ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ ମାନବିକତାର ସବୁଠାରୁ ବଡ଼ ପରିଚୟ । ଏହାର ପ୍ରତିଟି ଟୋପା ଅନ୍ୟ ଜଣଙ୍କୁ ନୂଆ ଜୀବନ ଦାନ କରିଥାଏ। ଏହି ମନ୍ତ୍ରକୁ ପାଥେୟ କରି ଆଜିର ଯୁବପିଢି ଆଗେଇ ଆସିବା ଉଚିତ୍ ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭଦ୍ରକ ଜିଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ “ରକ୍ତଦାନ ଅଭିଯାନ’ ଶିବିରକୁ ଭଦ୍ରକ ସାଂସଦ(ଲୋକସଭା) ଅଭିମନ୍ୟୁ ସେଠୀ ଉଦଘାଟନ କରି କହିଛନ୍ତି। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଡି.ଆଇ.ପି.ଆର.ଓ. ମଧୁସ୍ମିତା ମହାପାତ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା, ଜିଲା ଶ୍ରମ ଅଧିକାରୀ ପ୍ରବର୍ତନ ପ୍ରେମମଂଜରୀ ନାୟକ, ସହ ଶ୍ରମ ଅଧିକାରୀ ସଂଜିତ କୁମାର ଦେଓ, କଲ୍ୟାଣ ସଂଯୋଜକ ସ୍ୱରୂପ କାନୁନଗୋ, ସୁମନ୍ତ କୁମାର ସାହୁ, ଭବାନୀ ସିକ୍ୟୁରିଟିର କର୍ମଚାରୀ, ସ୍ୱେଚ୍ଛାସେବୀ ଓ ମେଡିକାଲର ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ରକ୍ତଦାନ କରିଥିଲେ। ଏହି ଶିବିରରେ ସହ ଜିଲା ଶ୍ରମ ଅଧିକାରୀ (କଲ୍ୟାଣ) ଦୀପ୍ତିରଂଜନ ସାହୁ, ସୁରେନ୍ଦ୍ର ବିକ୍ରମ ଜେନା (କଲ୍ୟାଣ ଡାଟା ଏଂଟ୍ରି ଅପରେଟର) ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସବୁ ବର୍ଗର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବାରୁ ଏହି ଅଭିଯାନରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ୱତଃ ପ୍ରବୃତ ଭାବେ ବହୁ ଲୋକ ରକ୍ତଦାନ କରିଥିବାରୁ ଜିଲାପାଳ ଶ୍ରୀ ରାଉତରାଏ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।