Odiapua.com

ଓକିଲ ସଂଘ ନିର୍ବାଚନ ନେଇ ମାହୋଲ ସରଗରମ, ମତଦାତାଙ୍କ ମଧ୍ୟରେ ନାହିଁ ଉତ୍ସାହ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟରେ ଉଷ୍ମତା ପ୍ରକାଶ ପାଇଛି । କୋର୍ଟ ପରିସରରେ ନିର୍ବାଚନୀ ମାହୋଲ ସରଗରମ ହୋଇପଡିଛି । ଏହି ନିର୍ବାଚନର କାର୍ଯ୍ୟକାଳ ମାତ୍ର ୩ ମାସ ପାଇଁ ହେଉଥିବାରୁ ମତଦାତାଙ୍କ ମଧ୍ୟରେ ସେତେଟା ଉତ୍ସୁକତା ଦେଖିବାକୁ ମିଳୁନାହିଁ । କିନ୍ତୁ ପ୍ରାର୍ଥୀମାନେ ସଂଘର ସଦସ୍ୟମାନଙ୍କ ତାଲିକାକୁ ଧରି ନିଜ ସପକ୍ଷରେ ମନେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରକାଶ ଥାଉକି ଭାରତୀୟ ଆଇନ୍‌ଜୀବୀ ପରିଷଦ (ଅଲ୍ ଇଣ୍ଡିଆ ବାର କାଉନ୍‌ସିଲ) ପକ୍ଷରୁ ସର୍ବଭାରତୀୟ ସ୍ତରରେ ସମସ୍ତ ଆଇନ୍‌ଜୀବୀ ସଂଘର ନିର୍ବାଚନ ଗୋଟିଏ ଦିନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ଆଇନ୍‌ଜୀବୀ ପରିଷଦ (ଷ୍ଟେଟ୍ ଓଡ଼ିଶା ବାର୍ କାଉନ୍‌ସିଲ) ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ସବୁ ଆଇନ୍‌ଜୀବୀ ସଂଘର ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ନିର୍ଦ୍ଦେଶନାମା ଅନୁସାରେ ୨୦୧୯ ମାର୍ଚ୍ଚ ୩୧ ତାରିଖରେ ନିର୍ବାଚନ ହୋଇଥିଲା । ୨୦୨୦ ମାର୍ଚ୍ଚ ୩୧ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମହାମାରୀ କୋଭିଡ୍ ଯୋଗୁଁ ଦେଶର କୌଣସି ଆଇନ୍‌ଜୀବୀ ସଂଘର ନିର୍ବଚାନ ହୋଇପାରିନଥିଲା । ମାତ୍ର କୋର୍ଟ ମାନଙ୍କରେ କୋଭିଡ୍ କଟକଣା ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ଶୁଣାଣି ଜାରି ରହିଥିଲା । ଆଇନ୍‌ଜୀବୀ ସଂଘ ପରିଚାଳନା ପାଇଁ ଓଡ଼ିଶା ଆଇନ୍‌ଜୀବୀ ପରିଷଦ ଅନ୍ତରୀଣ କମିଟି ନିଯୁକ୍ତି ଦେଇ ସଂଘର କାର୍ଯ୍ୟ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମତେ ଭଦ୍ରକ ଓକିଲ ସଂଘର ସଭାପତି ଭାବେ ଯତୀନ୍ଦ୍ର ମୋହନ ଦାସ ଓ ସଂପାଦକ ଭାବେ ସନ୍ତୋଷ ନାୟକ ଏହି ଅନ୍ତରୀଣ କମିଟିର କର୍ମକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଅନ୍ତରୀଣ କମିଟି ନିଯୁକ୍ତି ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟର କେତେକ ଆଇନ୍‌ଜୀବୀ ସଂଘ ଏକ ରିଟ୍ ପିଟିସନ୍ ହାଇକୋର୍ଟରେ ଦାୟର କରିଥିଲେ । ଏହି ରିଟ୍ ପିଟିସନ୍‌ର ହାଇକୋର୍ଟ ଶୁଣାଣି କରି ଆସନ୍ତା ଡିସେମ୍ବର ୧୨ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଗଣତାନ୍ତ୍ରିକ ବ୍ୟବସ୍ଥାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ଭଦ୍ରକ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବରିଷ୍ଠ ଆଇନ୍‌ଜୀବୀ ସନ୍ତୋଷ ନାୟକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ସଂଘର ସଭାପତି ପଦବୀ ପାଇଁ ଆଇନ୍‌ଜୀବୀ ଦେବେନ୍ଦ୍ର କୁମାର ପଣ୍ଡା ଓ ଦିଲ୍ଲୀପ କୁମାର ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ଉପସଭାପତି ପାଇଁ ଅମିତାବାଳା ଆଚାର୍ଯ୍ୟ, ଅର୍ଚ୍ଚନା ରାଣୀ ଦାସ, ସାଧାରଣ ସଂପାଦକ ପାଇଁ ଜିତେନ୍ଦ୍ର କୁମାର ପଣ୍ଡା, ସିଦ୍ଧାର୍ଥ ମହାନ୍ତି ଓ ସୂର୍ଯ୍ୟକାନ୍ତ କୁଅଁର ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି । ଯୁଗ୍ମ ସଂପାଦକ ପଦବୀ ପାଇଁ ଅୟୁବ ଖାଁ, ଗୋପବନ୍ଧୁ ଦୀକ୍ଷିତ, ହୃଷିକେଶ ବେହେରା, କୋଷାଧ୍ୟକ୍ଷ ପାଇଁ କମଳିନୀ ନାୟକ, ସୁରେନ୍ଦ୍ର କର ଓ କାର୍ଯ୍ୟକାରୀ ସଦସ୍ୟ ପାଇଁ ବିଶ୍ୱଜିତ୍ ରାଉତ, ସଂଜୟ କୁମାର ନାୟକ, ସଂଜୀବ କୁମାର ମହାପାତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟ ୩ଟି ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ଥିବାରୁ ଏମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାକୁ ଯାଉଛନ୍ତି । ମାତ୍ର ଅନ୍ୟ ପଦବୀ ଗୁଡିକରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । ପ୍ରକାଶଯୋଗ୍ୟ ଏହି ନିର୍ବାଚନରେ ବିଜୟଲାଭ କରିବାକୁ ଯାଉଥିବା ପ୍ରାର୍ଥୀମାନଙ୍କ ମାତ୍ର ୩ ମାସ କାର୍ଯ୍ୟକାଳ । ଭାରତୀୟ ଆଇନ୍‌ଜୀବୀ ପରିଷଦର ନିୟମ ଅନୁଯାୟୀ ଆସନ୍ତା ୨୦୨୧ ମାର୍ଚ୍ଚ ଶେଷ ଶନିବାର ପୁଣି ନିର୍ବାଚନ ହେବ ।