Odiapua.com

ଓଡିଶା ସରକାରଙ୍କ ନିର୍ମାଣ ବିଭାଗର ପଛୁଆ ଗତି, ୨୧୧କୋଟି ଟଙ୍କାର ପ୍ରକଳ୍ପ ସରିବା ନେଇ ଅତିରିକ୍ତ ଯନ୍ତ୍ରୀମୁଖ୍ୟଙ୍କ ଅନୁଧ୍ୟାନ, କୋମାରେ ଧାମରା -ଜାମୁଝାଡି ରାସ୍ତା , ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା- ଜାମୁଝାଡି ରାସ୍ତା ନିର୍ମାଣ ପାଇଁ ହୋଇଥିବା ଚୁକ୍ତିପତ୍ରରେ ଦର୍ଶାଯାଇଛି ୩୦ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ ହେବ । ସୂଚନା ଫଳକରେଏହି କାର୍ଯ୍ୟ ମାର୍ଚ୨୦୧୯ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୨୦୨୧ ମସିହାରେ ଶେଷ ହେବ ବୋଲି ଲିପିବଦ୍ଧ ହୋଇଛି । ମାତ ଅବଧିର ୪ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି କାର୍ଯ୍ୟ ଶେଷ ହେବା ନେଇ କଳ୍ପନା ଜଳ୍ପନା ଚାଲିଛି । ଏହି କାର୍ଯ୍ୟ ରେ ଅନିୟମିତତା ସହ ଠିକା ସଂସ୍ଥା ଏବଂ ପ୍ରଶାସନର ମଧୁ ଚନ୍ଦ୍ରିକା କୁ ନେଇ ବହୁବାର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ବିଭାଗୀୟ ଅତିରିକ୍ତ ଯନ୍ତ୍ରୀମୁଖ୍ୟ ଆସି ଏହି ରାସ୍ତାକୁ ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନ କରିବା ସମୟରେ ଚାନ୍ଦବାଲି ବ୍ଲକର କଂଗ୍ରେସ ନେତା ଦିଗମ୍ବର ଦାସ, ଲକ୍ଷ୍ମୀଧର ସାହୁ,ଧୀରେନ୍ଦ୍ର ସ୍ୱାଇଁ,ସୁଶାନ୍ତ ବେହେରା, ଶଶିକାନ୍ତ ପାଗଳ, ନିତ୍ୟାନନ୍ଦ ବାରିକ,ବୁଧିରାମ ଜେନା ପ୍ରମୁଖ ଅତିରିକ୍ତ ଯନ୍ତ୍ରୀ ମୁଖ୍ୟ ଅମୀୟ କୁମାର ନାୟକଙ୍କୁ ଭେଟି ଏହି ରାସ୍ତାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ଆଣିବା ସହ ରାଜ୍ୟ ସରକାର କାହିଁକି ଏହି ରାସ୍ତା ନିର୍ମାଣରେ ପାତର ଅନ୍ତର କରିବା ସହ ଠିକା ନେଇଥିବା ୟୁଏମଏସଏଲ କମ୍ପାନୀ କର୍ତୁର୍ପକ୍ଷଙ୍କୁ ଘଂଟ ଘୋଡାଇ ଅନିୟମିତତାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ପଚାରିଥିଲେ ।

ଏହାର ଉତର ରଖି ଅତିରିକ୍ତ ଯନ୍ତ୍ରୀ ମୁଖ୍ୟ ଅମୀୟ କୁମାର ନାୟକ ଆସନ୍ତା ମାର୍ଚ ୨୦୨୨ ସୁଦ୍ଧା ଏହି ରାସ୍ତା ଶେଷ ହେବ ବୋଲି କହିଥିଲେ ମଧ୍ୟ ପ୍ରକୃତ ଅଭିଯୋଗ ଘଟଣାକୁ ଏଡାଇ ଯାଇଥିଲେ ବୋଲି ଦିଗମ୍ବର ଦାସ ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘ ୩୦ ମାସ ବିତିଯାଇଥିଲେ ମଧ୍ୟ ଠିକା ସଂସ୍ଥା କେବଳ ରାଜ୍ୟ ସରକାରଙ୍କୁ ଦୋଷ ଦେଇ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସମସ୍ତ ଅଭିଯୋଗକୁ ତାଳି ପକାଇ ଚାଲିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଧାମରା- ଜାମୁଝାଡି ୫୬ କି.ମି ରାସ୍ତାକୁ ସରକାର ୧୬-ଏ ରାଜପଥର ମାନ୍ୟତା ଦେବା ସହ ଓଡିଶା ସରକାର,ଧାମରା ବନ୍ଦର କର୍ତୁପକ୍ଷ ଏବଂ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ କର୍ତୁପକ୍ଷଙ୍କ ସହଭାଗିତାରେ ଏହି ରାଜରାସ୍ତା ନିର୍ମାଣ ହେବ ବୋଲି ରାଜ୍ୟ ସରକାର ୟୁଏମଏସଇ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ । ଏହି ରାସ୍ତା ନିର୍ମାଣ ପାଇଁ ୩ଜଣ ସହଭାଗିତାରେ ପ୍ରତ୍ୟେକ ୭୫କୋଟି ଟଙ୍କା ପ୍ରଦାନ କରିଥିଲେ । ଏହିପରି ୨୧୧ କୋଟି ଟଙ୍କାରେ ଏହି ରାସ୍ତା ଅବଧି ସମୟ ପୂର୍ବରୁ ଶେଷ ହେବ ବୋଲି ମଧ୍ୟ ବିଭାଗୀୟ ଯନ୍ତ୍ରୀ ମୁଖ୍ୟ ପ୍ରକାଶ କରିଥିବା ବେଳେ ଅବଧି ଶେଷ ହୋଇ ଦୀର୍ଘ ୮ମାସ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା କେବେ ଶେଷ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି ।ଧାମରା ବନ୍ଦର କୁ ଦୈନିକ ଶହ ଶହ ସଂଖ୍ୟାରେ ଭାରିଯାନ ଯାତାୟତ କରୁଥିବା ବେଳେ ନିର୍ମାଣଧୀନ ଏହି ରାସ୍ତାକୁ ସଂପୂର୍ଣ ନଷ୍ଟ କରିଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି । ଏହି ରାସ୍ତା ନିର୍ମାଣ ପାଇଁ ଦରକାର ପଡୁଥିବା ମାଟି ,ମୋରମ ଏବଂ ପଥର ପ୍ରାଥମିକ ଭାବରେ ଠିକା ସଂସ୍ଥା ଠିକ କରି ନପାରିବାରୁ ପରେ ସମୁଦ୍ରରୁ ଉତୋଳିତ ବାଲି ସାହାଯ୍ୟରେ ଏହି ରାସ୍ତା ନିର୍ମାଣ କରାଗଲା ।

ଏଠାରେ ପ୍ରଶ୍ନ ଉଠେ ବଙ୍ଗୋପସାଗରରୁ ଉତୋଳିତ ବାଲିକୁ ଧାମରା ବନ୍ଦର ଉତୋଳନ କରି ପୁନଶ୍ଚ ଏହାକୁ ରାଜ୍ୟ ସରକାରଙ୍କୁ ବିକ୍ରି କରିବା କେତେଦୂର ସମୀଚିନ ଏବଂ ଏହି ଲୁଣା ବାଲିରେ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଆଗାମୀ ମାର୍ଚ ମାସ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ ନହେଲେ ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟି ଏହି ରାସ୍ତା ନିର୍ମାଣକୁ ନେଇ ଗଣ ଆନ୍ଦୋଳନ କରିବା ସହ ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଲେଣି । ଆଜିର ଏହି ରାସ୍ତା ଅନୁଧ୍ୟାନ ପାଇଁ ଆସିଥିବା ଟିମରେ ରାସ୍ତା ଗୃହ ନିର୍ମାଣ ବିଭାଗର ଅତିରିକ୍ତ ଯନ୍ତ୍ରୀ ମୁଖ୍ୟ ଅମୀୟ କୁମାର ନାୟକ, ଅଧୀକ୍ଷଣ ଯନ୍ତ୍ରୀ ରଥାନୀଧର ରାଉତ, ଚିତରଞନ ମିଶ୍ର, କାର୍ଯ୍ୟନିର୍ବାହୀ ପ୍ରଦ୍ୱୀପ କୁମାର ସାମନ୍ତରାୟ,ଡମ୍ବରୁଧର ମଣ୍‌ଡଳ, ପ୍ରଭାତ କୁମାର ସାହୁ ପ୍ରମୁଖ ସାମିଲଥିଲେ । ସେହିପରି ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣଧୀନ ସେତୁ ର ନିର୍ମାଣ ଅତ୍ୟନ୍ତ ମନ୍ôଥ ଗତିରେ ଚାଲିଥିବା କଥା ଅତିରିକ୍ତ ଯନ୍ତ୍ରୀମୁଖ୍ୟଙ୍କୁ ଅବଗତ କରାଇଥିବା ବେଳେ ଆସନ୍ତା ମାର୍ଚ ଶେଷ ସୁଦ୍ଧା ଏହି ସେତୁ ଯାତାୟତ ଉପଯୋଗୀ ହୋଇ ପାରିବ ବୋଲି ସେ ନିଜର ମତ ରଖିଥିବା ବେଳେ ଏହା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇ ପଡିଛି ।