ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ପୁରୀରେ ଶ୍ରୀକ୍ଷେତ୍ର ବ୍ରାହ୍ମଣଭବନ ନିର୍ମାଣ ଉଦ୍ଦେଶ୍ୟରେ ଭଦ୍ରକ ଶାଖା ପକ୍ଷରୁ ସହଯୋଗ କରିଥିବା ବ୍ରାହ୍ମଣ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲା ସଭାପତି ମନ୍ଦରଧର ଦୀକ୍ଷିତଙ୍କ ସଭାପତିତ୍ୱରେ ସରସ୍ୱତୀ ବିହାର ଠାରେ ଆୟୋଜିତ ଆଦର୍ଶ ଶିକ୍ଷକ ଅଭିମନ୍ୟୁ ଦୀକ୍ଷିତଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରପତି ସମ୍ମାନିତ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଯୋଗଦେଇ ରାଷ୍ଟ୍ର ଓ ରାଷ୍ଟ୍ରଧର୍ମର ମୂଳରେ ଥିବା ବ୍ରାହ୍ମଣମାନଙ୍କର ସଂଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ ସମଗ୍ର ଓଡ଼ିଶାରେ ବ୍ରାହ୍ମଣ ସଂଗଠନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସଭାପତି ଡ଼. ସଦାନନ୍ଦ ଦୀକ୍ଷିତଃ ପୁରୀ ଠାରେ ନିର୍ମାଣଧୀନ ବ୍ରାହ୍ମଣଭବନ ପାଇଁ ଭଦ୍ରକ ଜିଲ୍ଲାରୁ ପ୍ରଭୂତ ସହଯୋଗ କରିଥିବା ଶ୍ରୀମତୀ ବୀଣାପାଣି ପାଢ଼ୀ, ପ୍ରତାପ ଚନ୍ଦ୍ର ପଣ୍ଡା, ପ. ଭାଗୀରଥି ନନ୍ଦଶର୍ମା, ଶ୍ରୀକାନ୍ତ ପାଢ଼ୀ, ବିନୋଦ ଚନ୍ଦ୍ର ଦାଶ, ଡ଼. ବ୍ରଜମୋହନ ମିଶ୍ର, ଡ଼. ମଦନମୋହନ ଦାଶ, ସୁବାସ ଚନ୍ଦ୍ର ଦାଶ, ଡ଼. ନିତ୍ୟାନନ୍ଦ ମିଶ୍ର, ମନୋଜ କୁମାର ଆଚାର୍ଯ୍ୟ, ଉଦୟ ନାରାୟଣ ନନ୍ଦ , ରାଜେନ୍ଦ୍ର ପ୍ରସାଦ ପାଢ଼ୀ, କଳ୍ପତରୁ ଉଦ୍ଗାତାକୁ କୃତଜ୍ଞତା ଅର୍ପଣ କରିଥିଲେ । ଖଇରା ଆଞ୍ଚଳିକ ବ୍ରାହ୍ମଣ ସମିତି ପକ୍ଷରୁ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ବ୍ରାହ୍ମଣ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଅଭିମନ୍ୟୁ ଦୀକ୍ଷିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଡ଼. ସଦାନନ୍ଦ ଦୀକ୍ଷିତଃ ଆଦର୍ଶ ପିତା, ସଫଳ ଶିକ୍ଷକ, ଭଦ୍ରକାଳୀ ମନ୍ଦିର ପରିଚାଳକ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାନର ଉଦ୍ୟୋକ୍ତା ଭାବେ ଅଭିମନ୍ୟୁ ଦୀକ୍ଷିତଙ୍କ ଚରିତାବଳି ବର୍ଣ୍ଣନା କରିଥିଲେ । ଭଦ୍ରକ ଶାଖାର କୋଷାଧ୍ୟକ୍ଷ ରାଧାକାନ୍ତ ଦୀକ୍ଷିତ, ସ୍ୱାଗତ ଏବଂ ଶେଷରେ ଡ଼. ବସନ୍ତ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ।