Odiapua.com

ଓଡିଶା ସୋସାଇଟି ଅଫ ୟୁକେ ର ୪୧ ତମ ବାର୍ଷିକ ୱେବ ଅଧିବେଶନ ଅନୁଷ୍ଠିତ

ଲଣ୍ଡନ ୨୮/୮ (ଓଡ଼ିଆ ପୁଅ) ଗ୍ରେଟ ବ୍ରିଟେନ ସହିତ ଭାରତ ବର୍ଷର ଦୀର୍ଘ ଚାରିଶହ ବର୍ଷର ସାମାଜିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରହି ଆସିଥିବା ଓଡିଶା ବିଧାନ ସଭାର ବାଚସ୍ପତି ଡ଼- ସୂର୍ଯ୍ୟ ନାରାୟଣ ପାତ୍ର ମତ ପ୍ରକାଶ କରିଛନ୍ତି। ଓଡିଶା ସୋସାଇଟି ଅଫ ୟୁ -କେ ର ୪୧ ତମ ବାର୍ଷିକ ୱେବ ଅଧିବେଶନ କୁ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି ଡ଼- ପାତ୍ର ଇଂଲଣ୍ଡ ରେ ବସ ବାସ କରୁଥିବା ୩ ହଜାର ଓଡ଼ିଆ ଅଧିବାସୀଙ୍କୁ କୋଭିଡ ମହାମାରୀ ପରିସ୍ଥିତିରେ ଏଭଳି ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ବାଚସ୍ପତି ପୌରାଣିକ ପରମ୍ପରାକୁ ପୁନରୁଦ୍ଧାର କରି ସାରା ବିଶ୍ୱରେ ଅନ ଲାଇନ ଯୋଗେ ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଉଦିଷ୍ଟ “ଗୁରୁକୁଳ” ପ୍ରଶିକ୍ଷଣ ର ୱେବ ସାଇଟ କୁ ଲୋକାର୍ପଣ କରିଥିଲେ ଓ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଏହି ଭରଚୁଆଲ ସମ୍ମିଳନୀରେ ଓ-ଏସ-ୟୁ -କେ ର ସଭାପତି ସୁମନ୍ତ ମାନସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ୱାଳ ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଓ-ଏସ-ୟୁ -କେ ର ଦୁଇ ସାଂସ୍କୃତିକ ସମ୍ପାଦକ ଭାଗ୍ୟଶ୍ରୀ ସିଂହ ଓ ସଂଯୁକ୍ତା ବ୍ରହ୍ମା ମଂଚ ସଂଯୋଜନା କରିଥିଲେ।

ସମାବେଶକୁ ସମ୍ବୋଧନ କରି ରାଜ୍ୟସଭା ସାଂସଦ ଅମର ପଟନାୟକ ପୁଞ୍ଜି ନିବେଶ ପାଇଁ ଏବେ ଓଡ଼ିଶାରେ ଭରପୁର ସୁଯୋଗ ରହିଛି ଏବଂ ବିଦେଶୀ ନିବେଶକାରୀ ଙ୍କ ପାଇଁ ଏହା ଏକ ନମ୍ବର ଲକ୍ଷ୍ୟସ୍ଥଳରେ ପରିଣତ ହୋଇଥିବା ଦର୍ଶାଇଥିଲେ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଇ – ଗୁରୁକୁଳ ଶିକ୍ଷା ପ୍ରଣାଳୀର ଭୁରି ଭୁରି ପ୍ରସଂଶା କରି ମହାମାରୀ ସମୟରେ ଏହା ଆମପାଇଁ ପ୍ରଛନ ରେ ବରଦାନ ସ୍ଥାପିତ ହେବ ବୋଲି ଦମ୍ଭ ପ୍ରକାଶ କରିଥିଲେ। ପୂର୍ବତନ ସାଂସଦ ଡ଼- ପ୍ରସନ୍ନ ପାଟଶାଣୀ, ଓଡ଼ିଶାର ମହାନ କଳା, ସଂସ୍କୃତି, ଐତିହ ଓ ପରମ୍ପରା ର ୟୁ -କେ – ଓଡ଼ିଆ ମାନେ ବାର୍ତ୍ତାବହ ବୋଲି କହିଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାର, ଓଡିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନରେ ଓ-ଏସ-ୟୁ -କେ ଖୁବ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ଏହି ଅନଲାଇନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେରଳର ପୋଲିସ ଡି -ଜି ଲୋକନାଥ ବେହେରା, ଓଡିଶା ବାସୀଙ୍କର ବିଶ୍ୱଭରି ଲୋକପ୍ରିୟତା ଓ ଉପାଦେୟତା ଥିବା ଦର୍ଶାଇଥିଲେ।

ସମ୍ମିଳନୀକୁ ସମ୍ବୋଧନ କରି ଚିତ୍ର ତାରକା କୁନା ତ୍ରିପାଠୀ ଓ-ଏସ-ୟୁ-କେ ର ସଦସ୍ୟ ଗଣ ଆମ ପାଇଁ ରୋଲ ମଡେଲ ଓ ଓଡିଶା ପାଇଁ ଗର୍ବ ଓ ଗୌରବ ର ବାହକ ବୋଲି ସୁଚାଇଥିଲେ।

ସଭାରେ ଉଦବୋଧନ ଦେଇ କିନ୍ନର ସମାଜର ନେତ୍ରୀ ମୀରା ପରିଡା, ବର୍ତମାନର କଷ୍ଟକର କରୋନା କାଳରେ ୟୁ -କେ ର ଓଡ଼ିଆ ଅଧିବାସୀ ମାନେ ସେମାନଙ୍କର ମାତୃପ୍ରଦେଶ ଓଡିଶା ପ୍ରତି ଯେଉଁ ସାହାଯ୍ୟ ଓ ସଦିଚ୍ଛାର ହାତ ବଢ଼ାଇଛନ୍ତି, ତାହା ସଦା ପ୍ରସଂଶନୀୟ ବୋଲି ପ୍ରକାଶ କରିଥିଲେ।

ସମାରୋହରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ପାଣିପାଗ ବିଭାଗର ଡି -ଜି ମୃତୁଞ୍ଜୟ ମହାପାତ୍ର ୟୁ କେ -ରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟର ପ୍ରଚାର ଓ ପ୍ରସାର କରିବାରେ ଓ-ଏସ- ୟୁ- କେ- ବେଶ ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ଆସିଥିବା ଉଲେଖ କରିଥିଲେ।

ବାହାରିନ ଓଡ଼ିଆ ସମାଜର ସଭାପତି ଡ଼- ଅରୁଣ କୁମାର ପ୍ରହରାଜ – ସମଗ୍ର ପୃଥିବୀରେ ବସ ବାସ କରୁଥିବା ଓଡ଼ିଆ ମାନଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ କରାଯିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଏନ -ଆର -ଆଇ ସେଲ ସ୍ଥାପନ କରାଯିବାର ପ୍ରସ୍ତାବ ଦେଇଥିଲେ।

ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଓଡିଶା ବାହାରେ ବିଶ୍ୱଭରି ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡ଼ିଆଙ୍କୁ ଏକଜୁଟ କରି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ସେମାନଙ୍କୁ ବ୍ରତୀ କରିବାରେ ଓ-ଏସ- ୟୁ- କେ- ର ପ୍ରୟାସ ଉଲେଖ୍ୟ ଯୋଗ୍ୟ ବୋଲି କହିଥିଲେ।

ୱେବ ଉତ୍ସବରେ ଉଦବୋଧନ ଦେଇ ପ୍ରସିଦ୍ଧ ଆଧ୍ୟତ୍ମିକ ଗୁରୁ ଚନ୍ଦ୍ରଭାନୁ ଶତପଥୀ ସାରା ପୃଥିବୀରେ ଓଡିଶା ଏବଂ ଓଡ଼ିଆ ମାନଙ୍କର ଜୟଯାତ୍ରା ର ସ୍ତୁତିଗାନ କରିଥିଲେ। ମାଞ୍ଚେଷ୍ଟର ସ୍ଥିତ ଭାରତୀୟ ସଂଘର ସଭାପତି ଡ଼- ଗଜାନନ କଣ୍ଟାପା ଓ-ଏସ- ୟୁ- କେ- ର ବିଭିନ୍ନ ଜନହିତ କର କାର୍ଯ୍ୟକ୍ରମ କୁ ଭୂୟସି ପ୍ରସଂଶା କରିଥିଲେ।

ସମ୍ମିଳନୀ ଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା, ପ୍ରଖ୍ୟାତ ଲୋକକବି ହଳଧର ନାଗ, ସାଂସଦ ଶସ୍ମିତ ପାତ୍ର, ଆମ୍ବେଦକର ଫାଉଣ୍ଡେସନ ର ନିର୍ଦେଶକ ଦେବେନ୍ଦ୍ର ମାଝୀ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଶାନ୍ତିନିକେତନ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ର ପ୍ରଫେସର କୈଳାଶ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତି ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ। ଦେବାଶିଷ ପଟନାୟକ, ସୁରେନ୍ଦ୍ର ଆଚାର୍ଯ୍ୟ, କୃଷ୍ଣାଦିଲୀପ ଓ ସୁଶ୍ରୀ ଶର୍ମିଷ୍ଠା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କଟକ ର ଦୋଳମୁଣ୍ଡାଇଠାରେ ଓ-ଏସ- ୟୁ- କେ ପକ୍ଷରୁ ବ୍ୟାପକ “ସାନିଟାଇଜେସନ ଡ୍ରାଇଭ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।