ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାରସ୍ୱତ ଆକାଶରେ ଭଦ୍ରକ ଯେପରି ଉଜ୍ଜ୍ୱଳ ଜ୍ୟୋତିଷ୍କ ଭାବେ ପ୍ରତିଭାତ ହୋଇଛି ସେପରି ଗୀତିକବିତା ଜଗତକୁ ତାର ଅବଦାନ ଅବିସ୍ମରଣୀୟ। ଭଦ୍ରକ ମାଟିର ମଣିଷ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ, କବି ଶେଖର ଚିନ୍ତାମଣି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି,କେଶବ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର,ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା ପ୍ରମୁଖ ବହୁ ଗୀତିକାର ଓଡ଼ିଆ ଗୀତିକବିତା ଜଗତକୁ ସମୃଦ୍ଧ କରିଛନ୍ତିି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟାର ପ୍ରଥମ ଅଧିବେଶନରେ ଗୀତିକବିତା ଆସର ଓ “ଭଦ୍ରକ ମାଟିର ଗୀତିକବିତା ମହକ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନାଟ୍ୟଶ୍ରୀ ନିର୍ମଳ ରାଉତ ବିଶିଷ୍ଟ ଅତିଥି, କୃଷି ଅଧିକାରୀ ତଥା ଆକାଶବାଣୀ ଗୀତିକାର ଅରୁଣ କୁମାର ପାତ୍ର ମୁଖ୍ୟ ବକ୍ତା, ଗୀତିକବି ରମାକାନ୍ତ ଦାସ,ଡା . ଅନିଲ କୁମାର ଦାଶ, କବି କୈଳାସ ଚନ୍ଦ୍ର ବେହେରା, ଶୁଭ୍ରାଂଶୁ ଶେଖର ମାହୁନ୍ତ ବରେଣ୍ୟ ଅତିଥି ଏବଂ ମାନସ ରଂଜନ ପଣ୍ଡା, ଜାନକୀ ପାଢ଼ୀ ଓ ମନୋରମା ରାୟ କବିତା ସଂଯୋଜନା କରିଥିଲେ। ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲାବେଳେ ନାଟ୍ୟ ନିର୍ଦ୍ଦେଶକ ସାରଥୀ ପଣ୍ଡା ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଓ କବି ପ୍ରମୋଦ ମିଶ୍ର ବେଦ ପାଠ କରିଥିଲେ। ମହୋତ୍ସବର ଦ୍ୱିତୀୟ ଅଧିବେଶନରେ “ସାମ୍ପ୍ରତିକ ପରିସ୍ଥିତିରେ ନାରୀର ସ୍ଥିତି ” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଧିବେଶନରେ କବୟିତ୍ରୀ ଗୀତା ରାଣୀ ଆଇଚ ପୌରୋହିତ୍ୟ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ପାଣିଗ୍ରାହୀ ମୁଖ୍ୟ ଅତିଥି, ଡ.ରାଧାରାଣୀ ମହାପାତ୍ର ମୁଖ୍ୟ ବକ୍ତା, ଡା. ଭାଗ୍ୟଶ୍ରୀ ପଣ୍ଡା, ବୀଣାପାଣି ମହାନ୍ତି, ଓଡ଼ିଶା ତେଜସ୍ୱିନୀ ମହିଳା ସଂଗଠନରେ ସଭାନେତ୍ରୀ କଳ୍ପନା ଜେନା, ବରେଣ୍ୟ ଅତିଥି,ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀମୟୀ ସାହୁ ଓ ଭୂମିକନ୍ୟା ମହିଳା ସଂଗଠନର ସଭାନେତ୍ରୀ ସଂଯୁକ୍ତା ବଳ ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମନୋରମା ରାୟ ଅତିଥମାନଙ୍କୁ ମଞ୍ଚ ନିମନ୍ତ୍ରଣ, ଶିକ୍ଷୟିତ୍ରୀ ସରୋଜିନୀ ସାହୁ ଅତିଥି ପରିଚୟ ଓ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ଓ କବୟିତ୍ରୀ ଚୈତାଳି ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।