Odiapua.com

ଓଡିଶାରେ ଡେଲୋଏଟର ସଂପ୍ରସାରଣ ଦ୍ୱାରା ଯୁବ ବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

– କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ୍ ରେଞ୍ଜନଙ୍କୁ ଧନ୍ୟବାଦ
– ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ ନୂଆ ସମ୍ଭାବନା ସୃଷ୍ଟି କରିବ ଓ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ
– ଭୁବନେଶ୍ୱର ପରି ସହରରେ ଟ୍ୟାଲେଣ୍ଟ ହବ୍ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ

ଭୁବନେଶ୍ୱର, ୨୨.୦୪ (ଓଡ଼ିଆ ପୁଅ) : ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ ଦ୍ୱାରା ରାଜ୍ୟର ଯୁବ ବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପଦକ୍ଷେପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ୍ ରେଞ୍ଜନଙ୍କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ରେଞ୍ଜନଙ୍କ ସହ ସେ ଏକମତ ଯେ ଏହି ଶତାବ୍ଦୀ ଭାରତର ହେବ। ଭୁବନେଶ୍ୱର ଠାରେ ବହୁ ସ୍ୱଦେଶୀ କମ୍ପାନୀର ଉପସ୍ଥିତି ନୂଆ ସମ୍ଭାବନା ସୃଷ୍ଟି କରିବ ଓ ଭୁବନେଶ୍ୱର ପରି ସହରରେ ଟ୍ୟାଲେଣ୍ଟ ହବ୍ ପାଇଁ ନୂଆ ସୁଯୋଗ ଆଣିବ। ଅର୍ଥନୈତିକ ଅଭିବୃଦ୍ଧିର ନୂତନ କେନ୍ଦ୍ର ସ୍ଥାପନ କରିବା ସହ ଓଡିଶା ସମେତ ପୂର୍ବ ଭାରତରେ ନିଯୁକ୍ତି ଏବଂ ଉଦ୍ୟମିତା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ସୂଚନା ଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ସହ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ୍ ରେଞ୍ଜନ ୱାଶିଂଟନ୍ ଡିସି ଠାରେ ଶୁକ୍ରବାର ସାକ୍ଷାତ କରିଥିଲେ ଏବଂ ଭୁବନେଶ୍ୱର ଓ କୋଏମ୍ୱଟୁର ଠାରେ କମ୍ପାନୀର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ। ଏହା ସହ ଡେଲୋଏଟ ଗ୍ରାମଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏକ ଟୁଲ୍ ବିକଶିତ କରିଛନ୍ତି ଏବଂ ଭାରତରେ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଟ୍ୱିଟ୍ କରାଯାଇଛି।

ପ୍ରକାଶ ଥାଉକି ‘ଡେଲୋଏଟ’ ଅଡିଟ୍, ଆର୍ଥିକ ପରାମର୍ଶଦାତା, ରିସ୍କ ଆଡଭାଜରୀ, ଟିକସ ଏବଂ ଆନୁଷଙ୍ଗିକ ସେବା ପ୍ରଦାନକରିବାରେ ଏକ ଅଗ୍ରଣୀ ବହୁଦେଶୀୟ କମ୍ପାନୀ।