Odiapua.com

ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ସାଧାରଣ ସଭା

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବନ୍ୟା, ବାତ୍ୟା ଓ ମରୁଡି ର ସ୍ଥାୟୀ ପ୍ରତିକାର, କୃଷି ଜାତ ଦ୍ରବ୍ୟର ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ, ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଋଣ ଛାଡ, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଚାଷୀ ମାନଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇବା, ଧାମନଗର ବ୍ଲକର ବୈତରଣୀ ନଦୀ ବନ୍ଧର ଏସ୍ କେ ପ ଗୁଡିକର ଉଚ୍ଚତା ବୃଦ୍ଧି କରିବା , ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ଆଦି ଦାବି ନେଇ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଧୁଷୁରୀ ବାସନ୍ତୀ ପଡିଆ ଠାରେ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା କୃଷକ ସଭା ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ ଯୋଗଦେଇ କର୍ପୋରେଟ ବିରୁଦ୍ଧରେ ଲଢେଇ କରି ଚାଷ ଜମିକୁ କର୍ପୋରେଟ ହାତରୁ ବଂଚାଇବା ପାଇଁ ଆହ୍ୱାନ ଜଣାଇଥିଲେ । ଆମ ଦେଶର ଆଜାଦୀ ଆନ୍ଦୋଳନରେ ଆଦୌ ଅଂଶଗ୍ରହଣ କରିନଥିବା ଆରଏସ୍‌ଏସ୍ ର ଛବିକୁ ଭାରତୀୟ ଡାକ ଟିକଟ ଓ ନୂତନ ଭାବେ ମୁଦ୍ରିତ ୧୦୦ ଟଙ୍କିଆ ମୁଦ୍ରା ରେ ମୋଦି ସରକାର ମୁଦ୍ରିତ କରିବା ଘଟଣାକୁ ଶ୍ରୀ ନାଥ ସମ୍ବିଧାନର ମୌଳିକତା ଉପରେ ଆକ୍ରମଣ ବୋଲି ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାର ଗୋରୁ ଚାଷୀ ମାନଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାଇଭେଟ ଆର୍ମି ଭାବେ ଗୋ ସୁରକ୍ଷା ବାହିନୀ ଲଗାତର ଆକ୍ରମଣ କରୁଥିବାରୁ ଶ୍ରୀ ନାଥ ଉଦବେଗ ପ୍ରକାଶ କରିଥିଲେ । ୧୯୩୬ ଅପ୍ରେଲ ମାସରେ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ନୌ ଅଧିବେଶନ ର ନିଷ୍ପତି କ୍ରମେ ଚାଷୀ ନେତା ସହଜାନନ୍ଦ ସରସ୍ୱତୀ ଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଅଖିଳ ଭାରତ କୃଷକ ସଭା ବ୍ରିଟିଶ ଉପନିବେଶବାଦ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ବଙ୍ଗଳାର ତେଭାଗା, ମହାରାଷ୍ଟ୍ରର ୱାର୍ଲି ଓ ହାଇଦ୍ରାବାଦ ନିଜାମ ବିରୁଦ୍ଧରେ ତେଲେଙ୍ଗାନା ସଶସ୍ତ୍ର କୃଷକ ବିଦ୍ରୋହ ହୋଇଥିବା ବେଳେ ତାର ଅଂଶସ୍ୱରୂପ ଓଡିଶାରେ ଓଡିଶା କୃଷକ ସଭା ନୀଳଗିରି, ଢେଙ୍କାନାଳ, ରଣପୁର, ଆଠଗଡ, ବ୍ରହ୍ମଗିରି ଆଦି ଅଂଚଳରେ ରାଜତନ୍ତ୍ର, ଜମିଦାରୀ ପ୍ରଥା, ବେଠି, ବେଗାରୀ ବିରୁଦ୍ଧରେ ଲଢେଇ କରିଥିଲା । ସ୍ୱାଧୀନ ଭାରତରେ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ରାଜ୍ୟବାଦ ଓ ଭାରତର କୃଷି ଉପରେ କର୍ପୋରେଟ ଆକ୍ରମଣ ବିରୁଦ୍ଧରେ ଓଡିଶା କୃଷକ ସଭା ଓଡିଶା ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ଲଢେଇ କରୁଛି ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ଓଡିଶା ରେ ଚାଷୀ ଓ ଭାଗଚାଷୀ ମାନଙ୍କ ହାତକୁ ଜମି, ଜମିକୁ ଜଳସେଚନ, ଖାଦ୍ୟ ଓ କୃଷି ଶ୍ରମିକ ମାନଙ୍କୁ ଚାଷୀର ସୁବିଧା ସୁଯୋଗ ଦେବା ପାଇଁ ଲଢେଇ କରୁଛି ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ମୋଦି ସରକାର ଗତ ୧୧ ବର୍ଷ ଭିତରେ ପୁଞ୍ଜି ପତି ମାନଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଋଣଛାଡ଼ କରିଥିବା ବେଳେ ଋଣଯନ୍ତାରେ ଷଡୁଥିବା କୃଷକ ମାନଙ୍କୁ ଆଦୌ ଋଣ ଛାଡ ନକରିବା ଦୁଃଖ ର ବିଷୟ ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ବର୍ତମାନ ମୋଦି ସରକାରଙ୍କ ଏକଛତ୍ରବାଦୀ ଓ ନବ୍ୟଫାଶୀବାଦୀ ଶାସନରେ ଭାରତର ଏକତା, ଭାଇଚାରା, ଅଖଣ୍ଡତା ଓ ସମ୍ବିଧାନ ବିପଦରେ ଅଛି ବୋଲି ଶ୍ରୀ ନାଥ ଉଦବେଗ ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଙ୍କ ଉପରକୁ ଜଣେ ସନାତନୀ ସନ୍ତ୍ରାସବାଦୀ ଚପଲଫିଙ୍ଗିବା, ଅହମ୍ମଦାବାଦ ରେ ଜଣେ ବିଚାରପତି ଙ୍କ ଉପରେ ହିନ୍ଦୁ ମୌଳବାଦୀ ମାନଙ୍କ ଆକ୍ରମଣ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଙ୍କ ଉପରେ ହିନ୍ଦୁତ୍ୱବାଦୀ ଓ ମୌଳବାଦୀ ମାନଙ୍କ ଆକ୍ରମଣ ଭାରତର ନିରପେକ୍ଷ ବିଚାର ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ଶ୍ରୀ ନାଥ ପ୍ରକାଶ କରିଥିଲେ । ନିର୍ବାଚନ କମିଶନକୁ ହାତବାରିସି କରି ଭାରତର ନିରପେକ୍ଷ ନିର୍ବାଚନ ଉପରେ ମୋଦି ସରକାର ଆକ୍ରମଣ କରୁଛନ୍ତି ବୋଲି ଶ୍ରୀ ନାଥ ଅଭିଯୋଗ କରିଥିଲେ । ଆମ ଦେଶର ସମ୍ବିଧାନ ଓ ନିରପେକ୍ଷ ନ୍ୟାୟ ବ୍ୟବସ୍ଥାର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ଚାଷୀ ଓ ଭାଗଚାଷୀ ଲଢେଇ କରିବାକୁ ଶ୍ରୀ ନାଥ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା କୃଷକ ସଭା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସିତାଂଶୁ ସେନାପତି, ଅନ୍ୟତମ ଉପସଭାପତି ଶ୍ରୀଯୁକ୍ତ ଅଭିରାମ ବେହେରା, ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ପ୍ରଭାସ ମହାପାତ୍ର, ଅଭ୍ୟର୍ଥନା କମିଟିର ସଭାପତି ବରିଷ୍ଠ ଅଧିବକ୍ତା ଶଶିଭୂଷଣ ପଣ୍ଡା, ଶ୍ରମିକ ନେତା ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, କୃଷକ ନେତା ସତ୍ୟ ମୂର୍ତି ବେହେରା, ଚନ୍ଦ୍ରମଣି ପଣ୍ଡା, ମାର୍କଣ୍ଡ ଜେନା, ଜୟନୂଲ ଆବେଦିନ, ଗୟାଧର ସାହୁ, ପ୍ରତାପ ଦାସ, ଅନାଦି ମାହୁନ୍ତ, ରମେଶ ସାହୁ, ଯୁବ ନେତା ବିପ୍ଲବ ଯେନା, ଜିଲାନି ଖାନ୍ ଓ ପ୍ରତାପ ସେଠୀ ପ୍ରମୁଖ ଏହି ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ ସାଧାରଣ ସଭାରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଚାଷୀ ମୂଲିଆ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।