Odiapua.com

ଓଡିଆ ସାହିତ୍ୟରେ ମାଆର ଭାଷା

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସଂସ୍କୃତି ସଙ୍ଗଠନ “ଆମେ” ର ୬୪ତମ ଅମାବାସ୍ୟ ଆସର ପ୍ରଜ୍ଞାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମଂଚାସୀନ ଥିଲେ ଡ. କ୍ଷୀରୋଦ ସାମଲ, ଡ. ନାରାୟଣ ସେନାପତି, ଡ. ପ୍ରଫୁଲ୍ଲ ସାହୁ ଏବଂ ପ୍ରାଧ୍ୟାପିକା ଉଷାରାଣୀ ଜେନା, ବରେଣ୍ୟ ବକ୍ତାମାନଙ୍କର ବକ୍ତବ୍ୟକୁ ସମୀକ୍ଷା କରିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିଶୁ ସାହିତ୍ୟିକ ଡ. ମନିନ୍ଦ୍ର ମହାନ୍ତ ମହାନ୍ତି । ଅନ୍ୟମାନଙ୍କ ମଧ୍ୟରୁ ଡକ୍ଟର ସୁଧୀର ଜେନା, ଭାନୁମତି ମାଟିଆ, ଜଗନ୍ନାଥ ରାଉତ, ମଦନ ମୋହନ ମହାକୁଡ,ମନୋଜ ପଣ୍ଡା, ଲଳିତ ମଲ୍ଲିକ, ଅଂଶୁମାନ ନାୟକ, ଅରୂପାନନ୍ଦ ନାୟକ, ଆଡଭୋକେଟ ଅଗଣୀ ଚରଣ ଜେନା, ଶରତ ଚନ୍ଦ୍ର ମହାନ୍ତି, ବିପ୍ଳବ ହୋତା, ବରିଷ୍ଠ ନାଗରିକ ମହାସଂଘ ସାମ୍ବାଦିକ କୈଳାଶ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ଦାସ, ଅର୍ଜୁନ ଚରଣ ବାରିକ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ମାଆର ଭାଷା କିପରି ଧିରେ ଧିରେ ଲୋପ ପାଇଯିବାକୁ ବସିଲାଣି ଉଦାହରଣ ଛଳରେ କହିଥିଲେ । ମା ଝିଅକୁ ଶିଖେଇ ଥିବା କାନ୍ଦଣା, ଛୋଟ ପିଲାକୁ ଶୁଣାଉ ଥିବା ଲୋରୀ, ବୁଢୀ ଅସୁରୁଣ ଗପ, ବାଇଆ, ବାଇଆଣୀ ଆସିବେ ଶୋଇପଡ ଇତ୍ୟାଦି କଥା, ଶବ୍ଦ, ଢଗ ଢମାଳୀ ଧିରେ ଧିରେ ଜନମାନସରୁ ହଜି ଯାଉଛି ଏବଂ ଆମ ଅଭିଧାନରେ ଆଉ ସ୍ଥାନିତ ହେଉନାହିଁ । ବୋକଦେବା(ଚୁମା ଦେବା) ପରି ମାର ମମତାଶିକ୍ତ ଶବ୍ଦ ଲୋପ ପାଇଯିବାକୁ ବସିଲାଣି । ମାଆର ଭାଷାରେ ଲେଖି ଗୋପିନାଥ ମହାନ୍ତି, କାହ୍ନୁଚରଣ, ସଚ୍ଚିରାଉତତରାୟ, ରାଧାମୋହନ ଗଡନାୟକର ସାହିତ୍ୟ କାଳଜୟୀ ହୋଇପାରିଥିଲା ବୋଲି ସର୍ବସମ୍ମତି କ୍ରମେ ମତପ୍ରକାଶ ପାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାରିକ ଏବଂ ମଂଚ ସଂଯୋଜନା କରିଥିଲେ ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ ।