ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଭଦ୍ରକ ଜିଲା ତରଫରୁ ଜିଲାପାଳଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମନ୍ୱୟ ସମିତିର ଦାବି ହେଲା ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ ଓ ସମସ୍ତ ନୂଆ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରୀ ସର୍ତାବଳୀ ସହ ପେନସନ ପ୍ରଦାନ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାବ୍ୟତୀତ ସମସ୍ତ ନୂଆ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ସହ ସରକାରୀ କରଣ କରିବା, ଅବସର ବୟସସୀମା ୬୦ ରୁ ୬୨ କୁ ବୃଦ୍ଧି ଓ ଗ୍ରେଡ୍ ପେ’ ରେ ଥିବା ଅସଂଗତି ଦୂରୀକରଣ କରିବା ସହ ନୂଆ ପେନସନ ପରିବର୍ତେ ପୁରାତନ ପେନସନ ସ୍କିମ୍ର ପୂର୍ଣ୍ଣ ପ୍ରଚଳନ କରିବା ସହ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନକ୍ରିମେଂଟ ସହିତ ବରିଷ୍ଠତା ପ୍ରଦାନ କରିବା ପାଇଁ ସମିତି ପକ୍ଷରୁ ଦାବି କରାଯାଇଛି। ଏହାପୂର୍ବରୁ ସମନ୍ୱୟ ସମିତି ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ତଥା ଜିଲା ଓଷ୍ଟା ସଂପାଦକ ପ୍ରଭାତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଷ୍ଟା ସଭାପତି ଶଶିଶେଖର କରଶର୍ମା, କାର୍ଯ୍ୟକାରୀ ସଭାପତି ଅନୀଲ ମିଶ୍ର, ସଂସ୍କୃତ ମଣ୍ଡଳର ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ୬୬ ବର୍ଗର ନେତା ଅଂଜନ କୁମାର ଶତପଥୀ, ଅଲୋଷ୍ଟାର ପ୍ରାକ୍ତନ ସଂପାଦକ ଉପେନ୍ଦ୍ର ବିଶ୍ୱାଳ, ମଦ୍ରାସା ସଂଘର ନେତା ୱାସିମ ରାଜା, ଅଫତାବ ଆଲମ, ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଶ୍ରୀଧର ତ୍ରିପାଠୀ, କମଳାକାନ୍ତ ନାୟକ, ମନୋରଂଜନ ପଣ୍ଡା, ରଂଜନ ମୁଦୁଲି, ସନ୍ତୋଷ ଜେନା, ବୈକୁଣ୍ଠ ବିଶ୍ୱାଳ, ବ୍ରହ୍ମାନନ୍ଦ ରାୟ, ବିକାଶ ସାହୁ, ପର୍ଶୁରାମ ସାହୁ, ଶ୍ରଦ୍ଧାଞ୍ଜଳି ପାତ୍ର ଓ ପ୍ରଦୀପ ବାରିକ ପ୍ରମୁଖ ଶିକ୍ଷକ ନେତାମାନେ ଉପସ୍ଥିତ ଥିଲେ।