Odiapua.com

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ବାଞ୍ଛାନିଧି ଥିଲେ ଜନଚେତନା ଓ ଗଣସଂଗ୍ରାମର କବି

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ, ଭଦ୍ରକଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ କବି ବାଞ୍ଛାନିଧିଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଞ୍ଛାନିଧିଙ୍କ ସଂଗୀତ ସାଧାରଣ ଲୋକଙ୍କୁ ଜାତୀୟତା ମନ୍ତ୍ରରେ ଉଦ୍‌ବୁଦ୍ଧ କରି ବିପ୍ଳବ ପାଇଁ ସଂଗଠିତ କରୁଥିଲା। ତାଙ୍କ ସଂଗୀତ ଥିଲା ଆତ୍ମାର ସଂଗୀତ, ଆଗାମୀ ନୂଆ ସକାଳର ଆବାହନୀ। ସେ ଥିଲେ ଜନଚେତନା ଓ ଗଣସଂଗ୍ରାମର ଚାରଣ କବି ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଛନ୍ତି। ଏହି ଉତ୍ସବରେ ଡ. ଶଶଧର ଦାସ ବରେଣ୍ୟ ଅତିଥି, ଡ. ରବୀନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି, ପବିତ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ନିରାକାର ଦାସ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରିଥିଲେ। କବି ପର୍ଣ୍ଣଚନ୍ଦ୍ର ବହଳୀ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଗତିଶୀଳ କବି ନିରାକାର ଦାସଙ୍କୁ ବାଞ୍ଛାନିଧି ସ୍ମୃତି ପରିଷଦ ପକ୍ଷରୁ ବାଞ୍ଛାନିଧି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅମିତାଭ ଖିଲାର ମାନପତ୍ର ପାଠ କରିଥିବା ବେଳେ ଶେଷସ୍ପର୍ଶ ଦେଇଥଲେ ଅନୁଷ୍ଠାନର ସହସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି। ଭଦ୍ରକ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ କବିଙ୍କ ରଚିତ ଦେଶ ପ୍ରେମ ସଂଗୀତ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପୂର୍ଣଚନ୍ଦ୍ର ମହାନ୍ତି। ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।