Odiapua.com

ଓଡ଼ିଶା ପ୍ରସିଦ୍ଧ ଚୁଡ଼ାକୁଟି ମେଲଣ ମହାଆଡମ୍ବରରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଚୁଡାକୁଟି ମେଳଣ ମହା ଆଡମ୍ବରରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ପଂଚୁ ଦୋଳ ଏବେ ୫୧ ବର୍ଷର ଦୀର୍ଘ ପରମ୍ପରାକୁ ଅବିରତ ଜାରି ରଖିଛି। ସ୍ୱର୍ଗତ ନରେନ୍ଦ୍ର ପାଢୀ ଓ ସଚ୍ଚିଦାନନ୍ଦ ସାହୁଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ଐତିହାସିକ ମେଳଣ,ଆଜି ସ୍ଥାନୀୟ ସାମାଜିକ ଓ ଧାର୍ମିକ ଜୀବନର ଏକ ଅବିଭାଜ୍ୟ ଅଂଶରେ ପରିଣତ ହୋଇଛି।ଏବେର ମେଳଣ କମିଟି ସଭାନେତ୍ରୀ ତଥା ବର୍ତମାନର ସରପଂଚ କସ୍ତୁରୀ ବିଶ୍ୱାଳ,କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଦାସ,ସମ୍ପାଦକ ଚକ୍ରଧର ଗୋଚ୍ଛାୟତ,ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼,ସଦସ୍ୟ- ରାହାସ ମଲ୍ଲିକଉମାକାନ୍ତ ସାମଲ, ସନ୍ତୋଷ ପଲାଇ,ଶ୍ରୀଧର ରାଉତ,ନସିରୁଦ୍ଧିନ ଶାହା,ଅନ୍ତ ପ୍ରସାଦ ଦାସ ପ୍ରମୁଖଙ୍କ ସମ୍ମିଳିତ ଏବଂ ଦଇପୁର ଓ ସରେଇ ଚୁଡାକୁଟି ପଂଚାୟତ ବାସୀଙ୍କ ସହଯୋଗରେ ଏବଂ ସମସ୍ତ ଠାକୁର ବାଡ଼ିଆଙ୍କ ପ୍ରୟାସରେ ଏହି ମେଳଣ ଗତ ଶୁକ୍ରବାର ରାତିରେ ଆରମ୍ଭ ହୋଇ ଗତକାଲି ରବିବାର ଦିନ ସମସ୍ତ ବିମାନ ନିଜ ନିଜ ଠାକୁର ବାଡିକୁ ପ୍ରତ୍ୟାବର୍ତନ କରିଛନ୍ତି ଏବଂ ସହିତ ମହା ଆଡମ୍ବରରେ ଏହି ଐତିହାସିକ ମେଲଣକୁ ସଫଳ କରିଛନ୍ତି।ଚଳିତ ବର୍ଷର ମେଳଣରେ ପ୍ରତିବର୍ଷ ପରି ବିଦ୍ୟାଧରପୁର ଥାନପତି ମେଢ଼ ପ୍ରଥମେ ମେଳଣ ପଡ଼ିଆରେ ପହଂଚିବା ପରେ,ଦ୍ୱିତୀୟରେ ଜାଗୁଳିସାହି,ପଳସା,ସୋରିଷଡ଼ିହ,ନାରାୟଣପୁର,କୁସୁମା,ମାଙ୍କିଡ଼ିଆ,ସରେଇ ଶେଷରେ ତାମ୍ପଳା ପ୍ରମୁଖ ୯ ଗୋଟି ମେଢ଼ ବହୁ ସାଜସଜ୍ଜା ସହିତ ନିଜ ବିମାନକୁ ନେଇ ମେଲଣ ପଡ଼ିଆ ଭିତରକୁ ଏଂଟ୍ରି କରିଥିଲେ।ଏହି ମେଲଣ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଦର୍ଶକ ଚୁଡାକୁଟି ବଜାରରେ ପହଂଚି ଥିଲେ।ସତେ ଯେପରି ଶୁକ୍ରବାର ରାତି ଚୁଡାକୁଟି ବଜାର ପାଲଟି ଥିଲା ଜନସମୁଦ୍ର।ଭକ୍ତ ଓ ଭଗବାନଙ୍କ ମିଳନର ଏହି ଦୃଶ୍ୟକୁ ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ।ରଙ୍ଗବେରଙ୍ଗର ଆଲୋକମାଳା,ଡିଜେ,ଆତସବାଜିର ଧ୍ୱନି ଓ ଭକ୍ତିମୟ ସଙ୍ଗୀତରେ ସମଗ୍ର ମେଳଣ ପଡିଆ ପ୍ରକମ୍ପିତ ହୋଇଥିଲା।ଚୁଡ଼ାକୁଟିମେଳଣ କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଗ୍ରାମୀଣ ସାମାଜିକ ସମ୍ମିଳନର ଏକ ପ୍ରତୀକ।୫୧ ବର୍ଷର ଏହି ପରମ୍ପରା, ଭକ୍ତି,ଏକତା ଓ ସାମୁଦାୟିକ ସହଭାଗିତାର ଅବିରତ ପ୍ରବାହକୁ ପ୍ରକାଶ କରୁଛି।ଏହି ମେଲଣରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଧାମନଗର ଥାନାଧିକାରୀ ସୁବ୍ରାଜିତ ଦାସ,ପୂର୍ବତନ ଥାନାଧିକାରୀ ରଞ୍ଜନ କୁମାର ସେଠୀଙ୍କ ସହିତ ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିଥିଲେ।