ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଶ୍ରୀରାମ ମହୋତ୍ସବ ପାଳନର ଅନ୍ତିମ ଚରଣରେ ନଗର ସଂକୀର୍ତନ ଶୋଭାଯାତ୍ରା ଭାଇଚାରାର ସହର ଭଦ୍ରକରେ ସମାପନ ହୋଇଛି।ଏହି ନଗର ସଂକିର୍ତନ ଶୋଭାଯାତ୍ରା ଥିଲା ଅଭୂତପୂର୍ବ। ପୂର୍ବରୁ ଏପରି ଶୋଭାଯାତ୍ରା ଦେଖିବାକୁ ମିଳିନଥିଲା। ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରୁ ବାହାରିଥିବା ଶୋଭାଯାତ୍ରାରେ ୧୦୦ ରୁ ଉଦ୍ଦ୍ୱର୍ ମେଢ଼ ଅଂଶ ଗ୍ରହଣ କରିଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, ଆଜିର ଶୋଭାଯାତ୍ରାରେ ସହସ୍ରାଧିକ ମହିଳା ଓ ଯୁବତୀ ଯୋଗଦେଇଥିଲେ। ଜୟ ଶ୍ରୀରାମ, ବଜରଙ୍ଗବାଲୀକି ଜୟ ଧ୍ୱନୀରେ ଭଦ୍ରକ ସହର ପ୍ରକମ୍ପିତ ହୋଇଥିଲା। ଅପରାହ୍ନ ୪ଟା ସମୟରେ ଶୋଭାଯାତ୍ରା ଆରମ୍ଭ ହୋଇଥିବାବେଳେ, ଗେଲପୁର, ସନ୍ଥିଆ, ବେନ୍ତାଳ. ରାନ୍ଦିଆ, ଏଲଖା, ଗେଲଟିଆ, ଗବସାହି, ଶଙ୍କରପୁର, ମଠସାହି, ବଙ୍କସାହି, ବାଉଦପୁର, ଗରଦପୁର, ଜଗନ୍ନାଥପୁର, ଜାନୁଗଞ୍ଜ, ମଠସାହି, କୁଆଁସ, ଅସ୍ଥଳ, ରାଜଘାଟ, ଅନ୍ନପାଳ, ବିଷ୍ଣୁପୁର, କୋରକୋରା, ବାଇପାସ, ଚରମ୍ପା ପ୍ରଭୃତି ବିଭିନ୍ନ ଅଂଚଳରୁ ଆସିଥିବା ୧୦୦ ରୁ ଉର୍ଦ୍ଧ୍ୱ ସୁସଜ୍ଜିତ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କେଉଁଝର ଓ ଯାଜପୁରର ମାଦଳ ବାଜା, କୁଆଖିଆର ସିଂହ ବାଜା, ଇସ୍କନ ସଂକିର୍ତନ ମଣ୍ଡଳୀ, ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଘଂଟୁଆଳ, ସଂକୀର୍ତନମଣ୍ଡଳୀ, ନିଜକୁ ଗୈରିକ ବେଶରେ ସଜାଇଥିବା ଯୁବକମାନଙ୍କ ଶୃଙ୍ଖଳିତ ଶୋଭାଯାତ୍ରା ଭଦ୍ରକ ସହରକୁ ଉତ୍ସବମୁଖର କରି ଗଢ଼ି ତୋଳିଥିଲା। ଏହି ଶୋଭାଯାତ୍ରା ବନ୍ତ ଛକ, କଚେରୀବଜାର, ଟାଉନହଲ ଛକ, ନୂଆବଜାର, ରାଜଘାଟ ଛକ, କଦମବେଢ଼ା, ଚନ୍ଦନବଜାର, ପୁରୁଣାବଜାର, ଲାହାପଟି, ଶଙ୍କରପୁର, ମହିଳା କଲେଜ ବାଟ ଦେଇ ଯଜ୍ଞସ୍ଥଳ ଗାନ୍ଧିପଡ଼ିଆ ଠାରେ ରାତି ୧୨.୩୦ରେ ପହଂଚି ଥିଲା । ତେବେ ଶୋଭାଯାତ୍ରା କାଳରେ ବିଭିନ୍ନ ଛକ ସ୍ଥାନମାନଙ୍କରେ ବହୁ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରାଯିବା ସହ ଥଣ୍ଡା ପାନୀୟରେ ଆପ୍ୟାୟିତ କରାଯାଇଥିଲା। କେତେକ ସ୍ଥାନରେ ଖିଚୁଡ଼ି ଭୋଗ, ଗ୍ଲୁକୋଜ ପାଣି, ଥଣ୍ଡା ପାନୀୟ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶ୍ରୀରାମ ମହୋତ୍ସବ ସମିତିର ବରିଷ୍ଠ ଉପଦେଷ୍ଟା, ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବଦ୍ରିନାରାୟଣ ଧଳ, ଡ଼. ପ୍ରଦୀପ ନାୟକ, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ପୂର୍ବତନ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ପ୍ରାକ୍ତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ, କଂଗ୍ରେସର ପୂର୍ବତନ ସଭାପତି ସୁବ୍ରତ ଦାସ, କଂଗ୍ରେସ ଜିଲା ସଭାପତି ନଳିନୀ ମହାନ୍ତି, ଶରତ ପଢ଼ିଆରୀ, ଜଗନ୍ନାଥ ଦାସ, ଇଂ. ହୃଶିିକେଶ ଗୋସ୍ୱାମୀ, ସ୍ୱାଧିନସୁନ୍ଦର ଦାସ, ମନସ୍ମିତା ଖୁଂଟିଆ, ସୁମିତ୍ରା ପାଣୀ, ବସନ୍ତ ରାଉତ, ଅମ୍ବିକା ଦାସଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉକ୍ତ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ସଂଜିବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପି ନେତା ଇଂ ପ୍ରୟାସକାନ୍ତି ସାମଲ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ନଗର ସଭାପତି ତାହେର ମହମ୍ମଦ, ପ୍ରବୀର ଜେନା, ଦିଲ୍ଲୀପ ନାୟକ, ସାହିଦ ଖାନ ଶୋଭାଯାତ୍ରକାରୀଙ୍କୁ ସ୍ୱାଗତ କରିଥିଲେ। ବହୁ ସଂଖ୍ୟାଲଘୁ ଯୁବକ ଏହି ସଂକୀର୍ତନ ଦଳଙ୍କୁ କଚେରୀବଜାର ଠାରେ ସ୍ୱାଗତ ଜଣାଇଥିଲେ। ସେହିପରି ଟାଉନ ହଲ ଛକରେ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନଗର ସଂକିର୍ତନ ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ସହ ମିଷ୍ଟାନ୍ନ ବଂଟନ କରିଥିଲେ। ଭାଇଚାରାର ସହର ଭଦ୍ରକରେ ରାମନବମୀ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଥିବାବେଳେ ନଗର ସଂକୀର୍ତନରେ ମଧ୍ୟ ଅଭୂତପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି। ଶୋଭାଯାତ୍ରା କାଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଲକ୍ଷାଧିକ ପୁରୁଷ ମହିଳା ଉପସ୍ଥିତ ରହି ଶଂଖ, ହୁଳହୁଳି ମାଧ୍ୟମରେ ସଂକୀର୍ତନମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ। ଏହି ନଗର ସଂକୀର୍ତନ ଶୋଭାଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଚଳିତବର୍ଷ ଉତର-ପୂର୍ବ ଆଇଜି, କ୍ରାଇମବ୍ରାଂଚ ଡିଜିପି ବିନୟତୋଷ ମିଶ୍ର,ପୂର୍ବାଂଚଳ ଡିଆଇଜି ପିନାକ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ତତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଡ୍ରୋନ୍ ଓ ସିସିଟିଭି କ୍ୟାମେରା ମାଧ୍ୟମରେ ସାରା ସହରକୁ ଲକ୍ଷ୍ୟ ରଖାଯାଇଛି। ଏବଂ ସମଗ୍ର ସହରକୁ ପୁଲିସ ଛାଉଣୀରେ ପରିଣତ କରାଯାଇଛି। ପ୍ରତ୍ୟେକ ମେଢ଼କୁ ଜଣେ ଜଣେ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଥିଲା। ରାପିଡ ଆକ୍ସନ ଫୋର୍ସଙ୍କ ସମେତ ମୋଟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଅଛନ୍ତି। ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଷ୍ଟ୍ରାଇକିଂ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ସମ୍ବେନଶୀଳ ଅଂଚଳରେ ଛାତ ଉପରେ ରହି ବାଇନୋକୁଲାର ସାହାଯ୍ୟରେ ପରିସ୍ଥିତି ଉପରେ ପୁଲିସ ସତର୍କ ନଜର ରଖାଯାଇଛି। ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ସହରରେ ୨୬ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ବିଏସ୍ଏଫ୍, ସିଆର୍ପିଏଫ୍, ରାପିଡ଼ ଆକ୍ସନ ଫୋର୍ସଙ୍କ ସମେତ ୩ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଅଛନ୍ତି। ସହରର ବିଭିନ୍ନ ରାସ୍ତା ଓ ସାହିବସ୍ତୀରେ ଫୋର୍ସ ମୁତୟନ କରାଯିବା ସହ ସିସିଟିଭି ଓ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯାଇଛି। ମୋବାଇଲ ପାଟ୍ରୋଲିଂ କରାଯିବା ସହ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏବଂ ଏଥିସହ ୪ ଜଣ ଅତିରିକ୍ତ ଏସପି, ୨୨ଜଣ ଡ଼ିଏସପି, ୨୯ଜଣ ଇନ୍ସପେକ୍ଟର, ୧୪୦ ରୁ ଅଧିକ ଏଏସ୍ଆଇ ଓ ୪୦ ପ୍ଲାଟୁନ ଫୋର୍ସ, ସମେତ ବହୁ ପୁଲିସ ଅଧିକାରୀ ଶୋଭାଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା କରିଛନ୍ତି।