Odiapua.com

ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲାରେ “ଆସ ବହିଟିଏ କିଣିବା” ଅଭିଯାନ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭଦକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲାରେ “ଆସ ବହିଟିଏ କିଣିବା” ଅଭିଯାନ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନରେ କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉତ୍ସାହର ସହଭାଗୀ ହୋଇଥିଲେ। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ବହି ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କରିବା।ଏହି ଅବସରରେ ବିଭିନ୍ନ ପ୍ରକାରର ଓଡ଼ିଆ ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା ଏବଂ ଉପସ୍ଥିତ ଅତିଥିମାନେ ପୁସ୍ତକ କ୍ରୟ କରି ଅଭିଯାନକୁ ସମର୍ଥନ ଜଣାଇଥିଲେ।ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ “ଜଣା-ଅଜଣା” କାର୍ଯ୍ୟକ୍ରମ ଆଧାରରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଉପରେ ପ୍ରଶ୍ନ ପଚାରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ ବହିର ଉପକାରିତା ବିଷୟରେ କହି ଅନାବଶ୍ୟକ ଜିନିଷ ନ କିଣି ବହି କିଣିବାକୁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଗୋଳକ ବିହାରୀ ସାହୁ, ସାରସ୍ୱତ ସାଧକ ପଣ୍ଡିତ ଦୈତାରୀ ମହାପାତ୍ର ଏବଂ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଦତ୍ତାତ୍ରେୟ ଦାସ ପ୍ରମୁଖ ପିଲାମାନଙ୍କୁ ବହି ପ୍ରତି ଆକୃଷ୍ଟ ହେବା ସହ କୃତ୍ରିମ ବୁଦ୍ଧିମତ୍ତା (ଇଓ) ଠାରୁ ଦୂରେ ରହିବାକୁ ପରାମର୍ଶଦେଇଥିଲେ।ଉକ୍ତ ଉତ୍ସବରେ ବହିର ଆସର ଜମିଥିବାରୁ ପିଲାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବହି କ୍ରୟ କରିଥିଲେ ଏବଂ ଜିଲ୍ଲାପାଳ ପିଲାମାନଙ୍କୁ ବହି ବଣ୍ଟନ କରିଥିଲେ।ଏହି ସହିତ ସାତଟି ବ୍ଲକର ଭାଗବତ ଟୁଙ୍ଗୀରୁ ଆସିଥିବା ସଦସ୍ୟମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଶ୍ରୀମଦ୍‌? ଭାଗବତ ଗୀତା ପ୍ରଦାନ କରାଯାଇଥିଲା।ଜିଲ୍ଲା ସଂସ୍କୃତି ଅଧିକାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।