Odiapua.com

ଓଡିଶା ଅଙ୍ଗନବାଡି କଲ୍ୟାଣ ସଂଘ ପକ୍ଷରୁ ଭୋଟ ବର୍ଜନ ନିଷ୍ପତି

ହାଟଡ଼ିହି-୫ /୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶା ଅଙ୍ଗନବାଡି କଲ୍ୟାଣ ସଂଘ ତରଫରୁ ସରକାରଙ୍କ ଅବହେଳା ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ପାଇଁ ଆହ୍ୱାନ ଦିଆଯାଇଛି । ଅଙ୍ଗନବାଡି କର୍ମୀମାନେ କମ ପ୍ରୋତ୍ସାହନ ରାଶିରେ ପ୍ରାକ ବିଦ୍ୟାଳୟ, ଶିକ୍ଷା, ସ୍ୱାସ୍ଥ୍ୟ, ଗର୍ଭବତୀ ପ୍ରସୁତୀ, କିଶୋରୀ ବାଳିକ, ଜନସଂଖ୍ୟା ନିୟନ୍ତ୍ରଣ, କୁଷ୍ଠ, ମ୍ୟାଲେରିଆ, ଯକ୍ଷ୍ମା, ପ୍ରତିଷେଧକ ଟୀକାକରଣ, ମହିଳା ଶଶକ୍ତି କରଣ, ନିର୍ବାଚନ ପରିଚାଳନା, ଭୋଟର ତାଲିକା ସଂଶୋଧନ ସହିତ ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ଗୁଡିକ ସଫଳ ରୁପାୟନ କରି ଆସୁଛନ୍ତି । କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କରୋନା ମହାମାରୀକୁ ଗାଁରୁ ଦୁରେଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ସରକାର ସର୍ବନିମ୍ନ ମଜୁରୀ ଟିଏରୁ ବଞ୍ଚିତ କରିବାରୁ ଅବସର ନେବାପରେ ଅଙ୍ଗନବାଡି କର୍ମୀଟିଏ ଭତ୍ତା ପାଉ ନଥିବାରୁ ଏବେ ଅନେକ ସ୍ଥାନରେ କର୍ମୀମାନେ ଭିକ୍ଷାବୃତ୍ତି କରି ଚଳୁଥିବା ନଜିର ରହିଛି । ଜାତୀୟ ଶିକ୍ଷାନୀତି ୨୦୨୦ରେ କେନ୍ଦ୍ର ସରକାର ଅଙ୍ଗନବାଡି କର୍ମୀ ମାନଙ୍କୁ ନିୟମିତ ଶିକ୍ଷୟତ୍ରୀର ମାନ୍ୟତା ଦେବାପାଇଁ ଯୋଜନା କରୁଥିବାବେଳେ ଦରମା ନିର୍ଦ୍ଧାରଣ ପାଇଁ ଫିଟମେଟ କମିଟି ଦେଇ ବର୍ଷେହେଲା ଚୁପ ହୋଇ ବସିଛନ୍ତି । ଅତିକମ୍ ରେ କର୍ମଚାରୀ ମାନଙ୍କୁ ୧୮ହଜାର ଟଙ୍କା ଦେବାପାଇଁ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କେନ୍ଦ୍ର ସରକାର ଅବହେଳା କରୁଥିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏସ.ଏଚ.ଜି ମହିଳା ଭୋଟରଙ୍କୁ ପ୍ରଭାବିତ କରି ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଶୀତକାଳୀନ ଅଧିବେସନରେ ଅଙ୍ଗନବାଡି କର୍ମୀ ମାନଙ୍କ କଥା ନବୁଝିଲେ ସେମାନେ ଭୋଟ ବର୍ଜନ ସହିତ ଉଚିତ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଥିବା ସଂଘର ସଭାନେତ୍ରୀ ପ୍ରତିଭା ମଞ୍ଜରୀ ବେହେରା, ସମ୍ପାଦିକା ତିଳତ୍ତମା ସାହୁ, ସହ ସମ୍ପାଦିକା ପ୍ରମିଳା ରାଉତ, କୋଷାଧ୍ୟକ୍ଷ ବାସଙ୍ଗ ଦେଇ ପ୍ରମୁଖ ସୁଚନା ଦେଇଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖି ଜଣାଇଥିବା ପ୍ରକାଶ କରିଛନ୍ତି ।