Odiapua.com

ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ଗାନ୍ଧି ବିଚାର ମଂଚ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନିଲ ଚନ୍ଦ୍ର ଜେନାଙ୍କୁ ତାଙ୍କ ବାସଭବନରେ ମଂଚର ଆବାହକ ଜ୍ଞାନ ରଂଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଗାନ୍ଧିବିଚାର ମଂଚ ପକ୍ଷରୁ ତାଙ୍କର ଏକ ସାକ୍ଷାତକାର ନିଆଯାଇଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ସେ କିଭଳି କାର୍ଯ୍ୟ କରିଥିଲେ ସେ ସମ୍ପର୍କରେ ତାଙ୍କୁ ପଚାରି ବୁଝିଥିଲେ ଏବଂ ଶ୍ରୀ ଜେନାଙ୍କ ପିତା ମହାନ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଠାରୁ ସେ କଣ ବାର୍ତ୍ତା ଗ୍ରହଣ କରୁଥିଲେ ଓ ଆପଣଙ୍କର ପିତା ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର ଭାବେ ଗାନ୍ଧିଜୀଙ୍କ ପ୍ରଥମ ପଟ୍ଟ ଶିକ୍ଷ୍ୟ ଥିଲେ, ସେତେବେଳେ ପିତାଙ୍କ ସହ ରହି କି କାର୍ଯ୍ୟ କରୁଥିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଦୁଃଖିନୀ କନିକାର ରଚୟିତା ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପୁସ୍ତକକୁ ଇଂରେଜ ସରକାର ବ୍ୟାଜାପ୍ତି କରିଥିଲେ ଏବଂ ଗାନ୍ଧିଜୀଙ୍କ ପକ୍ଷରୁ ସେତେବେଳେ ୟଙ୍ଗ ଇଣ୍ଡିଆ ମାଗାଜିନରେ ପ୍ରକାଶ ପାଇଥିଲା ଯେଉଁ ବହି ସାରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା। ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ପୁରୁଷୋତମ ନାୟକଙ୍କ ସହ ମିଶି କିଭଳି ଭାବେ କେନ୍ଦ୍ରାପଡାରେ ଇଂରେଜ ସରକାରଙ୍କୁ ବିରୋଧ କରୁଥିଲେ ସେ ସମସ୍ତ ବିବରଣୀ ପଚାରି ବୁଝିଥିଲେ। ଗାନ୍ଧିଜୀ କେନ୍ଦ୍ରାପଡାକୁ ଆସିବା ପରେ କିଭଳି ଭାବେ ତାଙ୍କ ସହ କାର୍ଯ୍ୟ କରିଥିଲେ ଏବଂ ସର୍ବଶେଷରେ ବିପ୍ଳବୀ ଲେଖା ପୁସ୍ତକ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରଚନା ବଳି ଏବଂ ତାଙ୍କର ଏକ ଜିବନୀ ମଂଚର ଆବାହକଙ୍କୁ ପ୍ରଦାନ କରାଯାଇଥିଲା। ଗାନ୍ଧିଜୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବ ପିଡିକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧି ବିଚାର ମଂଚର ଓଡିଶା ଗାନ୍ଧିବାଦୀ ଫୋରମର ଉପାଧକ୍ଷ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଜିଲ୍ଲା ସଂଗ୍ରାମୀ ଦାୟଦ ସଂଘର ସଭାପତି ବିଚିତ୍ରାନନ୍ଦ ନାୟକ, ଗାନ୍ଧିବାଦୀ ବିଚାର ଟିଭିର ବିରଂଚି ବିଜୟ କୁମାର ପଣ୍ଡା, ଅନିଲ ଚନ୍ଦ୍ର ଜେନାଙ୍କ ପୁତ୍ର ସଂଜୟ କୁମାର ଜେନା, ରମଣୀ ରଞ୍ଜନ ରାଉତରାୟ, ଧିରେନ୍ଦ୍ର ସିଂ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ କିଶୋର ଚନ୍ଦ୍ର ପ୍ରଧାନ, ସେକ ୟୁସୁଫ, ଶେଷଦେବ ଦାସ ଓ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।