Odiapua.com

ଓଡ଼ିଶା ରଣଜୀ ଟିମ୍‌ରେ ଭଦ୍ରକରୁ ହର୍ଷିତ୍ ରାଠୋଡ୍

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା କ୍ରିକେଟ ଆସୋସିଏସନ ୨୦୨୪-୨୫ କ୍ରୀଡ଼ା ବର୍ଷ ପାଇଁ ରାଜ୍ୟ ରଣଜୀ ଟିମ୍ ଘୋଷଣା କରିଛି। ଏହି ଟିମ୍‌ରେ ଭଦ୍ରକର କ୍ରିକେଟର ହର୍ଷିତ୍ ରାଠୋଡ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଭଦ୍ରକ ଜିଲ୍ଲାରୁ ପ୍ରଥମ କ୍ରିକେଟର ରୂପେ ସେ ଗତବର୍ଷ ଓଡ଼ିଶା ରଣଜୀ ଟିମ୍‌ରେ ସ୍ଥାନ ପାଇଥିଲେ। ଏବର୍ଷ ତାଙ୍କର ପୁନଃମନୋନୟନ ଭଦ୍ରକର କ୍ରିକେଟ୍ ମହଲରେ ଖୁସିର ମାହୋଲ୍ ସୃଷ୍ଟି କରିଛି। ୨୫ ବର୍ଷୀୟ ହର୍ଷିତ୍ ହେଉଛନ୍ତି ଚରମ୍ପାର ଏକ କ୍ଷୁଦ୍ର ବ୍ୟବସାୟୀ ପରିବାରର ଏକମାତ୍ର ପୁତ୍ର। ପିତା ପ୍ରଫୁଲ୍ଲ ରାଠୋଡ୍ ଏବେ ଦିବଂଗତ। ମାତା ହେଉଛନ୍ତି ତନୁଜା ଦେବୀ। ଆର୍ଥିକ ଅନାଟନ ସତେ୍‌୍ୱ ସେ ଚରମ୍ପା ସ୍ଥିତ ସମ୍ମାନଜନକ ହ୍ୟାପ୍ପି ହୋମ୍ ସ୍କୁଲ୍‌ରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ଏହି ବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ ଓଝା କ୍ରୀଡ଼ା ପ୍ରତି ହର୍ଷିତ୍‌ଙ୍କର ଆସକ୍ତି ଦେଖି ତାଙ୍କୁ କ୍ରିକେଟ୍‌ର ବର୍ଣ୍ଣମାଳା ଶିଖାଇଥିଲେ। ପରବର୍ତୀ ସମୟରେ ସେ ଓଡ଼ିଶାର ଯଶସ୍ୱୀ କ୍ରିକେଟ୍ ପ୍ରଶିକ୍ଷକ କେ.ଭି.ପ୍ରସାଦଙ୍କ ସଂସ୍ପର୍ଶରେ ଆସିଥିଲେ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିଜୟ ଭାନୁ ମେମୋରିଆଲ୍ କ୍ରିକେଟ୍ ଏକାଡେମୀ’ରେ ଯୋଗ ଦେଇଥିଲେ। ଏଇଠି ତାଙ୍କ ପ୍ରତିଭା ପୂର୍ଣ୍ଣ ବିକଶିତ ହୋଇଥିଲା ଓ ଜଣେ ବାମହାତୀ ଅର୍ଥୋଡକସ୍ ସ୍ପିନର୍ ତଥା ବ୍ୟାଟସମ୍ୟାନ୍ ଭାବରେ ସେ ପରିଚୟ ସୃଷ୍ଟି କରିଥିଲେ। ୨୦୧୩ ମସିହାରେ ହର୍ଷିତ୍ ୧୬ ବର୍ଷୀୟ ଓଡ଼ିଶା ଟିମ୍‌ରେ ସ୍ଥାନ ପାଇଁ ‘ବିଜୟ ମର୍ଚ୍ଚାଂଟ୍ ଟ୍ରଫି କ୍ରିକେଟ୍‌’ ଖେଳିଥିଲେ। ପ୍ରଥମ ମ୍ୟାଚ୍‌ରେ ସେ କେରଳ ବିପକ୍ଷରେ ଚତୁର ବୋଲିଂ କରି ପ୍ରାରମ୍ଭିକ ୫ ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଶୂନ୍ୟ ରନ୍‌ରେ ଆଉଟ୍ କରି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲେ। ତାପରେ ଆଉ ପଛକୁ ଚାହିଁ ନାହାନ୍ତି ହର୍ଷିତ୍‌। ୨୦୧୬ ମସିହାରେ ସେ ୧୯ ବର୍ଷୀୟ ‘ଧ୍ରୁବ ପାଣ୍ଡବ ଟ୍ରଫି’ ପାଇଁ, ୨୦୧୯ ମସିହାରେ ୨୩ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ସେହିପରି ୨୦୨୧ ଓ ୨୦୨୨ ମସିହାରେ ସେ ୨୫ ବର୍ଷୀୟ ‘ସି.କେ.ନାୟଡୁ ଟ୍ରଫି’ କ୍ରିକେଟ୍‌ରେ ଓଡ଼ିଶା ତରଫରୁ ଖେଳିଥିଲେ। ସିନିୟର କ୍ରିକେଟ୍‌ରେ ମଧ୍ୟ ହର୍ଷିତ୍‌ଙ୍କ ଦବ୍‌ଦବା ଥିଲା। ୨୦୨୦ରେ ସେ ଏକଦିବସୀୟ ଫର୍ମାଟ୍ ରେ ଅନୁଷ୍ଠିତ ‘ବିଜୟ ହଜାରେ ଟ୍ରଫି’ ଓ ଟି-୨୦ ଫର୍ମାଟ୍ ରେ ଅନୁଷ୍ଠିତ ‘ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି’ କ୍ରିକେଟ୍ ପାଇଁ ‘ଟିମ୍ ଓଡ଼ିଶା’ରେ ସ୍ଥାନ ପାଇଥିଲେ। ୨୦୨୩-୨୪ ସିଜନ୍‌ରେ ସେ ‘ସୟଦ୍ ମୁସ୍ତାକ୍ ଅଲ୍ଲୀ’ ଓ ‘ବିଜୟ ହଜାରେ ଟ୍ରଫି’ ସହ ଓଡିଶା ରଣଜୀ ଟିମ୍‌ରେ ସ୍ଥାନ ପାଇ ନିଜ ପାଇଁ ତଥା ଭଦ୍ରକ ଜିଲ୍ଲା ପାଇଁ ଏକ ଗୌରବର ଅଧ୍ୟାୟ ରଚନା କରିଛନ୍ତି। ପ୍ରବଳ ପ୍ରତିଦ୍ୱନ୍ଦିତା ମୂଳକ କ୍ରିକେଟ୍‌ରେ ତାଙ୍କର ତେଜୋଦିପ୍ତ ପ୍ରଦର୍ଶନ ପ୍ରଚ୍ଛଦପଟେ ମାଆ ତନୁଜା ଦେବୀଙ୍କ ଆଶୀର୍ବାଦ, ଗୁରୁ କେ.ଭି. ପ୍ରସାଦଙ୍କ ପ୍ରଶିକ୍ଷଣ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଧୀରେନ ପଲାଇଙ୍କ ପ୍ରେରଣା ବିଦ୍ୟମାନ।