ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ଧାମନଗର ପରିସରରେ ଶୁକ୍ରବାର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ତନବିର ଆବେଦି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିମାନେ ଯୋଗଦେଇ ଶିକ୍ଷା, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ସେଠୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଧାମନଗର ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ସମୀର ଗୋସ୍ୱାମୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ସେକ ନିଜାମୁଦ୍ଦିନ ଓ ଭଗବାନପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଅରୁଣ କୁମାର ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତମ ଶିକ୍ଷା ସହ ନିଜ ପ୍ରତିଭାର ବିକାଶ ଦିଗରେ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂର୍ବରୁ କ୍ରୀଡ଼ା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ। ଉତ୍ସବରେ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସ୍ୱାସ୍ତି ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ସାମଲ, ଆବାସ ରଞ୍ଜନ ସାମଲ, ବିଜୟ କୁମାର ଜେନା, ବାସୁଦେବ ପାହି, ସୌଦାମିନୀ ମଲ୍ଲିକ, ଚନ୍ଦ୍ରକାନ୍ତ ପରିଡ଼ା, ପ୍ରଦୀପ କୁମାର ଜେନା, ପାର୍ଥସାରଥୀ ପାଣିଗ୍ରାହୀ, ସ୍ନେହଲତା ବାରିକ, ବଳରାମ ଗୋଚ୍ଛାୟତ, ଇତିପ୍ରଭା ଜେନାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।