Odiapua.com

ଓଁ ଶ୍ରୀ ଶ୍ରୀ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାଂସଦ ଓ ବିଧାୟକଙ୍କ ଯୋଗଦାନ, ପବିତ୍ର ଶଙ୍ଖ-ହୁଳହୁଳି ଓ ଘଣ୍ଟ ମଧ୍ୟରେ ଦେବୀଙ୍କୁ ଦୁଗ୍ଧ ସ୍ନାନ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଁ ଶ୍ରୀ ଶ୍ରୀ ମା’ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀ ମନ୍ଦିର ପ୍ରତିଷ୍ଠା ଅବସରରେ ମହିଳାଙ୍କ ୧୦୮ କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ପରେ ମଣ୍ଡଳ ପୂଜା, ଗୀତାଯଜ୍ଞ, ନାମଯଜ୍ଞ ଓ ଯଜ୍ଞର ଆହୂତି ପ୍ରଦାନ ପରେ ମା’ଙ୍କ ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ପୂର୍ବର ସମସ୍ତ ରୀତିନୀତି ପୁରୀ ଶ୍ରୀମନ୍ଦିରର ସେବାୟତ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଓ ତାଙ୍କ ସହଯୋଗୀ ପଣ୍ଡିତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏଥି ଉପଲକ୍ଷେ ଆଜି ଦେବୀଙ୍କୁ ପ୍ରତିଷ୍ଠା ପୂର୍ବର ସମସ୍ତ ପ୍ରଥା ଅନୁସାରେ ଷୋଡଶ ଉପଚାର ମଧ୍ୟରେ ଚୁଆ ଚନ୍ଦନ ଓ ଧୂପ-ଦୀପ ସହ କପାଳୀ ନଦୀର ପବିତ୍ର ୧୦୮ କଳସ ଜଳ ଓ ଗୋ ଦୁଗ୍ଧରେ ସ୍ନାନ କରାଯାଇ ଯଜ୍ଞସ୍ଥଳ ମଣ୍ଡପକୁ ଅଣାଯାଇଛି । ଏହି କାର୍ଯ୍ୟକ୍ରମ କୃଷ୍ଣଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଂପନ୍ନ ହୋଇଥିବାବେଳେ ପୀତାମ୍ବର ପରିଡା ଓ ବାସନ୍ତୀଲତା ପରିଡା ମୁଖ୍ୟ ପୁରୋଧାର କାର୍ଯ୍ୟ ତୁଲାଇଥିଲେ । ଏହି ଉତ୍ସବ ଉପଲକ୍ଷେ ସନ୍ଧ୍ୟାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବ ସମାଜସେବୀ ଅଭିରାମ ସାହୁ ସଂଯୋଜନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ବର୍ତ୍ତମାନ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସରପଞ୍ଚ ମିନାକ୍ଷୀ ପରିଡା, ସାମ୍ବାଦିକ ପ୍ରମୋଦ ରାୟ ଓ ରବିନାରାୟଣ ଖିଲାର, ଶିକ୍ଷାବିତ୍ ପୁରୁଷୋତ୍ତମ ସାହୁ, ସମାଜସେବୀ ନିତ୍ୟାନନ୍ଦ ବେହେରା, ତୁଷାରକାନ୍ତି ପରିଡା, ଶିକ୍ଷାବିତ୍ ବାବୁଲା ରାଉତ, ଗୌରୀଗୋପାଳ ଜେନା, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭୀମଚରଣ ପରିଡା, ରମାକାନ୍ତ ରାୟ, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମା’ ସନ୍ତୋଷୀ ଦେବୀଙ୍କର ଏକ ପୁସ୍ତକ ଉନ୍ମୋଚନ ହୋଇଥିବାବେଳେ ସ୍ଥାନୀୟ ଅଂଚଳର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ସାମ୍ବାଦିକ ପ୍ରମୋଦ ରାୟ, ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସରପଞ୍ଚ ମିନାକ୍ଷୀ ପରିଡା, ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା, ଯୁବ ସମାଜସେବୀ ସନ୍ତୋଷ ଦାସ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସ୍ଥାନୀୟ ଅଂଚଳର ନିର୍ବାଚିତ ପ୍ରତିନିଧି ଓ ଅଂଚଳବାସୀଙ୍କ ପକ୍ଷରୁ ସାଂସଦ ଓ ବିଧାୟକଙ୍କୁ ଏହି କ୍ଷେତ୍ରବାସିନୀ ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବାବେଳେ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।