Odiapua.com

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଉପରେ ପ୍ରଫେସର ଏମ ସି ଦାସ ଏବଂ ପ୍ରଫେସର ଜି ବି ଏନ୍ ଚଇନିଙ୍କ ଅଭିଯୋଗ ପତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀଙ୍କ ଚିଠି

ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୋଷ ଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷାନୀତି-୨୦୨୦ରେ ଶିକ୍ଷାନୁଷ୍ଠାନକୁ ସ୍ୱାୟତତା ମିଳୁଛି
– ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ଅଧିନିୟମରେ ଶିକ୍ଷାନୁଷ୍ଠାନକୁ ସ୍ୱାୟତତା ଓ ସ୍ୱତନ୍ତ୍ରତା କମିଯାଇଛି
– ବିଶ୍ୱବିଦ୍ୟାଳୟ ସ୍ୱାୟତତା ଉପରେ ହସ୍ତକ୍ଷେପ ନେଇ ରାଜ୍ୟ ଶିକ୍ଷାବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା
– ରାଜ୍ୟ ସରକାର ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରୁଥିବା ଅଭିଯୋଗ
– ଶିକ୍ଷକ ଚୟନ ପ୍ରକ୍ରିୟାରେ ଓଡିଶା ଲୋକସେବା ଆୟୋଗକୁ ଦାୟିତ୍ୱ ଦିଆଯିବା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ
– ସିଣ୍ଡିକେଟକୁ ଅମଲା ସର୍ବସ୍ୱ କରାଯାଇଛି ଏବଂ ଶିକ୍ଷକ ଓ ଅଣଶିକ୍ଷକ ଚୟନରେ ବିଶ୍ୱବିଦ୍ୟାଳୟର କୁଳପତି ଗୌଣ ହୋଇଛନ୍ତି
– ଅଡିଟ୍ ରିପୋର୍ଟ ବିଧାନସଭାକୁ ନଯିବା ଶିକ୍ଷାବିତ୍ଙ୍କ ନାପସନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୫ (ଓଡ଼ିଆ ପୁଅ) – ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତ୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖି ଏ ସମ୍ବନ୍ଧରେ ତାଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ନେଇ ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୋଷ ଥିବା ନେଇ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିବା ସହ ଏହି ମାମଲାରେ ହସ୍ତକ୍ଷପେ କରିବାକୁ ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟର ଉଚ୍ଚ ଶିକ୍ଷା ବ୍ୟବସ୍ଥାର ସ୍ୱାୟତତାକୁ ବ୍ୟାପକ ଭାବରେ ସଙ୍କୁଚିତ କରାଯିବା ନେଇ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାସହ ଶ୍ରୀ ପ୍ରଧାନ ପ୍ରଫେସର ଏମ-ସି ଦାସ ଏବଂ ପ୍ରଫେସର ଜି-ବି-ଏନ୍ ଚଇନିଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପଠାଇବା ସହ ସେମାନେ ଉଲ୍ଲେଖ କରିଥିବା ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି।