Odiapua.com

ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା କୁ ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବା ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ଦୀର୍ଘ ୩ ଘଂଟାର ଲମ୍ବା ସମୟ ଧରି ଏକ ସଫଳ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧୀର ରଞ୍ଜନ ନାୟକ, ସହକାରୀ ଜିଲ୍ଲାପାଳ ନ୍ୟାୟିକ କାର୍ତିକନାଥ ମଣ୍ଡଳ, ସି.ଟି.ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ପାଇଁ ଭଦ୍ରକ କାଳୀପୂଜା ପ୍ରଥମ ଥିଲେ ବି ଏହି ଗଣ ପର୍ବକୁ ସୁଶୃଙ୍ଖଳିତ ଓ ମହାଆଡ଼ମ୍ବରରେ ପାଳନ କରାଯିବା ନେଇ ପ୍ରସ୍ତୁତି ବୈଠକ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା ଓ କ୍ଷେତ୍ର ପରିଦର୍ଶନ ସମ୍ବନ୍ଧରେ ସୂଚନା ପାଇ କମିଟିର ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କର ଉଚ୍ଛ୍ୱସିତ ପ୍ରଂଶସା କରିଥିଲେ। ବିଶେଷ କରି ଏହି ପ୍ରସିଦ୍ଧ କାଳୀପୂଜାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଆ ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଚରମ୍ପାସ୍ଥିତ ରେଲୱେ ପଡ଼ିଆରେ ୨ ଦିନିଆ ମେଗା ସାଂସ୍କୃତିକ ସମାରୋହ ଆୟୋଜନ ନେଇ ଜିଲ୍ଲାପାଳ ସମସ୍ତ ବ୍ୟବସ୍ଥା କରିସାରିଥିବା କଥା ଶୁଣି ସମସ୍ତେ ବୈଠକରେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। ବୈଠକରେ ଉପସ୍ଥିତ ୯ଟି କାଳୀ ମଣ୍ଡପ କମିଟିର ସଭାପତି ସମ୍ପାଦକ, ଶାନ୍ତି କମିଟି ସଦସ୍ୟ ବିଦ୍ୟାଧର ସାହୁ, ଅତିସ୍ କୁମାର ବେହେରା, ଗୌରାଙ୍ଗ ଚରଣ ପଣ୍ଡା, ମୂସଲିମ୍ ଜମାତର ସମ୍ପାଦକ ଅବଦୁଲ ମୋକିମ୍‌, ସାମ୍ବାଦିକ ଅଶୋକ କୁମାର ନାୟକ ପ୍ରମୁଖ କାଳୀପୂଜା ଆୟୋଜନରେ ବିଭିନ୍ନ ଦିଗରେ ଆବଶ୍ୟକତା ନେଇ ବୈଠକରେ ପ୍ରକାଶ କରିଥିଲେ। ଭଦ୍ରକ କାଳୀପୀଠକୁ ଏବଂ ରାସ୍ତା ଖରାପ ଥିବା ପୂଜା ମଣ୍ଡପକୁ ସଂଯୋଗ ରାସ୍ତାର ମରାମତି, ରାସ୍ତାରେ ଜମିଥିବା ବର୍ଷାପାଣି ନିଷ୍କାସନ, ଅନ୍ଧାର ଥିବା ରାସ୍ତା ଆଲୋକି କରଣ, ପାନୀୟ ଜଳ ଯୋଗାଣ, ଯଥେଷ୍ଟ ସଂଖ୍ୟାରେ ଭ୍ରାମ୍ୟମାଣ ଓ ଅସ୍ଥାୟୀ ଶୌଚାଳୟ ସ୍ଥାପନ, କଳସ ବୁଡ଼ା ଘାଟ ଓ ବିସର୍ଜନ ପାଇଁ ପ୍ରସ୍ତୁତ ହେବାକୁ ଥିବା କୃତ୍ରିମ ଜଳାଶୟ ପରିସର ସଫେଇ, ସଡ଼କ ସୁରକ୍ଷା, ଅବକାରୀ ଓ ଖାଦ୍ୟନିରାପତ୍ତା ପାଇଁ ଧରପଗଡ଼, ଲୁଟେରା, ଛିନତାଇ ରୋକିବା ସହ ଟ୍ରାଫିକ୍ ନିୟନ୍ତ୍ରଣ, ଅତ୍ୟଧିକ ଗହଳି ଯୋଗୁଁ ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ପାଣି ସିଂଚନ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ଆମ୍ବୁଲାନସ୍ ବ୍ୟବସ୍ଥା, ଅଗ୍ନିନିରାପତା ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ଅସ୍ଥାୟୀ ବିଦ୍ୟୁତ ସଂଯୋଗ, ଦୈନନ୍ଦିନ ସଫେଇ, ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯଥେଷ୍ଟ ସଂଖ୍ୟାରେ ପୋଲିସ୍ ଓ ସାଧା ପୋଷାକରେ ମହିଳା ଓ ପୁରୁଷ ପୋଲିସ୍ ମୂତୟନ, ଅତ୍ୟାବଶ୍ୟକ ସେବା ବ୍ୟାହତ ନ ହେବା ପାଇଁ ପ୍ରତି କମିଟିର କର୍ମକର୍ତାଙ୍କୁ ଖୁବ୍ ସିମୀତ ସଂଖ୍ୟାରେ ପାସ୍ ପ୍ରଦାନ, ଭଦ୍ରକାଳୀପୀଠ ଓ ରାଜଘାଟ କାଳୀମେଢ଼ ପାଇଁ ସଂସ୍କୃତି ବିଭାଗରୁ ଭଜନ ସମାରୋହ କାର୍ଯ୍ୟକ୍ରମ ବ୍ୟବସ୍ଥା ଆଦି ସମ୍ବନ୍ଧରେ ସବିଶେଷ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମେଳାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସାଇକେଲ, ମୋଟର ସାଇକେଲ, ଅଟୋ, କାର ଆଦି ପାର୍କିଂ ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଲାପ୍ରଶାସନ ତରଫରୁ ପାର୍କିଂ ଦେୟ ଧାର୍ଯ୍ୟ କରାଯାଇଛି। ପ୍ରକାଶ ଥାଉକି ସରକାରୀ ଜାଗା ହେଉ କି ଘରୋଇ ଜାଗା ପାର୍କିଂ ପାଇଁ ପୌରପାଳିକା ରୁ ଅନୁମତି ନେଇ ସାଇକେଲ୍ ପିଛା ୧୦ ଟଙ୍କା, ମୋଟର ସାଇକେଲ ପିଛା ୨୦ ଟଙ୍କା ଓ ୩ ଓ ୪ ଚକିଆ ଯାନ ପାଇଁ ୪୦ ଟଙ୍କା ପାର୍କିଂ ଦେୟ ବାବଦ ଆଦାୟ କରିପାରିବେ। ଏହାର ଅବମାନନା କଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଳା ସମୟରେ ଅପେରା ପ୍ରଦର୍ଶନରେ ଅଶ୍ଳୀଳତା ପ୍ରଦର୍ଶନ, ଟିକେଟ୍ ଅନୁଯାୟୀ ଚେୟାର ନଥିବା କି ଯେକୌଣସି ପ୍ରକାର ବିଶୃଙ୍ଖଳା ଦେଖାଦେଲେ ପ୍ରଶାସନ ତରଫରୁ ପ୍ରଦତ ଅନୁମତିକୁ ସେହି ସମୟରେ ପ୍ରତ୍ୟାଦୃତ କରିନିଆଯିବ। ଯେଉଁ ଯାତ୍ରା କମିଟି ଶୃଙ୍ଖଳାର ସହିତ ଯାତ୍ରା ପରିଚାଳନା କରି ନ ପାରିବା ଅନୁଭବ କରୁଛନ୍ତି ଯାତ୍ରା ପାର୍ଟି ନ ଆଣିବାକୁ ସେମାନଙ୍କୁ ପ୍ରଶାସନ ତଫରୁ ପରାମର୍ଶ ପ୍ରଦାନ କରାଯାଇଛି। ନଭେମ୍ବର ୮ ତାରିଖ ରାତିରୁ ଭସାଣି ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇ ୯ ତାରିଖ ସକାଳ ସୁଦ୍ଧା ଭସାଣି ଉତ୍ସବ ଶେଷ ପାଇଁ କୁହାଯାଇଛି। ରାଜଘାଟ କାଳୀମେଢ଼ ଛପୁଲିଆରେ, ଚରମ୍ପାର ଅଧିକାଂଶ ମେଢ଼ ଡଗରାସାହି କେନାଲ ବନ୍ଧ ନିକଟରେ ହେବାକୁ ଥିବା କୃତ୍ରିମ ଜଳାଶୟରେ, ଅନ୍ୟ ଦୁଇଟି ମେଢ଼ ଅବ୍ୟବହୃତ ଏକ ଘରୋଇ ଜଳାଶୟରେ ବିସର୍ଜନ ପାଇଁ ସ୍ଥିର କରାଯାଇଛି। ନଭେମ୍ବର ୮ ଓ ୯ ରେ ଧାମନଗର ଉର୍ସ ପଡ଼ୁଥିବାରୁ ଜନ ଗହଳି ନିୟନ୍ତ୍ରଣ ପାଇଁ କେନ୍ଦୁଆପଦା ଷ୍ଟେସନ୍‌ରେ ଉଭୟ ଦିଗରୁ ଆସୁଥିବା ସମସ୍ତ ଦ୍ରୁତଗାମୀ ରେଳଗାଡ଼ି ରହଣି ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ଅବଗତି ପାଇଁ ସୂଚନା ଦେବାକୁ ମୁସଲିମ୍ ଜମାତର କର୍ମକର୍ତା ମାନଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା। ଯେଉଁ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଭଦ୍ରକରେ ଓହ୍ଲାଇବେ ସେମାନଙ୍କ ପାଇଁ ବସ୍‌ର ଗମନାଗମନ ପାଇଁ ରାସ୍ତା ସମ୍ବନ୍ଧରେ ସି.ଟି.ଡି.ଏସ୍‌.ପି. ସୂଚନା ଦେଇଥିଲେ। ଭାଇଚାରା ର ଭାବନେଇ ଅତ୍ୟନ୍ତ ଶୃଙ୍ଖଳାର ସହିତ କାଳୀପୂଜା ମେଳା ସମାହିତ ହେବା ପାଇଁ ଉଭୟ ଜିଲ୍ଲାପାଳ ଓ ଏସ୍‌.ପି. ସମସ୍ତଙ୍କ ସହଯୋଗ କାମନା କରିଥିଲେ।