ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ସଦ୍ୟ ପ୍ରକାଶିତ ଓଡ଼ିଶା ରାଜ୍ୟ ରଣଜୀ ଦଳରେ ଭଦ୍ରକର ସତ୍ୟକାମ ଭରଦ୍ୱାଜ ସ୍ଥାନ ପାଇଛନ୍ତି। ଜଣେ ଡାହାଣ ହାତୀ ଅଫ୍ ସ୍ପିନର୍ ତଥା ବ୍ୟାଟ୍ସମ୍ୟାନ ରୂପେ ରାଜ୍ୟରେ ତାଙ୍କର ପ୍ରସିଦ୍ଧି ରହିଛି। ଭଦ୍ରକ ସହରର ଅସ୍ତଳ ଅଂଚଳରେ ଗୋଟିଏ ମଧ୍ୟବିତ ପରିବାରରେ ସତ୍ୟକାମଙ୍କ ଜନ୍ମ। ତାଙ୍କ ପିତାମାତାଙ୍କ ନାମ ଲାବଣ୍ୟ ମହାପାତ୍ର ଓ ସୁରେଶ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିଲା ବେଳେ କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଭଦ୍ରକର ଯଶସ୍ୱୀ କ୍ରୀଡ଼ା ଅନୁଷ୍ଠାନ ‘ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍’ (ଜେସିସି)ରୁ ନିଜର କ୍ରିକେଟ୍ ଜୀବନ କରିଥିଲେ। ଏଇଠି ତାଙ୍କ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇଥିଲା ଏବଂ ସେ ଓସିଏ ଦ୍ୱରା ଆୟୋଜିତ ବିଭିନ୍ନ ବର୍ଗର ଟୁର୍ଣାମେଂଟରେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ର ଜଣେ ନିୟମିତ କ୍ରିକେଟର୍ ରୂପେ ପ୍ରତିନିଧିତ୍ୱ କରି ଆସୁଥିଲେ। ପରବର୍ତୀ ସମୟରେ ସେ ରାଜ୍ୟ ମନୋନୟନ କମିଟିମାନଙ୍କର ନଜରକୁ ଆସିଥିଲେ। ୨୦୧୮ ମସିହାରେ ସେ ଓଡ଼ିଶା ୧୯ ବର୍ଷରୁ କମ୍ ଟିମ୍ରେ ସ୍ଥାନ ପାଇଥିଲେ। ୨୦୧୯ ଓ ୨୦୨୦ ମସିହାରେ ତାଙ୍କ ସ୍ଥାନ ସୁରକ୍ଷିତ ଥିଲା। ୨୦୨୨ ମସିହାରେ ସେ ଓଡ଼ିଶା ଅଣ୍ଡର୍ -୨୩ ଟିମ୍ରେ ମନୋନୀତ ହୋଇ ୨୦୨୪ କ୍ରୀଡ଼ା ଋତୁ ପର୍ଯ୍ୟନ୍ତ ଖେଳି ଆସୁଥିଲେ। ଏବେ ସେ ସମ୍ମାନଜନକ ଓଡ଼ିଶା ରଣଜୀ ଟିମ୍ରେ ସାମିଲ୍। ଭଦ୍ରକରୁ ହର୍ଷିତ ରାଠୋର୍ଙ୍କ ସହ ରାଜ୍ୟ ରଣଜୀ ଦଳରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦ୍ୱିତୀୟ କ୍ରିକେଟର। ସତ୍ୟକାମଙ୍କ ଏ କୃତିତ୍ୱ ଭଦ୍ରକରେ ଆନନ୍ଦର ଲହରୀ ଆଣିଛି। ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, ସାଧାରଣ ସମ୍ପାଦକ ଧୀରେନ୍ ପଲାଇ, ଉପସଭାପତି ଭବତୋଷ ଦାସ, ଯୁଗ୍ମ ସମ୍ପାଦକ ନୀଳମାଧବ ଦାସ, କୋଷାଧ୍ୟକ୍ଷ ବ୍ୟୋମୋକେଶ ସେନାପତି, ଓଡ଼ିଶା କୋଚ୍ କେ.ଭି. ପ୍ରସାଦ ଏବଂ ଜଗନ୍ନାଥପୁର କ୍ରିକେଟ୍ କ୍ଲବ୍ର କୋଚ୍ ମନୋଜ କୁମାର ସାହୁ, ଅସିତ ଦାସ ପ୍ରମୁଖ ସତ୍ୟକାମଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଭାବୀ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।