Odiapua.com

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଡ୍ରାଇଭର ଏବଂ ୱାର୍କର ୱେଲଫେୟାର ବୋର୍ଡରେ ଅନେକ ଡ୍ରାଇଭରଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମହାସଂଘ ପକ୍ଷରୁ ଦାବି କରାଯାଇଛି ଯେ, ରାଜ୍ୟରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଡ୍ରାଇଭର ଥିବାବେଳେ ମାତ୍ର ୭ ଲକ୍ଷ ଡ୍ରାଇଭରଙ୍କୁ ୱେଲଫେୟାର ବୋର୍ଡରେ ସାମିଲ କରାଯାଇଛି। ସେହିପରି ବୋର୍ଡର ମାନ୍ୟତାପ୍ରାପ୍ତ ପରିଚୟପତ୍ର ନଥିବା ଡ୍ରାଇଭରମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି। ମହାସଂଘ ଆହୁରି ଦାବି କରିଛି ଯେ, ଓଡ଼ିଶାରେ ଥିବା ସମସ୍ତ ଡ୍ରାଇଭରଙ୍କୁ ୱେଲଫେୟାର ବୋର୍ଡରେ ସାମିଲ କରାଯାଉ, ଡ୍ରାଇଭରମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ। ଏହି ଅବସରରେ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ମୁମତାଜ ଖାଁଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଡ୍ରାଇଭରମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ ସତର୍କ କରାଯାଇଛି।