Odiapua.com

ଓଡିଶାରେ କାଳିଆଠାକୁର ଓ କାଳୀଠାକୁରାଣୀ

– ଦେବପ୍ରସାଦ ମିଶ୍ର
ଖ୍ରୀଷ୍ଟାବ୍ଦ ଷୋଡଶ ଶତକର ପ୍ରଥମାର୍ଦ୍ଧରେ ଚୈତନ୍ୟଙ୍କ ଭକ୍ତିଧର୍ମ ଯେତେବେଳେ ଉତ୍ତର-ପୂର୍ବ ଭାରତକୁ ପ୍ଳାବିତ କରିବାକୁ ଲାଗିଲା ସେହି ପ୍ଳାବନର ମୂଳ ଉତ୍ସ ରହିଲା ପୁରୀରେ। ଚୈତନ୍ୟ ସଶିଷ୍ୟ ଆସି ପୁରୀରେ ବସବାସ କଲେ ଏବଂ ସେହିଠାରେ ଦେହ ତ୍ୟାଗ କଲେ। ବସ୍ତୁତଃ ସେହିଦିନୁ ବୈଷ୍ଣବ ସଂପ୍ରଦାୟର ପ୍ରାଣକେନ୍ଦ୍ର ହେଲା ପୁରୀ ଏବଂ ଜଗନ୍ନାଥଙ୍କ ବାର ମାସରେ ତେର ପର୍ବ ହେଲା ଏହି ବୈଷ୍ଣବ ସଂପ୍ରଦାୟର ମୁଖ୍ୟ ପର୍ବ ପର୍ବାଣୀ। ଏ କଥା ସର୍ବବାଦୀସମ୍ମତ ଯେ, ଚୈତନ୍ୟଙ୍କ ସଂପ୍ରଦାୟ, ଯାହାକି ଏବେ ଗୌଡିୟ ବୈଷ୍ଣବ ସଂପ୍ରଦାୟ ବୋଲି ଖ୍ୟାତ। ତାହା ଗୋଦାବରୀର ଉତ୍ତର ତୀରରୁ ଆସାମ ଓ ମଣୀପୁର ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ଫଳରେ ଜଗନ୍ନାଥ ଧର୍ମ ଓ ତାର ଆନୁସଙ୍ଗିକ ଚଳଣିଗୁଡିକ ଉତ୍ତର-ପୂର୍ବ ଭାରତର ବିରାଟ ଭୂଖଣ୍ଡରେ ପ୍ରାୟ ଚାରିଶହ ବର୍ଷ ଧରି ପ୍ରଭାବ ବିସ୍ତାର କରିଛି। ବଙ୍ଗଳା ଦେଶର ରାଜଧାନୀ ଢାକାର ବିଶ୍ୱବିଦ୍ୟାଳୟରେ ଜଗନ୍ନାଥ ହଲ୍, ପଶ୍ଚିମବଙ୍ଗର ମହେଶ, ଶାନ୍ତିପୁର ଓ କଲିକତାର ରଥଯାତ୍ରା ଏବେ ମଧ୍ୟ ସେହି ମହିମାର ସଙ୍କେତ ବହନ କରୁଛି। ଜଗନ୍ନାଥଙ୍କୁ ବାଦ ଦେଇ ଗୌଡୀୟ ବୈଷ୍ଣବ ସଂପ୍ରଦାୟକୁ କଳ୍ପନା କରାଯାଇ ନପାରେ କାରଣ ଏମାନଙ୍କର ଇଷ୍ଟ ଦେବତା ହେଲେ ଜଗନ୍ନାଥ ଏବଂ ମୁଖ୍ୟ ପର୍ବ ହେଲା ରଥଯାତ୍ରା। ଏବେ ଗୌଡୀୟ ବୈଷ୍ଣବ ମାନେ ଇଉରୋପ ଓ ଆମେରିକା ର ବିଭିନ୍ନ ସ୍ଥାନରେ ମଠ ମାନ ସ୍ଥାପନ କରି ମହାସମାରୋହରେ ଜଗନାଥଙ୍କ ରଥଯାତ୍ରା ପାଳନ କରୁଛନ୍ତି ଏବଂ ସେହି ଉତ୍ସବର ଚିତ୍ରମାନ ସେ ଦେଶମାନଙ୍କର ପତ୍ରପତ୍ରିକାରେ ପ୍ରକାଶିତ ହେଉଛି। ଇଂରେଜମାନେ ଯେତେବେଳେ ସେମାନଙ୍କର ବାଣିଜ୍ୟ କେନ୍ଦ୍ର କଲିକତାରେ ପ୍ରତିଷ୍ଠା କଲେ ଯାହାକି ପରେ ଶାସନ କେନ୍ଦ୍ରରେ ରୂପାନ୍ତରିତ ହେଲା ସେହି କଲିକତାରେ ଅଷ୍ଟାଦଶ ଓ ଉନବିଂଶ ଶତକରେ ଜଗନ୍ନାଥଙ୍କର ବହୁ ପୀଠ ଥିଲା ଏବଂ ଅନ୍ୟାନ୍ୟ ପର୍ବ ସହ ରଥଯାତ୍ରା ଖୁବ ଆଡମ୍ବରରେ ପାଳିତ ହେଉଥିଲା। ପୁରାତନ କଲିକତାର ପତ୍ରପତ୍ରିକାରୁ ଜଣାଯାଏ ଯେ, ବୈଠକଖାନା ଅଞ୍ଚଳରେ ଗୋଟିଏ ବିରାଟ ରଥ ଥିଲା। ବର୍ଷ ସାରା ରଥଟି ଗୋଟିଏ ପ୍ରକାଣ୍ଡ ବଟ ବୃକ୍ଷ ମୂଳରେ ରଖା ଯାଉଥିଲା। ଲାଲଦୀଘି ବା ଏବକାର ଡେଲ୍ ହାଉସି ସ୍କେୟାର ପାଖରୁ ସିଆଲଦା ନିକଟସ୍ଥ ବୈଠକଖାନା ପର୍ଯ୍ୟନ୍ତ ଗୋଟିଏ ସୁପ୍ରଶସ୍ତ ସରଳ ପଥ ଥିଲା। ସେଥିରେ ଏହି ରଥଟି ଟଣାଯାଉ ଥିଲା। ପୋସ୍ତାରେ ( ଏବର ବଡ ବଜାର ଅଞ୍ଚଳ ) ଜଗନ୍ନାଥ ଦେବଙ୍କର ତିନି ଖଣ୍ଡ ସୁ ବୃହତ ରଥ ଥିଲା। ଏହା ବର୍ଷସାରା ଗାରାଣହାଟରେ ଲାଲାବାବୁଙ୍କ ଘର ପ୍ରାଙ୍ଗଣରେ ରହୁଥିଲା।

 

ରାଣି ରାସମଣି କଲିକତାର ଏକ ବିଖ୍ୟାତ ରମଣୀ ଥିଲେ। ସେ ଜାତିରେ ମାହିଷ୍ୟ ଏବଂ ମେଦିନୀପୁର ଅଞ୍ଚଳରେ ତାଙ୍କର ପିତୃଗୃହ ତଥା ଶ୍ୱଶୁରାଳୟ ଥିଲା। ତାଙ୍କ ଶ୍ୱଶୁର ଅତି ଦରିଦ୍ର ଥିଲେ। ବ୍ୟବସାୟ କରି ସେ ପ୍ରଚୁର ଧନ ଉପାର୍ଜନ କରିଥିଲେ। ସେ ତାଙ୍କ ବାସଗୃହ ନିକଟରେ ମନ୍ଦିର ତୋଳି ତିନି ଦେବତାଙ୍କୁ ପ୍ରତିଷ୍ଠା କରିଥିଲେ। ସେ ଏକ ରୌପ୍ୟନିର୍ମିତ ରଥ ପ୍ରସ୍ତୁତ କରିଥିଲେ। ଏହି ରଥଯାତ୍ରା ଦେଖିବାକୁ ବହୁ ଲୋକ ସମାଗମ ହେଉଥିଲା। ଏହା ଛଡା ଆହୁରି ଅନେକ ଜଗନ୍ନାଥଙ୍କ ପୀଠ କଲିକତାର ବିଭିନ୍ନ ଅଞ୍ଚଳରେ ଥିଲା। ସେଠାରୁ ଜଗନ୍ନାଥ ଭ୍ରାତା ଭଗିନୀ ସହ ରଥାରୂଢ ହୋଇ ମାଉସି ବାଡିକୁ ଯାତ୍ରା କରୁଥିଲେ। ରଥଟଣା ଦିନ ବଡ ବଡ ସଦୃଶ୍ୟ ପତାକା, ଝାଲର ଦିଆ ଛତା, ବଡ ବଡ ତାଳପତ୍ର ପଙ୍ଖା, ନାନା ପ୍ରକାର ମଶାଲ ସମାରୋହରେ ନଗର ସଂକୀର୍ତ୍ତନ ବାହାରୁଥିଲା।ବସ୍ତୁତଃ ରଥଯାତ୍ରା ସେ କାଳରେ କଲିକତାର ପ୍ରଧାନ ପର୍ବ ହିସାବରେ ପାଳିତ ହେଉଥିଲା। ସେ କାଳର କଲିକତାରେ ଦୋଳଯାତ୍ରା ବେଳେ ଲୋକେ ଅବାଧରେ ଅଶ୍ଳୀଳ ସଙ୍ଗୀତ ଗାଉଥିଲେ। ମାତ୍ର ରଥଯାତ୍ରାରେ ସେଭଳି ଅଶାଳୀନ ବ୍ୟବହାର କେହି କରୁନଥିଲେ। ଏବେ ମଧ୍ୟ କଲିକତାରେ ରଥାଯାତ୍ରା ହୁଏ। କିନ୍ତୁ ସେ ଯୁଗର ଗୌରବ, ସେ ଆଉ ପାଉ ନାହିଁ। ଅଷ୍ଟାଦଶ ଶତକର ଶେଷ ଆଡକୁ ଗୌଡୀୟ ବୈଷ୍ଣବ ଧର୍ମର ବନ୍ୟାରେ ଯେତେବେଳେ ଭଟ୍ଟା ପଡିଲା, ଶାକ୍ତ ଧର୍ମ ସେତେବେଳେ ସେହି ସୁଯୋଗର ପୂର୍ଣ୍ଣ ଉପଯୋଗ କଲା। ବଙ୍ଗଳାରେ ମୁକୁନ୍ଦରାମ, ଭାରତଚନ୍ଦ୍ର, ରାମପ୍ରସାଦ ପ୍ରଭୃତି ଶକ୍ତି-ଉପାସକମାନେ ଜନସଂସ୍କୃତିର ପୁରୋଭାଗରେ ଛିଡାହୋଇ ଗୌଡୀୟ ବୈଷ୍ଣବଙ୍କୁ ତୀର୍ବ ଶ୍ଳେଷରେ ଜର୍ଜରିତ କଲେ। ଏହି ବିଦ୍ୱେଶ ପାଇଁ ପ୍ରେରଣା ମିଳିଲା କାଳୀଘାଟର କାଳୀଙ୍କ ଠାରୁ। କାଲୀଘାଟର ଦେବଙ୍କ ବିଷୟରେ ନାନା ଜନଶ୍ରୁତି ଅଛି। ମାତ୍ର ସେଗୁଡିକ ପରସ୍ପର ବିରୋଧି ହୋଇଥିବାରୁ ବିଶ୍ୱାସୀ ପ୍ରମାଣ କିଛି ମିଳେନାହିଁ। କାଳୀଙ୍କର ସେବାୟତଙ୍କ ପାଖରୁ ଯାହା ଖବର ମିଳେ ସେଥିରୁ ଜଣାଯାଏ ଯେ ଭୁବନେଶ୍ୱର ଚକ୍ରବର୍ତ୍ତୀ ନାମକ ଜଣେ ବ୍ରାହ୍ମଣ ଏହି ପୀଠର ପ୍ରତିଷ୍ଠାତା। ବର୍ତ୍ତମାନ କାଳୀଘାଟରେ ଦେବୀଙ୍କ ପୂଜକମାନେ ହାଲଦାର ଉପାଧିଧାରୀ, ସେମାନେ କୁହନ୍ତି ଭୁବନେଶ୍ୱର ଚକ୍ରବର୍ତ୍ତୀଙ୍କ ଜାମାତା ଭବାନୀ ଦାସ ଶ୍ୱଶୁରଙ୍କଠାରୁ ଏହି ସେବାୟତଗିରି ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ ଏବଂ ଏହି ଭବାନୀ ଦାସ ହେଉଛନ୍ତି ବର୍ତ୍ତମାନ ସେବାୟତଙ୍କ ପୂର୍ବପୁରୁଷ। ଏହି ଭବାନୀ ଦାସ ଖ୍ୟାତାନାମା ବ୍ୟକ୍ତି ଥିଲେ, କାରଣ କଲିକତାର ଭବାନୀପୁର ତାଙ୍କରି ନାମାନୁସାରେ ନାମିତ ହୋଇଥିଲା। ସେ ଯାହାହେଉ କାଳୀଘାଟରେ ବର୍ତ୍ତମାନ ଯେଉଁ ମନ୍ଦିରଟି ଅଛି, ତାହା ୧୮୦୯ ଖ୍ରୀଷ୍ଟାବ୍ଦରେ ବଡିଶାର ଜମିଦାର ସନ୍ତୋଷ ରାୟଙ୍କ ଅର୍ଥରେ ତାଙ୍କ ପୁତ୍ରଙ୍କ ଦ୍ୱରା ତିରିଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏହି ପୀଠର ପରୀଚାଳନା ପାଇଁ ମନ୍ଦିରର ଚାରିପଟେ ୫୯୫ ବିଘା ଦେବୋତ୍ତର ସମ୍ପତ୍ତି ମଧ୍ୟ ଅଛି। ଏହି କାଳୀକ୍ଷେତ୍ରର ଉତ୍ପତି ବିଷୟରେ ଅନୁସନ୍ଧାନ କଲେ ଜଣାଯାଏ ଯେ, ଏହି ପୀଠଟି ଏକ ଜଙ୍ଗଲାଜୀର୍ଣ୍ଣ ଅପନ୍ତରା ଜାଗାରେ ଥିଲା। ଏହି ସ୍ଥାନରେ ଜଳଦସୁ୍ୟମାନେ କାଳୀମୂର୍ତ୍ତୀ ସ୍ଥାପନା କରି ପୁଜା କରୁଥିଲେ ଏବଂ ଏଠାରେ ନରବଳୀ ମଧ୍ୟ ଦିଆଯାଉଥିଲା। ମଧ୍ୟଯୁଗୀୟ ମୁସଲମାନ ଐତିହାସିକ ଜିଆଉଦ୍ଦିନ ବାରନିଙ୍କ ବିବରଣୀରୁ ଜଣାଯାଏ ଯେ, ଜଲାଜୁଦ୍ଦିନ ଖିଲଜିଙ୍କ ଶାସନ କାଳରେ ପ୍ରାୟ ଏକ ହଜାର ଠଗ ଧରା ପଡନ୍ତି। ସମ୍ରାଟଙ୍କ ଆଦେଶରେ ସେମାନଙ୍କୁ ନୌକାରେ ବଙ୍ଗଳା ଦେଶକୁ ପଠାଇ ଦିଆଯାଇଥିଲା। ପରଯୁଗର ବଙ୍ଗଳାର ଜଳଦସୁ୍ୟମାନେ ଯେ ଏହି ଠଗ ମାନଙ୍କର ଉତ୍ତର ସାଧକ ଏଥିରେ ସନ୍ଦେହର କାରଣ ନାହିଁ। କଲିକତା ନିକଟସ୍ଥ କାଳୀକ୍ଷେତ୍ର ଏହିମାନଙ୍କର ପ୍ରଧାନ ପୀଠ ଥିଲା, କାରଣ ସେଠାରେ ଅସୁର ରକ୍ତବୀଜଙ୍କୁ କବର ଦିଆଯାଇଥିଲା। ଉପରୋକ୍ତ ଘଟଣା ସଙ୍ଗରେ ବଡିଶାର ଜମୀଦାରଙ୍କ ଏହି ପୀଠ ଆବିଷ୍କାରର ଗଳ୍ପ ମିଳିଯାଏ। ଜନ ସୃତି କହେ ଯେ, ସାବର୍ଣ୍ଣ ଗୋତ୍ରଜ ସନ୍ତୋଷ ଚୌଧୁରୀ ନାମକ ଜମୀଦାର ଥରେ ସନ୍ଧ୍ୟା ବେଳେ ଭାଗୀରଥୀ ବକ୍ଷରେ ନୌକାରେ ଯାଉଁ ଯାଉଁ ଗଭୀର ବନ ମଧ୍ୟରେ ଶଙ୍ଖ, ଘଣ୍ଟା, ଶବ୍ଦ ଶୁଣି କୌତୁହଳୀ ହୋଇ ସେଠାକୁ ଯାଆନ୍ତି। ଯାଇ ଦେଖନ୍ତି ଯେ, ଜଣେ ବ୍ରହ୍ମଚାରୀ କାଳୀ ମୂର୍ତ୍ତିର ସନ୍ଧ୍ୟାକାଳୀନ ଆରତୀ କରୁଛି। ସେହିଦିନୁ ସେ ଏହି ପୀଠ ପ୍ରତି ଆକୃଷ୍ଟ ହୋଇ ଶେଷରେ କାଳୀଘାଟରେ ମନ୍ଦିର ନିର୍ମାଣ କରାଇଥିଲେ। ଇଂରେଜ ଶାସନରେ ବଙ୍ଗଳାର ଧର୍ମ-ସଂସ୍କୃତି ର ପ୍ରତୀକ ହେଲେ କଲିକତାର କାଳୀ। କାଳୀଘାଟର କାଳୀଙ୍କ ବ୍ୟତୀତ ଦକ୍ଷିଣେଶ୍ୱରରେ ରାଣୀ ରସମଣିଙ୍କ ବଦାନ୍ୟତାରେ ଏକ କାଳୀକ୍ଷେତ୍ର ପ୍ରତିଷ୍ଠା ହୋଇଥିଲା ଏବଂ ରାମକୃଷ୍ଣ ପରମହଂସ ଏହି ଦକ୍ଷିଣେଶ୍ୱର କାଳୀଙ୍କର ପୂଜକ ଥିଲେ। କାଳକ୍ରମେ ବଙ୍ଗଳାର ବିଭିନ୍ନ ସ୍ଥାନରେ କାଳୀବାଡି ମାନ ସ୍ଥାପିତ ହେବାକୁ ଲାଗିଲା। କେବଳ ବଙ୍ଗଳା କାହିଁକି ଭାରତର ଅନ୍ୟତ୍ର ମଧ୍ୟ କାଳୀବାଡିମାନ ବଙ୍ଗାଳୀମାନେ ସ୍ଥାପନ କରିଥିଲେ। କେବଳ କାଳୀବାଡି ପ୍ରତିଷ୍ଠାରେ ବଙ୍ଗାଳୀମାନେ ସନ୍ତୁଷ୍ଟ ହେଲେନାହିଁ। କାର୍ତ୍ତିକ ପୂର୍ଣ୍ଣିମା ଓ କୁମାର ପୂର୍ଣ୍ଣିମା ମଧ୍ୟବର୍ତ୍ତୀ ଅମାବାସ୍ୟାଟି କାଳୀପୂଜା ନାମରେ ଖ୍ୟାତ ହେଲା। ଏହି ଦିନ ମୃଣ୍ମୟୀ କାଳୀଙ୍କ ପୂଜା ମଧ୍ୟ ହେଲା।ଓଡିଶାକୁ ଏ ପୂଜା ଆଣିଥିଲେ ରେଳ କର୍ମଚାରୀମାନେ। ଓଡିଶାର ଉପକୂଳ ଅଞ୍ଚଳରେ ଯେତେବେଳେ ରେଳଗାଡି ଚାଲିଲା ସେତେବେଳେ ଷ୍ଟେସନ ପରିଚାଳନା ପାଇଁ ଯେଉଁ କର୍ମଚାରୀ ନିଯୁକ୍ତ ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବଙ୍ଗାଳୀ। ସେମାନଙ୍କ ଉଦ୍ୟମରେ ପ୍ରାୟ ପ୍ରତି ରେଳ ଷ୍ଟେସନରେ କାଳୀମୂର୍ତ୍ତି ତିଆରି ହୋଇ ପୂଜା ପାଇବାକୁ ଲାଗିଲେ। ବଙ୍ଗାଳୀଙ୍କ ଏହି କାଳୀପୂଜାର ପ୍ରସାରରେ ସହାୟକ ହେଲେ ମାରୁଆଡି ଓ ଗୁଜୁରାଟୀ ବ୍ୟବସାୟୀ ବୃନ୍ଦ। କାଳୀପୂଜା ଓ ଦିବାଲୀ ଏକ ପର୍ବ। ଦୀବାଲି ସେମାନଙ୍କ ବ୍ୟବସାୟର ନବ ବର୍ଷସୂଚକ। ଫଳରେ କାଳୀପୂଜା ଓ ଦିବାଲୀ ଜାତୀୟ ପର୍ବ ବୋଲି ଓଡିଶାରେ ଗୃହୀତ ହୋଇଗଲା।ମୁସଲମାନ ବା ମରହଟ୍ଟା ମାନଙ୍କ ଶାସନରେ ଉପରୋକ୍ତ ପର୍ବ ଦିଓଟି ଏ ଦେଶରେ ପାଳିତ ହେବାର କୌଣସି ନିଦର୍ଶନ ନାହିଁ। ଦୀପାବଳୀ ପାଳିବା ଏ ଦେଶରେ ଶିବ ଚତୁର୍ଦ୍ଦଶୀ ପର୍ବ। କାଳୀପୂଜାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପ୍ରଥା ଓଡିଶାରେ ଏବେ ମଧ୍ୟ ପାଳିତ ହୁଏ। ଲୋକକଥାରେ ସେ ଦିନଟିକୁ ପ୍ରାୟ ଶ୍ରାଦ୍ଧ ବୋଲି କୁହାଯାଏ। ସେଦିନ କାଉଁରିଆ ଜାଳି ପିତୃପୁରୁଷଙ୍କୁ ସ୍ୱର୍ଗକୁ ବାଟ ଦେଖାଯାଏ। ଜଗନ୍ନାଥ ଐତିହ୍ୟ ତୁଳନାରେ କାଳୀ ଉପାସନା ଅତି ଅର୍ବାଚୀନ। ଓଡିଶାକୁ ଏହିପର୍ବ ବଙ୍ଗାଳୀ ଓ ପଶ୍ଚିମାମାନେ ଆଣିଛନ୍ତି। ଓଡିଶାର ଜାତୀୟ ପର୍ବ ହେଉଛି ରଥଯାତ୍ରା। ଏ ସଂପର୍କରେ ସାହିତ୍ୟିକ, ଗବେଷକ, ସର୍ବଶ୍ରୀ ମହେଶଚନ୍ଦ୍ର ମହାପାତ୍ର, ଗୌରୀ କୁମାର ବ୍ରହ୍ମା, ଆଚାର୍ଯ୍ୟ ହରିହର ଦାସ, ପ୍ରମୁଖ ଅନେକ ଏହା ଉପରେ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮