ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ଅବଦାନ ଅତୁଳନୀୟ। ମୋଗଲ ତାମସାର କବି ବଂଶୀ ବଲ୍ଲଭ ଗୋସ୍ୱାମୀ, ଗୀତିନାଟ୍ୟର ଜନକ ଲୋକ କବି ଜଗନ୍ନାଥ ପାଣି, ନାଟ୍ୟାଚାର୍ଯ୍ଯ ରଘୁନାଥ ପଣ୍ଡା, କେଶବ କବି କୃଷ୍ଣପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା, ଚଳଚ୍ଚିତ୍ର ନାଟ୍ୟକାର ବସନ୍ତ ମହାପାତ୍ର, ଆକାଶବାଣୀ ନାଟ୍ୟକାର ଗିରୀଶ ଚନ୍ଦ୍ର ନାୟକ ଓ ସୁଧାକର ନନ୍ଦ, ନାଟ୍ୟକାର ଅଧ୍ୟାପକ ସୁଧାଂଶୁ କୁମାର ନାୟକ, ଦୂରଦର୍ଶନ ନାଟ୍ୟକାର ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ଓଡ଼ିଆ ନାଟ୍ୟ ଜଗତରେ ଅଲିଭା ସ୍ମୃତିଚିହ୍ନ ଆଙ୍କିଛନ୍ତି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦଶମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଦଶମ ସନ୍ଧ୍ୟାରେ “ଭଦ୍ରକ ମାଟିରେ ନାଟ୍ୟ କଳାର ମହକ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାବେଶରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ମୁଖ୍ୟ ଅତିଥି, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ମୁଖ୍ୟ ବକ୍ତା, ଦୂରଦର୍ଶନ ଅଭିନେତା ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ ବିଶିଷ୍ଟ ଅତିଥି, ନାଟ୍ୟ ଭୂଷଣ ଡ. ରମାକାନ୍ତ ନାୟକ, ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ସାରଥି ପଣ୍ଡା, ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ମଂଚ ଅଭିନେତା କାଳନ୍ଦୀ ଚରଣ ମଲ୍ଲିକ, ଅଭିନେତା ଗୌରାଙ୍ଗ ବାରିକ, କବି ମନୋଜ କୁମାର ପଣ୍ଡା, ନାଟ୍ୟକାର ଗଣେଶ ବିଶ୍ୱାଳ, ସଂଗୀତ ଶିଳ୍ପୀ ଶେଖର ନିଜାମ ମହମ୍ମଦ, ଅଭିନେତା ନିମାନନ୍ଦ ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ମଂଚ ସଂଯୋଜନା, ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ , ସମ୍ପାଦକ ରବିନାରାୟଣ ଖିଲାର ଅତିଥି ପରିଚୟ ଓ ମହୋତ୍ସବର ଉପସଭାପତି ଡା. ଅନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ, ସଂଗଠିକା ଓ କବୀ ସୁମିତ୍ରା ପାଣି,ଶିକ୍ଷୟିତ୍ରୀ ମନୋରମା ରାୟ ଓ ସଂଯୁକ୍ତା ବଳ ଓ ଦମୟନ୍ତୀ ରାଉତ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଚିତ୍ର ଶିଳ୍ପୀ ନିରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।