧରାପଡ଼ିଗଲା : ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର ୧୩.୨ (ଓଡ଼ିଆ ପୁଅ) – ରାଜ୍ୟ ସରକାର ସନ୍ଧ୍ୟାବେଳେ ଅତି ତରବରିଆ ଭାବରେ ଓବିସି ଗଠନ କରି ଯେଉଁ ବା ବା ନେବାକୁ ବସିଛନ୍ତି ତାହା ଆଜି ଧରାପଡ଼ିଯାଇଛି। ୨୦୦୬ ମସିହାରୁ ଏ ରାଜ୍ୟ ସରକାର ଓବିସି କମିଶନକୁ ଅଚଳ କରି ରଖିଥିଲେ। ୨୦୧୧ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ଓବିସି କମିଶନ ଗଠନ କରିବାପାଇଁ ୬ମାସ ସମୟ ଦେଇଥିଲେ କିନ୍ତୁ ଏହା ଭିତରେ ୯ବର୍ଷ ବିତିଗଳାଣି ବିଚରାଳୟର ନିର୍ଦ୍ଦେଶକୁ ଖୁଲମଖୋଲା ଅବମାନନା କରିଚାଲିଛନ୍ତି ବୋଲି ଗତମାସ ୧୩ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଶ୍ରୀ ସତ୍ୟପ୍ରକାଶ ନାୟକ ଏହାର ଖୁଲାସା କରିଥିଲେ। ପ୍ରଶ୍ନ ପଚାରିବାର ପାଖାପାଖି ମାସେ ପରେ ତରବରିଆ ଭାବରେ କିପରି ଓବିସି କମିଶନ ସଂଧ୍ୟାବେଳେ ଗଠନ କଲେ ଏ ପ୍ରଶ୍ନ ପ୍ରଦେଶ କଂଗ୍ରେସ ସିଧାସଳଖ ଶ୍ରୀ ନାୟକ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି। ଆରଏସ୍ର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଏବଂ କେନ୍ଦ୍ରର ବିଜେପି ସରକାର ଦଳିତ, ଅର୍ଥନୈତିକ ପଛୁଆବର୍ଗ ମାନଙ୍କର ଚାକିରି କ୍ଷେତ୍ରରେ ଯେଉଁ ସାମ୍ବିଧାନିକ ଅଧିକାର ଥିଲା ତାକୁ ଚକ୍ରାନ୍ତ କରି ବନ୍ଦକରି ଦେଲେ। ଖୋଦ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଜନଗଣନା ସମୟରେ ଦଳିତ, ପଛୁଆବର୍ଗ, ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କର ଏକ ସ୍ୱତନ୍ତ୍ର ଗଣନା ପାଇଁ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ସିଧାସଳଖ ମନା କରିଦେଲେ।

ରାଜ୍ୟ କଂଗ୍ରେସର ଚାପ ଯୋଗୁଁ ଅନ୍ୟ ଉପାୟ ନପାଇ ଗତକାଲି ସନ୍ଧ୍ୟାବେଳେ କମିଶନ ଗଠନ କରିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଶ୍ରୀ ନାୟକ କହିଛନ୍ତିଯେ, ଏ ସରକାର, ପଛୁଆ ବର୍ଗ ଦଳିତ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଦୀର୍ଘ ୧୪ବର୍ଷ ଧରି ଠକି ଚାଲିଥିଲେ। ଏ ସରକାର ଖାଲି ରାଜ୍ୟବାସୀଙ୍କୁ ଖାଲି ଭୂଆଁ ବୁଲାଇନାହାନ୍ତି ନ୍ୟାୟଳୟକୁ ମଧ୍ୟ ଠକିଚାଲିଥିଲେ। ଏ ଠକ ସରକାରଙ୍କୁ ପ୍ରଦେଶ କଂଗ୍ରେସ ଅତି କଡ଼ାଭାଷାରେ ସମାଲୋଚନା କରିବା ହେତୁ ରାଜ୍ୟ ସରକାର ନାଚାର ହୋଇ ଏ କମିଶନ ଗଠନ କରିବାକୁ ବାଧ୍ୟ ହେଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ମଲ୍ଲିକ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଦୀପକ ମହାପାତ୍ର, ଅମିତା ବିଶ୍ୱାଳ, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।