Odiapua.com

ଓଡିଶାବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବା ନେଇ ହେଲା ଆଲୋଚନା-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ

– ଇସ୍ପାତ ବିଭାଗ ସହିତ ଓଡିଶାର ସମ୍ପର୍କ ବହୁ ପୁରୁଣା, ପ୍ରସ୍ତାବିତ ୩୦୦ ମିଲିୟନ ମେଟ୍ରିକ ଟନରୁ ୧୦୦ ମିଲିୟନ ମେଟ୍ରିକ ଟନ୍ ଓଡିଶାର ଭାଗ ହୋଇଥିବାରୁ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶ ପ୍ରାଥମିକତା
– ବାତ୍ୟା ଫନୀ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଅପେକ୍ଷାକୁ ଭାରତ ସରକାର ପୂରା କରିବାର ଦାୟିତ୍ୱ ଉପରେ ଆଲୋଚନା
– ରାଜନୈତିକ ବିଷୟରେ ଆଲୋଚନା ନୁହେଁ ସାଢେ ଚାରି ଓଡିଆଙ୍କ ଜୀବନରେ ମୂଳଭୁତ ପରିବର୍ତ୍ତନ ହେବା, ଯୁବକମାନେ ରୋଜଗାର ପାଇବା ପ୍ରମୁଖ ବିଷୟ
– ଓଡିଶାର ବିକାଶ ପାଇଁ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ ନେଇ ଆଲୋଚନା
– କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେଲ୍ର ୩ କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୪ (ଓଡ଼ିଆ ପୁଅ) – ଆଗାମୀ ଦିନରେ ଓଡିଶାର ବିକାଶ ତଥା ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ମିଶି କିପରି କାମ କରିବେ ସେ ନେଇ ସବିଶେଷ ଆଲୋଚନା କରାଗଲା ବୋଲି ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ ବିଭାଗ ସହିତ ଓଡିଶାର ସମ୍ପର୍କ ବହୁ ପୁରୂଣା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ରରେ ଇସ୍ପାତ ବିଭାଗର ଦାୟିତ୍ୱରେ ଥିଲେ। ଓଡିଶାର ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରର ପ୍ରଶାସନିକ ଦାୟିତ୍ୱ ଇସ୍ପାତ ଓ ଖଣି ବିଭାଗରୁ ଆରମ୍ଭ କରିଥିଲେ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶା ଗୋଟିଏ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ। ଇସ୍ପାତ ପଲିସିରେ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଷ୍ଟିଲ ଉତ୍ପାଦନ ହେବା ଲକ୍ଷ୍ୟ ରଖାଯାଇଥିବାବେଳେ ସେଥିମଧ୍ୟରୁ କେବଳ ଓଡିଶାରୁ ୧୦୦ ମିଲିୟନ ମେଟ୍ରିକ ଟନ ଷ୍ଟିଲ ଉତ୍ପାଦନ ହେବ ବୋଲି ପଲିସିରେ ଉଲ୍ଲେଖ ଅଛି। ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ବେଳେ ଆଗାମୀ ଦିନରେ ବିଶେଷତଃ ଓଡିଶା ପାଇଁ କଣ କରାଯାଇପାରିବ ସେ ନେଇ ଉଦ୍ୟମ କରାଯିବ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଆଲୋଚନାରେ ସାମୁଦ୍ରିକ ବାତ୍ୟା ଫନୀ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଅପେକ୍ଷାକୁ ଭାରତ ସରକାର ପୂରା କରିବାର ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସେହିପରି ଓଡିଆ ଲୋକଙ୍କ ସେବା କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଦାୟିତ୍ୱ ଅଛି। ସେହି ଦାୟିତ୍ୱ ଗୁଡିକୁ ଯେପରି ଅଧିକ ସମନ୍ୱୟ ଆଧାରରେ ପୂରା କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସାକ୍ଷାତକାର ରାଜନୈତିକ ନୁହେଁ ବରଂ ସୌଜନ୍ୟମୂଳକ ଥିଲା। ଓଡିଶାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଥିବା ଦାୟିତ୍ୱ ନେଇ ଆଲୋଚନା ହୋଇଥିଲା। ସର୍ବଦା ରାଜନୈତିକ ବିଷୟରେ ଆଲୋଚନା ନୁହେଁ ସାଢେ ଚାରି ଓଡିଆଙ୍କ ଜୀବନରେ ମୂଳଭୁତ ପରିବର୍ତ୍ତନ ହେବା, ଯୁବକମାନେ ରୋଜଗାର ପାଇବା ପ୍ରମୁଖ ବିଷୟ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଲୋକମାନେ ତାଙ୍କ ମତ ଦେଇଛନ୍ତି। ଚଳିତ ନିର୍ବାଚନରେ ଓଡିଶାର ଲୋକମାନେ ରାଜ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓ କେନ୍ଦ୍ରରେ ଦିଲ୍ଲୀ ସରକାର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ(ସେଲ୍)ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।