Odiapua.com

ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

କେନ୍ଦ୍ରାପଡା ୩୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆମେ କିପରି ପ୍ରସ୍ତୁତ ହୋଇ ରହିବା ଓ ତାହାର ସମ୍ମୁଖିନ ହେବା ସେ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଗୋଷ୍ଠିମାନଙ୍କୁ ସଶକ୍ତ କରି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟ ସମ୍ପର୍କରେ ସଚେତନତା କରାଯାଇଥିଲା। ସେହି ଶୋଭାଯାତ୍ରାକୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ପତାକା ଦେଖାଇ ଉଦଘାଟନ କରିଥିଲେ। ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୯୯୯ ମହା ବାତ୍ୟାର ବିଭିଷିକା ସମ୍ପର୍କରେ ବର୍ଣ୍ଣନା କରି ଆଜି ପର୍ଯ୍ୟନ୍ତ ଓଡିଶାରେ ହୋଇଥିବା ହୁଡହୁଡ, ଫାଇଲିନ ପ୍ରଭୃତି ବାତ୍ୟାର ବିଭିଷିକା ଓ ଜିଲ୍ଲା ତଥା ରାଜ୍ୟ ସରକାରର ପ୍ରତିକାର ବ୍ୟବସ୍ଥା, ସ୍ୱେଛାସେବୀ ଅନୁଷ୍ଠାନର ସହଯୋଗ ଦ୍ୱାରା ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟର ସଫଳ ରୂପାୟନ ସମ୍ପର୍କରେ ବର୍ଣ୍ଣନା କରି ଆମେ କେତେ ପ୍ରସ୍ତୁତ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା। ସ୍ୱେଛାସେବୀ ଅନୁଷ୍ଠାନ ଭାରତ ବାତ୍ୟା ସମୟର ଉଦ୍ଧାର କାର୍ଯ୍ୟର ଫଟୋଚିତ୍ରର ପ୍ରଦର୍ଶନ କରିଥିଲେ। “ଭାରତ”ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଉଦୟ ନାଥ ବେହେରା, ଆଳିର ମା ସରସ୍ୱତୀ ସ୍ୱେଛାସେବୀ ଅନୁଷ୍ଠାନ, ଜୟ ଭାରତୀ ସାଥି ସମାଜ, ମହାକାଳପଡାର ରାଜୀବ ଗାନ୍ଧୀ ମେମୋରିଆଲର ପ୍ରତିନିଧି ପ୍ରମୁଖ ଯୋଗଦେଇଥିବା ବେଳେ ସହକାରୀ ଅଗ୍ନିସମ ଅଧିକାରୀ ବିରଭଦ୍ର ଟୁଡୁ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ନିରଞ୍ଜନ ସାହୁ, ବିରଜା ପ୍ରସନ୍ନ ପତିଙ୍କ ସମେତ ବହୁ ସ୍ୱେଛାସେବୀ ଅନୁଷ୍ଠାନର ପ୍ରତିନିଧି, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେସକ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।