Odiapua.com

ଓଡିଆଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ପାଇଁ ରାଜ୍ୟସରକାର ଆୟୁଷ୍ମାନ ଯୋଜନାକୁ ଆପଣାନ୍ତୁ:ଗୋଲକ ମହାପାତ୍ର

– ରାଜ୍ୟସରକାର ଓ-ଏସ-ଟି-ଏଫ ବନ୍ଦ କରିବା ପ୍ରସଙ୍ଗ
– ରାଜ୍ୟସରକାର ଓ-ଏସ-ଟି-ଏଫ ଯୋଜନାକୁ ବନ୍ଦ କରି ଗରିବଙ୍କ ପ୍ରତି ପ୍ରତାରଣା କରିଛନ୍ତି
– କରୋନା ମହାମାରୀ ସମୟରେ କ’ଣ ପାଇଁ ଓ-ଏସ-ଟି-ଏଫ ଯୋଜନାକୁ ବନ୍ଦ କରାଗଲା।
– ଏସ-ଟି-ଏଫ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆସୁଥିବାରୁ ଏହାକୁ ବନ୍ଦ କଲେ ଲକ୍ଷ ଲକ୍ଷ ପରିବାର ବାହାର ରାଜ୍ୟରେ ଚିକିତ୍ସା ହେବାରୁ ନିବୃତ ରହିବେ
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ମିଳିଥିବା ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ଯୋଗାଉଥିବା ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲରୁ ଏବେ ୧୮୦ଟି କାର୍ଯ୍ୟକ୍ଷମ ରହିଛି
– ଏବେ କୌଣସି ରୋଗୀ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୁରୁତର ରୋଗର ଚିକିତ୍ସା ପାଇପାରିବେ ନାହିଁ
– ରାଜ୍ୟରେ ଅର୍ଥ ନାହିଁ ବୋଲି ରାଜ୍ୟ ସରକାର ଓଏସଟିଏଫ ବନ୍ଦ କରୁଛନ୍ତି କି।

ଭୁବନେଶ୍ୱର, ୦୧/୦୮ (ଓଡ଼ିଆ ପୁଅ) : ରାଜ୍ୟସରକାର ନିକଟରେ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓ-ଏସ-ଟି-ଏଫ) କୁ ବନ୍ଦ କରିଛନ୍ତି। ଫେବୃଆରୀ ମାସରେ ଓ-ଏସ-ଟି-ଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟସରକାର ବିଧାନସଭାରେ ଉତ୍ତର ରଖିଥିଲେ। କରୋନା ମହାମାରୀ ସମୟରେ କ’ଣ ପାଇଁ ଏଭଳି ଯୋଜନାକୁ ବନ୍ଦ କଲେ। ଓ-ଏସ-ଟି-ଏଫକୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା କହୁଥିବାବେଳେ ରାଜ୍ୟସରକାର ଏହାକୁ ବନ୍ଦ କରି ଗରିବଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓ-ଏସ-ଟି-ଏଫ ଯୋଜନା ମାଧ୍ୟମରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ସମସ୍ତ ପଂଜୀକୃତ ବେସରକାରୀ ଚିକିତ୍ସାଳୟରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଦେବାର ପ୍ରବନ୍ଧ ଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ଚିକିତ୍ସା କରିହେବ। ଚିକିତ୍ସା ପାଇଁ କାହିଁକି ଗରିବ ରୋଗୀଟିଏ ବାହାରକୁ ଯାଇପାରିବ ନାହିଁ। ଓ-ଏସ-ଟି-ଏଫ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆସୁଥିବାରୁ ଏହାକୁ ବନ୍ଦ କଲେ ଲକ୍ଷ ଲକ୍ଷ ପରିବାର ବାହାର ରାଜ୍ୟରେ ଚିକିତ୍ସା ହେବାରୁ ନିବୃତ ରହିବେ।

ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସରକାରୀ ହସ୍ପିଟାଲ ସହ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବା ବୋଲି ରାଜ୍ୟସରକାର ଦୃଢୋକ୍ତି ଦେଇଥିଲେ। କିନ୍ତୁ ବିଧାନସଭା ଉତରରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ମିଳିଥିବା ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୧୮ ନଭେମ୍ବର ୨୦୧୯ରେ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା ୧୯୬ ଥିବାବେଳେ ୧୬ ଫେବୃଆରୀ ୨୦୨୦ ସୁଦ୍ଧା ଏହା କମି ୧୮୦ ରେ ପହଂଚିଛି। ଏକ ବର୍ଷ ଭିତରେ ବେସରକାରୀ ହସ୍ପିଟାଲ ସଂଖ୍ୟା କମିଲା କିପରି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର ବିଭିନ୍ନ ରୋଗ ପାଇଁ ଯେଉଁ ଆର୍ଥୀକ ବ୍ୟବସ୍ଥା କରିଛନ୍ତି, ଏହା ଦ୍ୱାରା ଗରିବ ଲୋକଟିଏ ଯଦି ଗୁରୁତର ରୋଗ ହେଲେ ଏହାର ସୁଫଳ ପାଇପାରିବ ନାହିଁ। ଏଭଳି ଆଇ-ସି-ୟୁରେ ବିଏସକେୱାଇ ରେ ମିଳିବ ୩ ହଜାର ୫୦୦ ଟଙ୍କା। ଯେଉଁଥିରେ ବେଡ ଚାର୍ଜ, ଡାକ୍ତରଙ୍କ ଫିସ୍‌, ଔଷଧ ଏବଂ ପରୀକ୍ଷା ସାମିଲ। କୌଣସି ଘରୋଇ ହସ୍ପିଟାଲ ୩୫୦୦ ଟଙ୍କାରେ ଆଇ-ସି-ୟୁରେ ସେବା ଯୋଗାଇବା ଅସମର୍ଥ। ରୋଗୀଟିଏ ଆଇ-ସି-ୟୁ ସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଇପାରିବ ନାହିଁ ଯାହା ଓଏସଟିଏଫ ଯୋଜନାରେ ମିଳୁଥିଲା। ଦୂରାରୋଗ୍ୟ କର୍କଟ ରୋଗର ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ବରାଦ କରାଯାଇଛି ସେଥିରେ କୌଣସି ପ୍ରାଇଭେଟ ହସ୍ପିଟାଲରେ ରୋଗୀଟିଏ ଚିକିତ୍ସା ହୋଇପାରିବ ନାହିଁ।

କିଡିନ ପ୍ରତ୍ୟାରୋପଣ, ନ୍ୟୁରୋ ସର୍ଜରୀ, ଅର୍ଥୋ ସର୍ଜରୀ ଆଦି ଗୁରୁତର ଅପରେସନ କରିବା ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ବ୍ୟବସ୍ଥା ହୋଇଛି ସେହି ଅର୍ଥରେ ସର୍ଜରୀ କରିବା ଅସମ୍ଭବ। ବିଏସକେୱାଇରେ ହିପ୍ ରିପ୍ଲେସମେଂଟରେ ପ୍ରତ୍ୟାରୋପଣ ଖର୍ଚ୍ଚ ୩୭ ହଜାର ଏବଂ ପ୍ରତ୍ୟାରୋପଣ ସାମଗ୍ରୀର ଖର୍ଚ୍ଚ ପାଇଁ ୬୦ ହଜାର ଟଙ୍କା ରଖାଯାଇଛି। କିନ୍ତୁ ହିପ୍ ରିପ୍ଲେସମେଂଟର ସର୍ବନିମ୍ନ ମୂଲ୍ୟ ହେଉଛି ୮୦ ହଜାର ଟଙ୍କା। ସେଭଳି ଗାଇନିଙ୍ଗ, ଇଏନଟି ଓ ସର୍ଜରୀ ପାଇଁ ରୋଗୀମାନଙ୍କୁ ସରକାରୀ ଡାକ୍ତରଖାନାରୁ ରେଫେରାଲ ଆଣିବାକୁ ପଡିବ ଯାହା ସାଧାରଣ ରୋଗୀଟିଏ ପକ୍ଷରେ ଅସମ୍ଭବ। ତେଣୁ ଓଏସଟିଏଫରେ ଯେଉଁ ସୁବିଧା ଗରିବ ରୋଗୀଟିଏ ପାଉଥିଲେ ସେ ସୁବିଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନାହିଁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ରୋଗୀଟିଏ ଦୂରାରୋଗ୍ୟ ଚିକିତ୍ସା କରିପାରିବ ନାହିଁ। ଯଦି ରାଜ୍ୟସରକାର ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି ତେବେ ଆୟୁଷ୍ମାନ ଭାରତ ଯୋଜନାରେ ଯୋଡିହେବା ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାରେ ସାରା ଦେଶରେ ୨୦ ହଜାର ହସ୍ପିଟାଲରେ ଗରିବ ଲୋକଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଦେଶର ଯେକୌଣସି ପ୍ରାନ୍ତରେ ଥିଲେ ବି ସାଧାରଣ ଲୋକଟିଏ ଚିିକିତ୍ସିତ ହୋଇପାରିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ୭୦ ଲକ୍ଷ ପରିବାରଙ୍କୁ ଯୋଡିବା ପାଇଁ ରାଜ୍ୟସରକାର ଘୋଷଣା କରିଥିଲେ। କିନ୍ତୁ ବିଧାନସଭା ୨୦୧୮-୧୯ ତଥ୍ୟରୁ ଜଣାପଡିଛି ଯେ, ମାତ୍ର ସାଢେ ୩କୋଟି ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଗତି ଓଡିଶାରେ ଆଶାଜ୍ଜନିତ ନୁହେଁ। ଆୟୁଷ୍ମାନ ଭାରତରେ ଯୋଡିହେଲେ ଏସ-ଇ-ସି-ସି ତାଲିକା ଅନୁଯାୟୀ ୬୧ ଲକ୍ଷ ୩୫ ହଜାର ଲୋକଙ୍କ ସହିତ ସହରାଂଚଳରେ ବାସ କରୁଥିବା ଡ୍ରାଇଭର ଏବଂ ସଫେଇ କର୍ମଚାରୀ ମାନେ ଏହି ଯୋଜନାରେ ଯୋଡି ହୋଇପାରିବେ। ଯଦି ରାଜ୍ୟସରକାର ଆହୁରି ଅଧିକା ସୁବିଧା ଯୋଗାଇବାକୁ ଚାହାଁନ୍ତି ତେବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପରି ବଳକା ଲୋକମାନଙ୍କୁ ଅନ୍ୟ ଏକ ଯୋଜନା କରି ସେଥିରେ ସାମିଲ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଅନୁରୋଧ ସତ୍ୱେ ରାଜ୍ୟସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିଜ ରାଜନୈତିକ ସ୍ୱାର୍ଥ ସାଧନ କରିବାକୁ ଯାଇ ରାଜ୍ୟସରକାର ଓଡିଶାବାସୀଙ୍କୁ ଠକିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦିଙ୍କର ଯେଉଁ ଲକ୍ଷ୍ୟ ରହିଛି କି, ଭାରତରେ ଜଣେ ବି ଗରିବ ଲୋକ ସ୍ୱାସ୍ଥ୍ୟ ସେବା ସୁବିଧାରୁ ବଂଚିତ ନହେବ, ତାକୁ ସାକାର କରିବା ପାଇଁ ଏବଂ ଓଡିଶାର ଜନସାଧାରଣଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ରାଜ୍ୟସରକାର ନିଜ ଜିଦରୁ ହଟି ଓଡିଆ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହୋଇ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।