Odiapua.com

ଓଡିଶାରେ ଖଣି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ: ବିଜେଡି

ଭୁବନେଶ୍ୱର, ୧୬/୦୬ (ଓଡ଼ିଆ ପୁଅ) : ଓଡିଶା ଭାରତର ଏକ ମାତ୍ର ରାଜ୍ୟ ଯେ ଖଣି ନିଲାମ କରିଛି, ଯାହା କି ଅତି ସ୍ୱଚ୍ଛତା ଓ ନିରପେକ୍ଷତା ସହିତ କରାଯାଇଛି। ଏଥିପାଇଁ ଓଡିଶାକୁ ପ୍ରଶଂସା ମିଳୁଥିବାବେଳେ ବିଜେପି ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଓ ମିଥ୍ୟା ବିବୃତ୍ତିମାନ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ବିଧାୟକ ମୋହନ ମାଝିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଅତ୍ୟନ୍ତ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବରେ ଖଣି ନିଲାମ କରାଯାଇଛି। ଏଥିପାଇଁ କେନ୍ଦ୍ର ତଥା ଅନ୍ୟାନ୍ୟ ମହଲରୁ ଓଡିଶାକୁ ପ୍ରଶଂସା ମିଳିଛି।

ଯାହା ମନେହେଉଛି ଶ୍ରୀ ମାଝି ଖଣି ଅଧିନିୟମ ଏବଂ ନିୟମ ଆଦି ବିଷୟରେ ଟିକି ନିଖି ଭାବେ ଅବଗତ ନଥିବାରୁ ସେ ଏପରି ଭିତ୍ତିହୀନ ବିବୃତ୍ତିମାନ ପ୍ରଦାନ କରୁଛନ୍ତି। ଯଦି ତାଙ୍କର କୌଣସି ସନ୍ଦେହ ଅଛି, ତେବେ ସେ ଏହି ଘଟଣାରେ ତଦନ୍ତ କରିବାକୁ କେନ୍ଦ୍ରକୁ କହିପାରିବେ। ଏଥିରେ ବିଜେଡି ସରକାରଙ୍କର କିଛି ଲୁଚାଇବାର ନାହିଁ।

ଏଭଳି ବିବୃତ୍ତି ରଖିବାବେଳେ ଶ୍ରୀ ମାଝି ଲଜ୍ଜିତ ହେବା ଉଚିତ ଯେ କରୋନା ମହାମାରୀ ସମୟରେ ସେ କୌଣସି ପ୍ରସଙ୍ଗ ନ ପାଇ ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବାକୁ ସେ ଏପରି ମିଥ୍ୟା, କପୋଳକଳ୍ପିତ ଏବଂ ଭିତ୍ତିହୀନ ବିବୃତ୍ତିମାନ ପ୍ରଦାନ କରୁଛନ୍ତି। ତେଣୁ ମହାମାରୀ ସମୟରେ ଖଣି ଆଇନ୍ ସଂକ୍ରାନ୍ତରେ କିଛି ନବୁଝି ନସୁଝି ବିବୃତ୍ତି ଦେଇ ରାଜନୀତି ନକରିବାକୁ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।