ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଲ୍ଲୀର ଜନ୍ତର ମନ୍ତର ରୋଡ ରେ ଚାଲିଥିବା ସର୍ବଭାରତୀୟ ଯୁବ- ଛାତ୍ର ଆନ୍ଦୋଳନ ଏବଂ ସୋନମ ୱାଙ୍ଗଚୁକ୍ ଙ୍କ ଆମରଣ ଅନଶନ ପ୍ରତି ସଂହତି ପ୍ରକାଶ କରି ଭଦ୍ରକ ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ଛକଠାରେ ଏକ ସଭା ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯୁବ-ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ୍ ବଳ ପ୍ରୟୋଗ କରି ଦମନ କରିବା ଉଦ୍ୟମ କୁ ସଭାରେ ତୀବ୍ର ନିନ୍ଦା କରାଯାଇଛି । ଆନ୍ଦୋଳନ ସ୍ଥଳକୁ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ନଆସି ଯୁବ- ଛାତ୍ର ପ୍ରତିନିଧି ଙ୍କ ସହ ଆଲୋଚନା ନକରି ଏହି ଐତିହାସିକ ଆନ୍ଦୋଳନର ମୁଖ୍ୟ ନେତା ଭାରତର ବିଶିଷ୍ଟ ପରିବେଶବିତ୍ ତଥା ବୈଜ୍ଞାନିକ ସ୍ୱନମ୍ ୱାଙ୍ଗଚୁକ୍ ଙ୍କୁ ବଳପୂର୍ବକ ଅନଶନ ସ୍ଥଳରୁ ଦିଲ୍ଲୀ ପୋଲିସ ଉଠାଇ ନେଇ ବେଆଇନ ଭାବେ ଅଟକ ରଖି ଭାରତର ଗଣତନ୍ତ୍ର କୁ ହତ୍ୟା କରିବା ଘଟଣାକୁ ସିପିଆଇ(ଏମ) ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସେହିପରି ଓଡିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୨୨୦୦ ରୁ ଅଧିକ ତୃଟି ରାଜ୍ୟରେ ଚାଲିଥିବା ବିଜେପି ସରକାରର ଅପାରଗତାକୁ ପଦାରେ ପକାଇଛି ବୋଲି ସିପିଆଇ(ଏମ) ନେତୃବୃନ୍ଦ ପ୍ରକାଶ କରିଥିଲେ । ଭାରତର ଶିକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ଅରାଜକତା ପାଇଁ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା , ଏନ୍ ଟି ଏ କୁ ବାତିଲ କରି ନିଟ ସମେତ ସମସ୍ତ ଜାତୀୟ ପ୍ରବେଶିକା ପରୀକ୍ଷାରେ ସ୍ୱଛତା, ନିରପେକ୍ଷତା ଓ ଉତର ଦାୟିତ୍ୱତା ସୁନିଶ୍ଚିତ କରିବା, ଏହି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀ ମାନଙ୍କୁ ଗିରଫ କରିବା, ଛାତ୍ର ବିରୋଧି ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କରିବା, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପରିବାର ଗୁଡିକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ, ଶିକ୍ଷାର ବ୍ୟବସାୟୀକରଣ ଓ ସାଂପ୍ରଦାୟିକରଣ ଶିକ୍ଷା ନୀତି ବାତିଲ କରି ଭାରତରେ ଗୁଣାତ୍ମକ ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା, ଓଡିଶାରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା, ସଂଶୋଧିତ ପାଠ୍ୟ ପୁସ୍ତକ ତୁରନ୍ତ ପ୍ରଚଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦେବା ଆଦି ଦାବି ସଭାରେ ସିପିଆଇ(ଏମ) ନେତୃତ୍ୱ ଉପସ୍ଥାପନ କରିଥିଲେ । ଏହି ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଲଢେଇ ହେବ ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କାଳନ୍ଦୀ ପାତ୍ର, ଗିରିଧାରୀ ନାଥ, ଜୟନୂଲ ଆବେଦିନ, ବିଶିଷ୍ଟ ଆଇନଜୀବୀ ଅଶୋକ ନାୟକ, ବରିଷ୍ଠ ନେତା ନିରଞ୍ଜନ ପାଣି, ଯୁବନେତା ସେକ୍ ସନାଉଲ୍ଲା, ବିନୋଦ ସାହୁ, ଯୁବନେତା ଅଶୋକ ବେହେରା, ଯୁବ ଆଇନଜୀବୀ ପାୟଲ ସାହୁ, ଉଷାଶ୍ରୀ ବାରିକ୍ ପ୍ରମୁଖ ଉପସ୍ଥିତ ହୋଇ ସ୍ୱନମ୍ ୱାଙ୍ଗଚୁକ୍ ଙ୍କ ଆମରଣ ଅନଶନ ପ୍ରତି ସଂହତି ଜଣାଇ ସେମାନଙ୍କ ବକ୍ତବ୍ଯ ରଖିଥିଲେ ।