Odiapua.com

ଓଡିଆ ଝିଅ ଦେବଦର୍ଶୀ ମିଶ୍ର ‘ଜାତୀୟ ମଡେଲ’ ବିଜେତା

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ଝିଅ ଦେବଦର୍ଶୀ ମିଶ୍ର ସର୍ବଭାରତୀୟ ମଡେଲ ପ୍ରତିଯୋଗୀତାରେ ଟାଇଟେଲ ବିଜୟନୀ ହୋଇ ଓଡିଶା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି । ନୂଆଦିଲ୍ଲୀ ହଲିଡେ ଇନ ପଞ୍ଚତାରକା ହୋଟେଲରେ ‘ପିଜି-୩ ଏଣ୍ଟରଟେନମେଣ୍ଟ’ ଦ୍ୱାରା ଗତ ୩୦ ଓ ୩୧ ତାରିଖରେ ଆୟୋଜିତ ‘ନେକଷ୍ଟ ଟପ ମଡେଲ ସିଜିନ-୩’ ପ୍ରତିଯୋଗୀତାରେ ବାରଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ସର୍ବଶ୍ରେଷ୍ଠ ମଡେଲ ଭାବେ ବିଜେତା ହୋଇପାରିଛନ୍ତି । ବଲିଉଡ ପ୍ରଖ୍ୟାତ କଳାକାର ଯୋୟା ଆଫ୍ରୋଜ ମୁଖ୍ୟ ମନୋନୟନକାରୀ ଭାବେ ଦେବଦର୍ଶୀଙ୍କୁ ଟାଇଟେଲ ପାଇଁ ମନୋନୀତ କରି ବିଜୟ ମୁକୁଟ ପିନ୍ଧାଇଥିଲେ । ଏଥିପାଇଁ ଦେବଦର୍ଶୀଙ୍କୁ ପ୍ରଶିକ୍ଷକ କୁଲଦୀପ ଶର୍ମା ଓ ଆୟୋଜକ ସଂସ୍ଥାର ମୁଖ୍ୟ ମାର୍ଟିନ ପାଶା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଭଦ୍ରକ ବ୍ଲକ ଆରଏନବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଓ ମନ୍ଦାକିନି ମିଶ୍ରଙ୍କ କନ୍ୟା ଦେବଦର୍ଶୀ +୨ ବିଜ୍ଞାନଶିକ୍ଷା ସମାପ୍ତ କରି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିସହ ପିଲାଦିନୁ ଚିତ୍ରାଙ୍କନ, ନୃତ୍ୟ, ଅଭିନୟ, ସଙ୍ଗୀତ ଓ ମଡେଲିଂ ପ୍ରତି ଅହେତୁକ ଋଚି ପ୍ରପ୍ସୁଟିତ ହୋଇଥିଲା । ପିତାମାତାଙ୍କ ପ୍ରଯତ୍ନ କ୍ରମେ ଦେବଦର୍ଶୀଙ୍କ ସ୍ୱତନ୍ତ୍ର ସହଜାତ ପ୍ରତିଭା ବିକଶିତ ହୋଇ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି । ଜଣେ ଓଡିଶୀ ନୃତ୍ୟଶିଳ୍ପୀ ଭାବେ ଦେବଦର୍ଶୀ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ଦେବଦର୍ଶୀ ନିଜର ସଫଳତାର ଶ୍ରେୟ ପିତାମାତା, ଦୁଇ ଅଜା ଓ ମଉସା ମାଉସୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଶିକ୍ଷା ସହ ମଡେଲିଂକୁ ନିଜ କ୍ୟାରିଅର ଭାବେ ଗଢିତୋଳିବାକୁ ଯୋଜନା ରଖିଛନ୍ତି ଦେବଦର୍ଶୀ । ଏହି ବିରଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଦ୍ରକ ସାଂସଦ ମଞ୍ଜଲତା ମଣ୍ଡଳ ଦେବଦର୍ଶୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।