Odiapua.com

‘ଓଡିଆ ପୁଅର ପ୍ରଭାବ’ଖବର ପ୍ରସାରଣ ପରେ ଚେତିଲା ଜଙ୍ଗଲ ବିଭାଗ, ୨ ମେସିନ ଜବତ, ୩ ଗିରଫ

ଯୋଡା, ୩୦/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଏକ ଖଣିରୁ ଲୁହାପଥର ପରିବହନ ନିମନ୍ତେ ସଂରକ୍ଷୀତ ଜଙ୍ଗଲ ମଧ୍ୟରେ ଶହ ଶହ ମୂଲ୍ୟବାନ ଗଛ ଜେସିବି ସାହାଯ୍ୟରେ ଧରାସାଇ କରାଯାଇ ଚାଲିଥିଲା ଅବୈଧ ରାସ୍ତା ନିର୍ମାଣ । ଗୁରୁବାର ଦିନ ‘ଓଡିଆ ପୁଅ’ ୱେବରେ ଖବର ପ୍ରକାଶ ପାଇବା ପରେ ହଠାତ୍ ଜଙ୍ଗଲ ବିଭାଗ ଏବେ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ନିର୍ମାଣରେ ବ୍ୟବହୃତ ଗୋଟିଏ ପୋକଲେନ ଏବଂ ଗୋଟିଏ ଜେସିବିକୁ ଶନିବାର ସକାଳୁ ଜଙ୍ଗଲ ବିଭାଗ ଜବତ କରିବା ସହ ଏହାର ମାଲିକ ଏବଂ ଚାଳକ ମୋଟ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଝାରଖଣ୍ଡ ରାଜ୍ୟର ହାସିମ ରାଜ, ମହେଶ ସିଂ ଓ ଅରବିନ୍ଦ କୁମାର ସିଂ ବୋଲି ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନିର୍ମାଣ କାର‌୍ୟ୍ୟ ପାଇଁ ଜଙ୍ଗଲ ବିଭାଗରୁ କୌଣସି ଅନୁମତି ସମ୍ପୃକ୍ତ ସଂସ୍ଥା ନେଇନଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ସେକସନର ପିଢପୋଖରୀ ଠାରୁ କାଦକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରକାଶ ଇଣ୍ଡଷ୍ଟ୍ରି ପର‌୍ୟ୍ୟନ୍ତ ଏକ ୩୦ ଫୁଟ ଚଉଡା ବିଶିଷ୍ଟ ପ୍ରାୟ ୧୦ କିମି ଦୀର୍ଘ କଚା ରାସ୍ତା ପ୍ରକାଶ ଇଣ୍ଡଷ୍ଟ୍ରୀ ଖଣିରୁ ପରିବହନ ନିମନ୍ତେ ଯୁଦ୍ଧକାଳୀନ ଭୀତିରେ କାମ କରାଯାଉଥିଲା । ସଂରକ୍ଷୀତ ତଥା ଗ୍ରାମ୍ୟ ଜଙ୍ଗଲ ମଧ୍ୟ ଦେଇ ଓଏମ୍‌ସି କମ୍ପାନୀର ଲିଜ୍ ଅଞ୍ଚଳରେ ଏହି କାର‌୍ୟ୍ୟ ଚାଲୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ନିକଟରେ କୌଣସି ଖବର ନଥିଲା । ସେଥିପାଇଁ ସଂରକ୍ଷୀତ ଜଙ୍ଗଲରୁ ବେଧଡକ ଚାଲିଥିଲା ଗଛ କଟା । ଏହି ନୂତନ ରାସ୍ତା ନିର୍ମାଣ ନିମନ୍ତେ ହଜାର ହଜାର ବିରାଟକାୟ ବୃକ୍ଷକୁ କାଟି ଧରାସାଇ କରିଦିଆଯାଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରସାରଣ ପରେ କେନ୍ଦୁଝର ବନ ବିଭାଗର ଏସିଏଫ୍ ଘନଶ୍ୟାମ ମହାନ୍ତ, ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର, ବାମେବାରୀ ଫରେଷ୍ଟର ଜତିନ୍ଦ୍ର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କାର‌୍ୟ୍ୟରତ ଅବସ୍ଥାରେ ରାସ୍ତା ନିର୍ମାଣରେ ବ୍ୟବହୃତ ମେସନ ଗୁଡିକୁ ଜବତ କରିଥିଲେ । ଘଟଣାରୁ ପ୍ରକାଶ ଏନ.ଆର.ଜି.ଏସ୍‌. କାମର ବାହାନାରେ ରାତିଦିନ ୨୪ ଘଣ୍ଟା ମେସିନ ଲଗାଯାଇ ଏହି କାର‌୍ୟ୍ୟ ଚାଲୁଥିବା ବେଳେ ସେଠାରେ କୌଣସି ସୂଚନା ଫଳକ ଲଗାଯାଇନଥିବା ସହିତ ଜଙ୍ଗଲ ବିଭାଗର ଅନୁମତି ମଧ୍ୟ ନଥିବା ବନବିଭଗର ଏସିଏଫ୍ ଶ୍ରୀ ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ଗିରଫ ପୋକଲେନର ମାଲିକ ହାସିମ ରାଜଙ୍କ କହିବା ଅନୁଯାୟୀ ବସନ୍ତପୁର ରୁଗୁଡି ସାହିର ଶାନ୍ତନୁ ବାରିକ୍ ନାମକ ଜଣେ ବ୍ୟକ୍ତି ଏହି ରାସ୍ତା ନିର୍ମାଣ କାମଟି ନେଇଥିବା ବେଳେ ୧୫ଶହ ଗଛ କାଟିବା ପାଇଁ ତାଙ୍କର ଅନୁମତି ଥିବା କହି ତାଙ୍କ ପୋକଲେନଟିକୁ ଭଡା ସୂତ୍ରରେ ନେଇଥିଲେ । ଏହି ରାସ୍ତା ନିର୍ମାଣ ନିମନ୍ତେ ତାଙ୍କର ପାଖରେ କୌଣସି ଅନୁମତି ନଥିବା ସେ ଏବେ ଜାଣିବାକୁ ପାଇଲେ ବୋଲି କହିଥିଲେ । ତେବେ ଶାନ୍ତନକୁ ଜଙ୍ଗଲ ବିଭାଗ ଏପର‌୍ୟ୍ୟନ୍ତ ଗିରଫ କରିନଥିବା ଜଣାପଡିଛି । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଶାନ୍ତନୁଙ୍କ ସମ୍ପର୍କ ରହିଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ, ସରକାର ଜଙ୍ଗଲ ଆଇନକୁ କଡାକଡି କରିବା ନିମନ୍ତେ ତଥା ଜଙ୍ଗଲ ଓ ପରିବେଷ ବିଭାଗର ସମସ୍ତ କାର‌୍ୟ୍ୟରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ‘ମୋ ଜଙ୍ଗଲ’ ଓ ‘ନୋ ୟୋର ଫରେଷ୍ଟ ଲ୍ୟାଣ୍ଡ’ ନାମକ ୨ଟି ମୋବାଇଲ ଆପ୍ ନିକଟରେ ଲୋକାର୍ପିତ କରିଛନ୍ତି । ଶୁକ୍ରବାର ଲୋକସଭା ଭବନରେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁକ ଏହି ଆପ୍ କୁ ଲୋକାର୍ପିତ କରିବା ଅବସରରେ ଏହି ଆପ ପ୍ରଚଳନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ୫ଟି ଓ ମୋ ସରକାର ଉଦ୍ୟମର ଏକ ଅଂଶବିଶେଷ ବୋଲି କହିଛନ୍ତି । ତେବେ ଏହି ଘଟଣାଟିରେ କଟାଯାଇଥିବା ଶହ ଶହ ସଂଖ୍ୟାରେ ମୂଲ୍ୟବାନ ଗଛର ଭରଣା କିପରି କରାଯିବ ଓ ଅଭିଯୁକ୍ତମାନଙ୍କ ପ୍ରତି ଜଙ୍ଗଲ ବିଭାଗ କି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଜାଣିବାକୁ ପରିବେଷବିତ୍ ମାନେ ଚାହିଁରହିଛନ୍ତି ।