ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଜୀବଦ୍ଦଶାରେ ନିଜକୁ ଇତିହାସ ଭିତିକ ରଚନା ସୃଷ୍ଟିରେ ନିୟୋଜିତ କରି ଚିର ନମସ୍ୟ ହୋଇଛନ୍ତି। ତାଙ୍କ ପାଇଁ ଇତିହାସ ରଚନା କେବଳ ଏକ ବୃତି ନଥିଲା; ଏହା ଥିଲା ତାଙ୍କ ଜୀବନର ଅଭିନ୍ନ ଅଂଶ। ଗବେଷଣା ଓ ଶିକ୍ଷାଦାନ ମାଧ୍ୟମରେ ସେ ଅନେକ ପିଢ଼ିକୁ ଇତିହାସ ପ୍ରତି ଆକୃଷ୍ଟ କରିଥିଲେ ବୋଲି ୨୪ତମ ସ୍ମୃତିସନ୍ଧ୍ୟାରେ ଯୋଗଦେଇ ଐତିହାସିକ ଓ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଗୋଲକ ବିହାରୀ ସାହୁଙ୍କ ପୌରୋହିତ୍ୟରେ ଶୁଭମ ନର୍ସିଙ୍ଗ କଲେଜ ପରିସରରେ ଆୟୋଜିତ ଏହି ସ୍ମୃତି ସନ୍ଧ୍ୟାରେ ଅବସରପ୍ରାପ୍ତ ଅଧ୍ୟାପକ ରତିକାନ୍ତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ, ଐତିହାସିକ ଦୃଷ୍ଟିକୋଣ ଓ ସମାଜ ପ୍ରତି ତାଙ୍କ ଅବଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ଡାକ୍ତର ପ୍ରଦୀପ ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ତାଙ୍କ ସ୍ମୃତିଚାରଣ କରିବା ସହ ଜଗନ୍ନାଥ ପଟ୍ଟନାୟକଙ୍କ ଜୀବନାଦର୍ଶର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉତର ଓଡିଶା ଇତିହାସ କଂଗ୍ରେସ ସଭାପତି ତଥା ଗବେଷକ ଡ଼. ଭାଗବତ ତ୍ରିପାଠୀଙ୍କୁ ସ୍ମୃତି ସମ୍ମାନ ୨୦୨୫ ଓ ଅବସରପ୍ରାପ୍ତ ଅଧ୍ୟାପକ ତଥା ଅଧ୍ୟକ୍ଷ ଡ଼. ପ୍ରଭାତ ମହାନ୍ତିଙ୍କୁ ସ୍ମୃତି ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା। କବି ବିଜୟ କୁମାର ବହଳି ଓ କବି ଶରତ ଜେନା ମାନପତ୍ର ପାଠ କରିଥିଲେ। ଅଧ୍ୟାପକ ଦତାତ୍ରେୟ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନର ସହ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ସମ୍ପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ଦୁଃଶାସନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ଦାସ, ଶାନ୍ତନୁ ରାଉତ, ସୁଧାକର ରାଉତ, ଗୌରାଙ୍ଗ ଚନ୍ଦ୍ର ବାରିକ, ପ୍ରତାପ ଚନ୍ଦ୍ର ନାୟକ, ଗୀତାରାଣୀ ଆଇଚ, ଦିଲ୍ଲୀପ ନାୟକ, ଲକ୍ଷ୍ମୀକାନ୍ତ ବାରିକ, ଅରୂପାନନ୍ଦ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।