ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ଗ୍ରାମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓ କାନ୍ତକବି ସ୍ମୃତିପରିଷଦ ଏବଂ ତିହିଡ଼ି ବିଷୁବ ସାମ୍ମୁଖ୍ୟ ସହଯୋଗରେ ଜନ୍ମମାଟିରେ ଅନୁଷ୍ଠିତ ହୋଇଯାଇଛି। କାନ୍ତକବି ସ୍ମୃତି ମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରେଣ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ କବି ଦୀନବନ୍ଧୁ ପତି, କାନ୍ତକବି ସ୍ମୃତି ପରିଷଦର ସଭାପତି ଚିନ୍ତାମଣି ଦାସ, ତିହିଡ଼ି ବିଷୁବ ସାମ୍ମୁଖ୍ୟର ସମ୍ପାଦକ ରଘୁନାଥ ପାତ୍ର, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ ପ୍ରମୁଖ ଯୋଗ ଦେଇ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଲକ୍ଷ୍ମୀକାନ୍ତ ମହାପାତ୍ର ଏକାଧାରରେ କବି, ଗାଳ୍ପିକ, ନାଟ୍ୟକାର ଔପନ୍ୟାସିକ ଓ ବ୍ୟଙ୍ଗକାର ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ବେଳେ ସେ ଆଶାବାଦୀର ପ୍ରଥମ ଭାଷ୍ୟକାର ଓ ଦେଶପ୍ରେମର ମହାନ ଭାବତପସ୍ୱୀ ଥିଲେ ବୋଲି କହିଥିଲେ। ଏହି ସଭାରେ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ଶିବାନୀ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀ ସ୍ୱାଗତ ଭାଷଣ ପ୍ରଦାନ ପ୍ରଦାନ କରିଥିବା ବେଳେ ସ୍ମୃତି ପରିଷଦର ସମ୍ପାଦକ ବାଣିକଲ୍ୟାଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ରବିକୁମାର ମହାନ୍ତି, ମୁକୁନ୍ଦଦେବ ନାୟକ, କୈଳାସ ବେହେରା, ବସନ୍ତ ଦାସ, ପୁଷ୍ପାଞ୍ଜଳି ତ୍ରିପାଠୀ, ଡ. ଅମୂଲ୍ୟ ସେନାପତି, ସୁବ୍ରତ ମିଶ୍ର, କବିଶ୍ରୀ ଗୋଲକପ୍ରସାଦ ବୈୟାରୀ, ଦେବେନ୍ଦ୍ର ମହାଳିକ, ସୁଧାକର ଧନୀ, ବୈକୁଣ୍ଠନାଥ ଓଝା, ଆଶୁତୋଷ କରଣ, ହରିହର ମଲିକ, ମନୋଜ ପାଣିଗ୍ରାହୀ, ସୁବାସ ମହାନ୍ତି, ରୁବିଲତା ଦାସ ପ୍ରମୁଖଙ୍କ ସହିତ ୨୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିବା ବେଳେ ସେମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁଆଳ ଶ୍ରୀ ଗଣେଶ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ରମେଶ ବେହେରା ଓ ଛାତ୍ରଛ୍ରାତ୍ରୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିବା ସହିତ କାନ୍ତ ସଂଗୀତ ଗାନ କରିଥିଲେ। କଣ୍ଠଶିଳ୍ପୀ ରମେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନେ କାନ୍ତକବୀଙ୍କ ସମାଧୀ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ, ସରପଂଚ ଜୟଶ୍ରୀ ବେହେରା, ପୂର୍ବତନ ସମିତି ସଭାପତି ସୁଧନ୍ୱା ନାୟକ, ସ୍ୱୟଂସହାୟକ ଗୋଷ୍ଠୀ ସଭାନେତ୍ରୀ ବାସନ୍ତୀ ଜେନା, ଶିକ୍ଷକ ଚନ୍ଦ୍ରଶେଖର ବେହେରା, ସମାଜସେବୀ ଉତମ ମହାପାତ୍ର, ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ଏଏସଆଇ ଲକ୍ଷ୍ମଣ ମାରାଣ୍ଡି ପ୍ରମୁଖ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ପୀରହାଟ ପ୍ରଦେଶ ସେବା ସଂଗଠନର କର୍ମକର୍ତା, ସମାଜସେବୀ ସୁନୀଲ କୁମାର ରାଉତ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାନ୍ତ ପରିଷଦ ପକ୍ଷରୁ ସହସମ୍ପାଦକ ବିଶ୍ୱରଂଜନ ମହାପାତ୍ର,ରାକେଶ ମହାପାତ୍ର, ହରିଶ୍ଚନ୍ଦ୍ର ମିଶ୍ର, ପ୍ରଦୀପ ମହାପାତ୍ର, ପମୋଦ ବେହେରା, ଦୁଃଖିଶ୍ୟାମ ଜେନା, ଗୌତମ ବେହେରା, ବସନ୍ତ ଜେନା, ରାଜେନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ କଳାକାର ନାରାୟଣ ଚନ୍ଦ୍ର ମହାନ୍ତି, ବିମଳା ନାଟ୍ୟ ପରିଷଦର ସଭାପତି ଗୌରାଙ୍ଗ ଚନ୍ଦ୍ର ବାରିକ, ସମାଜସେବୀ ସୀତାକାନ୍ତ ନାୟକ, କେଶବ ବେହେରା, ତାପସ ବେହେରା ପ୍ରମୁଖଙ୍କ ସହିତ ମାଣିକଲାଲ ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।